Odiapua.com

ନଦୀଜଳ ପାଲଟିଛି ପାନୀୟ ଜଳ ରାଜନଗଡବାସୀ ହନ୍ତସନ୍ତ

ନୟାଗଡ ୨୦/୦୩ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରାଜ୍ୟ ସରକାର ଜଳ ହିଁ ଜୀବନ ଡାକରା ଦେଇ ଜଳ ମିଶନ୍ ନାଁରେ ବାହାବା ନେଉଥିବା ବେଳେ ଏବେବି ଅନେକ ଗ୍ରାମରେ ପାନୀୟଜଳ ସଂକଟ ଲାଗି ରହିଛି। ପ୍ରଚଣ୍ଡ ରୌଦ୍ରତାପ ପରେ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଛି। ଯାହାଫଳରେ ଖୋଲାକୂପ, ନଦୀ, ଝରଣା ରୁ ଜଳ ସୁଖିବାରେ ଲାଗିଛି। ଗାଁ ମାନଙ୍କରେ ଥିବା ଗଭୀର ନଳକୂପ ଗୁଡିକ ଅଚଳ ହୋଇ କେଉଁଠି ଗୋଳିଆ ପାଣି ତ ଆଉ କେଉଁଠି ଲୁହାଗୁଣ୍ଡ ମିଶା ପାଣି ବାହାରୁଛି। ଯାହାଫଳରେ ଲୋକମାନେ ଶୁଦ୍ଧ ପାନୀୟଜଳ ଟୋପାଏ ପାଇବାରୁ ବଂଚିତ ହେଉଛନ୍ତି। ନଦୀ ବାଲି ଖୋଳି ଢାଳରେ ଜଳ ଆଣି କପଡା ଦ୍ୱାରା ଛାଣି ପାନୀୟ ଜଳ ରୂପେ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ସେଭଳି ଏକ ଜଳକ୍ଲିଷ୍ଟ ଗ୍ରାମ ହେଉଛି ରଣପୁର ବ୍ଲକ ଲୋଧାଚୁଆ ଗ୍ରାମ ପଞ୍ଚାୟତ ରାଜନଗଡ ଗାଁ। ଏକ ହଜାର ଜନ ସଂଖ୍ୟା ବିଶିଷ୍ଠ ଏହି ଗ୍ରାମରେ ପାନୀୟ ଜଳ ଯୋଗାଇବା ପାଇଁ ୭ ବର୍ଷ ତଳେ ଦେଢ ଲକ୍ଷ ଟଙ୍କା ବ୍ୟୟ ବିନିମୟରେ ଏକ ବୋରିଙ୍ଗ ଖୋଳାଯାଇ ଭୁତଖୁଣ୍ଟ ଭଳି ଠିଆ ହୋଇ ରହିଛି। ଏଯାଏଁ ଗ୍ରାମବାସୀ ପାନୀୟଜଳ ପାଇପାରୁ ନାହାଁନ୍ତି। ଗ୍ରାମ କୁ ଲାଗି ମନ୍ଦାକିନୀ ନଦୀର ଗଭୀତରା ଦୃଷ୍ଟିରୁ ଖୋଲାକୂଅ ଓ ପୁଷ୍କରିଣୀ ଜଳ ଶୁଖିଗଲାଣୀ। ଗ୍ରାମରେ ଥିବା ଗଭୀର ନଳକୂପ ଗୁଡିକ ରୁ ଗୋଳିଆ ପାଣି ଲୁହାଗୁଣ୍ଡ ମିଶା ପାନୀୟ ଜଳ ଅନୁପଯୋଗୀ ଜଳ ବାହାରୁଛି। ଯାହାଫଳରେ ଲୋକମାନେ ଗାଇ, ବଳଦ, ପଣ୍ଡା, ମଇଁଷି ଏପରିକି ଶୈାଚ ହେଉଥିବା ମନ୍ଦାକିନୀ ନଦୀର ଆଡିବନ୍ଧ କୂଳରୁ ବାଲି ଖୋଳି କପଡାରେ ଛାଣି ନଦୀ ଖାଲ ଭିତରୁ ପାନୀୟଜଳ ଆଣୁଛନ୍ତି। ରାଜନଗଡରେ ପାନୀୟଜଳ ସଂକଟ ସର୍ମ୍ପକରେ ରଣପୁର ଜଳ ଯୋଗାଣ ବିଭାଗ ଯନ୍ତ୍ରୀ ପ୍ରକାଶ ମହାନ୍ତିଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ରଣପୁରକୁ ମେଗା ଜଳ ଯୋଗାଣ ମହାନଦୀରୁ ହେବା ପାଇଁ ଘୋଷଣା ହେବାପରେ ଆଉ ନୂଆ ଜଳ ଯୋଗାଣ ପ୍ରକଳ୍ପ ହେଉନାହିଁ। ଦେଖିବା ସେହି ଗ୍ରାମରେ ଥିବା ଅଚଳ ନଳକୂପ ଗୁଡିକ ମରାମତି କରିବା। ଅପରପକ୍ଷେ ଗ୍ରାମବାସୀ ମାନେ ଲୋଧାଚୁଆ ଗ୍ରାମପଞ୍ଚାୟତ ତରଫରୁ ଟ୍ୟାଙ୍କର ଯୋଗେ ଆବଶ୍ୟକ ପାନୀୟ ଜଳ ଯୋଗାଇବା ପାଇଁ ଦାବି କରୁଛନ୍ତି। ଏଥିସହ ବିଭାଗୀୟ ଅବହେଳା ଯୋଗୁଁ ୭ ବର୍ଷ ହେଲା ବୋରିଙ୍ଗ ହୋଇଥିଲେ ମଧ୍ୟ ପାନୀୟ ଜଳ ପ୍ରକଳ୍ପ ନହେବା ପାଇଁ ଗ୍ରାମ୍ୟ ଜଳ ଯୋଗାଣ ବିଭାଗକୁ ଦାୟୀ କରିଛନ୍ତି। ଜିଲ୍ଲା ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ଟ୍ୟାଙ୍କର ଯୋଗେ ଜଳ ଯୋଗାଇବା ପାଇଁ ଗ୍ରାମବାସୀଙ୍କ ତରଫରୁ ଅନୁରୋଧ କରାଯାଉଛି।