Odiapua.com

ନଦୀପାଶ୍ୱର୍ବନ୍ଧ ସୌନ୍ଦର୍ଯ୍ୟକରଣ ପାଇଁ ସାଂସଦ ଓ ବିଧାୟକଙ୍କ ସର୍ବେକ୍ଷଣ

ଭଦ୍ରକ, ୧୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ନଦୀର ଚାନ୍ଦବାଲି ପାଶ୍ୱର୍କୁ ଥିବା ନଦୀବନ୍ଧର ସୌନ୍ଦର୍ଯ୍ୟକରଣ ପାଇଁ ଆଜି ଏକ ଟିମ୍ ସର୍ବେକ୍ଷଣ କରିଛନ୍ତି । ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ସହିତ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ, ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦ୍ୱିଜବର ନାୟକ, ପୂର୍ବତନ ସଭାପତି ଜଗନ୍ନାଥ ସ୍ୱାଇଁ, ଜିଲ୍ଲାପାଳ ଡ. ଜ୍ଞାନ ଦାସ, ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଆଜି ଏହି ନଦୀବନ୍ଧ ବୁଲି ଦେଖିବା ସହ ସୌନ୍ଦର୍ଯ୍ୟ କରଣ ନିମନ୍ତେ ଖସଡା ପ୍ରସ୍ତୁତ କରିବାକୁ ଜଳସେଚନ ନିର୍ବାହୀଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ନଦୀ ବନ୍ଧକୁ ସୁଦୃଢିକରଣ, ଉନ୍ନତିକରଣ କରାଯିବା ସହିତ ସୌନ୍ଦର୍ଯ୍ୟକରଣ କରାଯିବ । ପ୍ରାଥମିକ ପର୍ଯ୍ୟାୟରେ ନଦୀ ବନ୍ଧରୁ ଜବର ଦଖଲକୁ ଉଚ୍ଛେଦ କରାଯିବା ପରେ ଏହାର କାର୍ଯ୍ୟ ଆରମ୍ଭ ହେବ । ସୌନ୍ଦର୍ଯ୍ୟକରଣ ପରେ ଏହି ଅଞ୍ଚଳକୁ ଯେପରି ଅଧିକରୁ ଅଧିକ ପର୍ଯ୍ୟଟକ ଆସିବେ ସେଥିଲାଗି ସବୁ ପ୍ରକାର ପ୍ରଯତ୍ନ କରାଯିବ । ଉକ୍ତ ନଦୀବନ୍ଧ ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରିବ ବୋଲି ଏହି ପର୍ଯ୍ୟବେକ୍ଷଣ ପରେ ଟିମ୍ ସନ୍ତୁଷ୍ଟ ହୋଇଥିବା ଜଣା ଯାଇଛି ।