Odiapua.com

ନଚ୍ଛିବିନ୍ଧାରେ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ସାଇଣ୍ଟିଫିକ୍ ଟିମ୍‌ର ତଦନ୍ତ ଆରମ୍ଭ

ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ତିହିଡି ବ୍ଲକ୍ ପୀରହାଟ ଥାନା ଅଧୀନସ୍ଥ ନଚ୍ଛିବିନ୍ଧା ଗ୍ରାମର ଜଣେ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ମୃତା ଜଣକ ଶଶଧର ରାଉଳଙ୍କ ସ୍ତ୍ରୀ କବିତା ବୋଲି ଜଣାପଡିଛି। ଶୋଇବାଘରେ ଫାଶୀଦେଇ ଝୁଲୁଥିବା ଅବସ୍ଥାରେ ତାଙ୍କୁ ଦେଖିବାକୁ ପାଇଥିଲେ ପରିବାର ଲୋକେ। କବିତା ୨୦୦୭ ମସିହାରେ ନଚ୍ଛିବିନ୍ଧା ଗ୍ରାମର ଶଶଧର ରାଉଳଙ୍କୁ ବିବାହ କରିଥିଲେ। ତାଙ୍କର ଗୋଟିଏ ଝିଅ ଓ ଗୋଯିଏ ପୁଅ ଅଛି। କବିତାଙ୍କ ସ୍ୱାମୀ କଟକରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରନ୍ତି। କବିତାଙ୍କ ବାପା ଉମାକାନ୍ତ ନାୟକ ତାଙ୍କ ଝିଅ ଆତ୍ମହତ୍ୟା ନୁହେଁ, ତାକୁ ସ୍ୱାମୀ ଶଶଧରଙ୍କ ସମେତ ତାଙ୍କ ପଡୋଶୀ ତଥା ବନ୍ଧୁ ଉମେଶ ରାଉଳ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବାର ଅଭିଯୋଗ କରିଛନ୍ତି। ପୁଲିସ୍ ଶବ ଜବତ ସହ ଆଜି ସାଇଣ୍ଟିଫିକ୍ ଟିମ୍ ଦ୍ୱାରା ତଦନ୍ତ ଆରମ୍ଭ କରିଛି। ମୃତାଙ୍କ ପିତା ଉମାକାନ୍ତଙ୍କ ଏତଲା ମୂଳେ ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ଉମେଶ ରାଉଳଙ୍କୁ ଥାନାରେ ଅଟକ ରଖାଯାଇ ଅଧିକ ପଚରାଉଚୁରା କରାଯାଉଥିବା ବିଷୟ ଥାନାଧିକାରୀ ଗୟାଧର ବେହେରା ଗଣମାଧ୍ୟମକୁ କହିଛନ୍ତି।