Odiapua.com

ନତଡାରେ ଭାଗବତ ମହୋତ୍ସବ ପାଳିତ

ତାଳଚେର, ୧୧/୯ (ଓଡ଼ିଆ ପୁଅ/ଅଜିତ ବେହେରା) : ପବିତ୍ର ଭାଗବତ ଜନ୍ମ ପାଳନ ଅବସରରେ ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ନତଡା ଗ୍ରାମରେ ଭାଗବତ ମହୋତ୍ସବ ଓ ଭାଗବତ ପ୍ରଶ୍ନୋତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ନତଡା ଭାଗବତ ପ୍ରସାର ସମିତି ଓ ଜିଲ୍ଲା ଆମ ପୁରାଣ ଆମ ସଂସ୍କୃତି ଅନୁଷ୍ଠାନର ମିଳିତ ଉଦ୍ୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗ୍ରାମ ସଭାପତି ସୁଧାକର ନାୟକ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବରେ ନତଡା ସରପଂଚ ପ୍ରଣତୀ ପ୍ରଧାନ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମୁଖ୍ୟ ବକ୍ତା ଭାବରେ ପ୍ରାଧ୍ୟାପକ ବିଶ୍ୱରଞ୍ଜନ ପ୍ରଧାନ, ସମ୍ମାନୀତ ଅତିଥି ଭାବରେ ମା ହିଙ୍ଗୁଳା ପୀଠ ଉନ୍ନୟନ ପରିଷଦର ସହ ସମ୍ପାଦକ ବିଭୂତି ଭୂଷଣ ସାହୁ, ଉତ୍କଳୀୟ ଦଣ୍ଡ ସଂସ୍କୃତି ସମାଜ ମଙ୍ଗଳ ସଂଘର ସଭାପତି ହରମୋହନ ସାହୁ, ବିଜୟ କୁମାର ଦାଶ, କଳାକାର ସଂଘ ସଭାପତି ଡ.ନବଘନ ସାମଲ, ସଂପାଦକ ବିକାଶ ଚନ୍ଦ୍ର ବିଶ୍ୱାଳ ପ୍ରମୁଖ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପୌରାଣିକ ପ୍ରଶ୍ନୋତର ଓ ଭାଗବତ ଆବୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପୌରାଣିକ ପ୍ରଶ୍ନୋତର ପ୍ରତିଯୋଗିତାରେ ଅମରଦୀପ ସାହୁ, ରାଜନନ୍ଦିନୀ ସାହୁ ଓ ଶ୍ୱେତାଲିନ୍ ସାହୁ ଯଥାକ୍ରମେ ପ୍ରଥମରୁ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଭାଗବତ ଆବୃତି ପ୍ରତିଯୋଗିତାର ମହିଳା ବିଭାଗରେ ରଶ୍ମିତା ବିଶ୍ୱାଳ ପ୍ରଥମ ସ୍ଥାନ, ପୂଜାରିଣୀ ବେହେରା ଦ୍ୱିତୀୟ ସ୍ଥାନ, ଦମୟନ୍ତୀ ସାହୁ ଓ ରୀନା ସାହୁ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ଭାଗବତ ଆବୃତି ପ୍ରତିଯୋଗିତାର ପୁରୁଷ ବିଭାଗରେ ସୁଶାନ୍ତ ନାୟକ ପ୍ରଥମ, ରଞ୍ଜିତ କୁମାର ସାହୁ ଦ୍ୱିତୀୟ ଓ ବୀରେନ୍ ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ। କୃତୀ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରିଥିଲେ। ଏହାପରେ ସଂକ୍ଷିପ୍ତ ଭାଗବତ ପ୍ରଶ୍ନୋତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ବଡଯୋରଡା, ସାନଯୋରଡା, ବଡସିଂହଡା, ଡେରା, କଙ୍କିଳି, ବଡକଞ୍ଜନୀ, ଗୋବରା, ଲକେଇପଶି ପ୍ରମୁଖ ଆଠଟି ଦଳ ଅଂଶଗ୍ରହଣ କରିଥିଲେ। ବିଚାରକ ଭାବରେ ଗବେଷକ ବିଭୂତି ଭୁଷଣ ସାହୁ ଓ ମଂଚ ଅଭିନେତା ହେମନ୍ତ ଦାସ ଦାୟିତ୍ୱ ତୁଲାଇଥିବା ବେଳେ ଅରୁଣ କୁମାର ଗଡନାୟକ, ରାହାସ ଚନ୍ଦ୍ର ବିଶ୍ୱାଳ, ସଂଯୁକ୍ତା ସାହୁ, ଦିଲ୍ଲୀପ ଦାଶ, ଗୀତାମୟୀ ମହାପାତ୍ର ପ୍ରମୁଖ ମଂଚ ପରିଚାଳନା କରିଥିଲେ। ତେତ୍ରାନନ୍ଦ ସାମନ୍ତ ଓ ଶାନ୍ତିଲତା ରଥ ସ୍କୋରର୍ ଦାୟିତ୍ୱ ନିର୍ବାହ କରିଥିଲେ। ପ୍ରତିଯୋଗିତାରେ ବଡସିଂହଡା ପ୍ରଥମ ସ୍ଥାନ, ଡେରା ଦ୍ୱିତୀୟ ସ୍ଥାନ ଓ ବଡଯୋରଡା ଦଳ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସମସ୍ତ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ମାନପତ୍ର ସହ ଟ୍ରଫି ଓ ଉପଢୌକନ ଦେଇ ସମ୍ମାନୀତ କରିଥିଲେ। ମା ହିଙ୍ଗୁଳା ପୀଠ ଉନ୍ନୟନ ପରିଷଦ ଓ ଉତ୍କଳୀୟ ଦଣ୍ଡ ସଂସ୍କୃତି ସମାଜ ମଙ୍ଗଳ ସଂଘର ସଭାପତି ହରମୋହନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଆଧ୍ୟାତ୍ମିକ ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶତାଧିକ ପୁରାଣପ୍ରେମୀ ଜନସାଧାରଣ ଯୋଗ ଦେଇଥିଲେ। ମାର୍କଣ୍ଡ ଦାସ, ମାନସ କର, ଗୌତମ ନାୟକ, ବାମଦେବ ସେଠ, ଯୋଗେନ୍ଦ୍ର ବିଶ୍ୱାଳ, ବସନ୍ତ ପ୍ରଧାନ, ଲିଲି ପ୍ରଧାନ, ଗୋବିନ୍ଦ ସାମନ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ଯୋଗେନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।