Odiapua.com

ନଗଡା ବିକାଶ ପାଇଁ ଖର୍ଚ୍ଚ ହୋଇଥିବା ୨୩ କୋଟି ଟଙ୍କାର ଦୁର୍ନୀତି; ଜିଲ୍ଲା ପ୍ରଶାସନକୁ ଲୋକୟୁକ୍ତଙ୍କ କୈଫତ ତଲବ

ଭୁବନେଶ୍ୱର୩ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳିର ନଗଡାରେ ଶିଶୁ ପୁଷ୍ଟିହୀନତା ଓ ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଖର୍ଚ୍ଚ ହୋଇଥିବା ୨୩ କୋଟି ଟଙ୍କା ଅଧିକାରୀ ମାନେ ଚଳୁ କରିବାକୁ ନେଇ ସିଭିଲ ସୋସାଇଟି ପକ୍ଷରୁ ଲୋକାୟୁକ୍ତଙ୍କ ନିକଟରେ କରାଯାଇଥିବା ଅଭିଯୋଗକୁ କରାଯାଇଥିଲା। ଲୋୟୁକ୍ତ ଅଭିଯୋଗଟିକୁ ଗ୍ରହଣ କରି ଯାଜପୁର ଜିଲ୍ଲା ପ୍ରକଳ୍ପ ନିର୍ଦେଶକ, ସମାଜ କଲ୍ୟାଣ ଅଧିକାରୀ, ବିଡ଼ିଓ, ନିର୍ବାହୀଯନ୍ତ୍ରୀ, ନିର୍ବାହୀଯନ୍ତ୍ରୀ ସେସୁ. ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଅଧିକାରୀଙ୍କୁ କୈଫିୟତ ତଲବ କରି ଆସନ୍ତା ଦେଢ଼ମାସ ମଧ୍ୟରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଦେବାକୁ ଲୋକାୟୁକ୍ତ ଅଧ୍ୟକ୍ଷ ନିର୍ଦେଶ ଦେଇଛନ୍ତି।ସୂଚନାଯୋଗ୍ୟ ୨୦୧୬ରେ ଯାଜପୁରର ନଗଡାରେ ରହୁଥିବା ଜୁଆଙ୍ଗ ଆଦିବାସୀମାନେ ଅପପୁଷ୍ଟିର ଶିକାର ହେବା ସହ ନଗଡାରେ୧୯ ଶିଶୁଙ୍କ ମୃତ୍ୟୁ ହୋଇଥିଲା। ଏହା ଜାତୀୟସ୍ତରରେ ଚର୍ଚ୍ଚା ହୋଇଥିଲା। ଏହାକୁ ସରକାର ଗୁରୁତ୍ବର ସହ ଗ୍ରହଣ କରି ସେଠାରେ ବିକାଶ କରିବାପାଇଁ ବହୁମୁଖୀ ଏଜେଣ୍ଡା ପ୍ରସ୍ତୁତ କରିଥିଲେ। ନଗଡାର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଗତ ଅଢ଼େଇ ବର୍ଷ ମଧ୍ୟରେ ପ୍ରାୟ ୨୩କୋଟି ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ସବୁ ଟଙ୍କା କାଗଜପତ୍ରରେ ଖର୍ଚ୍ଚ ହୋଇଛି ବୋଲି ସିଭିଲ ସୋସାଇଟି ପକ୍ଷରୁ ଲୋକାୟୁକ୍ତଙ୍‌କ ନିକଟରେ ଅଭିଯୋଗରେ ଦର୍ଶାଯାଇଛି। ଅଧିକାରୀମାନେ ସଲାସୁତୁରା କରି ସବୁ ଅର୍ଥ ଆତ୍ମସାତ୍ କରିଛନ୍ତି। ଯେହେତୁ ଏହି ନଗଡାକୁ ବଡ଼ ବଡ଼ିଆଙ୍କ ପାଦ ପଡ଼ୁନାହିଁ ତେଣୁ କେହି ଏହି ଦୁର୍ନୀତିର ଟେର ପାଇବେ ନାହିଁ ଭାବି ଏଠାକାର ବିକାଶ ଅର୍ଥକୁ ଲୁଟ୍ କରିଛନ୍ତି ବୋଲି ସୋସାଇଟି ପକ୍ଷରୁ କୁହାଯାଇଛି। ନଗଡାକୁ ରାସ୍ତା ପାଇଁ ୧୫କୋଟି ଟଙ୍କା ସରକାର ଦେଇଥିଲେ ମଧ୍ୟ ସେଠାରେ ଯେଉଁ ରାସ୍ତାକାମ ହୋଇଛି ତାହା ତଦନ୍ତ ସାପେକ୍ଷ। ସେହିପରି ନଗଡା ଗ୍ରାମ୍ୟ ରାସ୍ତାପାଇଁ ଖର୍ଚ୍ଚ ହୋଇଥିବା ୮୩.୯୮ଲକ୍ଷ ଟଙ୍କା, ବିଦ୍ୟୁତ୍ ଭିତ୍ତିଭୂମି ପାଇଁ ୧.୮କୋଟି, ବାସଗୃହ ପାଇଁ ୧.୩୮କୋଟି, ଅଙ୍ଗନବାଡି କେନ୍ଦ୍ର ଓ ସ୍ବଚ୍ଛ ପାନୀୟଜଳ ପାଇଁ ପ୍ରାୟ ୫୪ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ବି ସବୁ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଛି।ସରକାରଙ୍କ ଅର୍ଥର ସଦୁପଯୋଗ ହୋଇ ନଥିବାରୁ ନଗଡାବାସୀ ଏବେ ଅପହଞ୍ଚ ହୋଇ ସମାଜଠାରୁ ରହିଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି। ସେଠାକାର ଲୋକଙ୍କ ଜୀବନ ଜୀବିକାରେ ଉନ୍ନତି କରିବାପାଇଁ ସରକାର ଯେଉଁ ମନସ୍ଥ କରିଥିଲେ ତାହା କେବଳ କାଗଜକଲମରେ ରହି ଯାଇଛି। ଉକ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୋସାଇଟି ପକ୍ଷରୁ ଅଭିଯୋଗ କରାଯାଇଛି।