Odiapua.com

ନକଲି ସାର୍ଟିଫିକେଟ୍ ଓ ଅପରାଧିକ ମାମଲା ଥାଇ ପଦୋନ୍ନତି, ଜିଲାପାଳଙ୍କ ନିକଟରେ ଅଭିଯୋଗ

ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନକଲି ସାର୍ଟିଫିକେଟ୍ ଓ ଅପରାଧିକ ମାମଲାରେ ୨ ମାସରୁ ଉର୍ଦ୍ଧ୍ୱ ଜେଲ୍‌ରେ ଥିବା ଜଣେ ଗ୍ରାମରୋଜଗାର ସେବକଙ୍କୁ ପ୍ରଶାସନ କିଭଳି ଭାବେ ଆକାଉନଟାଂଟ କମ୍ ଡାଟା ଏଂଟ୍ରି ଅପରେଟର ଭାବେ ପଦୋନ୍ନତି ଦେଲା, ସେ ସଂପର୍କରେ ଏହି ଜିଲାର ବନ୍ତ ବ୍ଲକ୍ ଅଧୀନସ୍ଥ ବଡ ସନ୍ଦାଡୋ ଗ୍ରାମର ସୁବ୍ରତ କୁମାର ପ୍ରଧାନ ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି । ଶ୍ରୀ ପ୍ରଧାନ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ନିକଟରେ କରିଥିବା ଅଭିଯୋଗ ମୂଳେ ଏହି ଗ୍ରାମର ଉମାକାନ୍ତ ନାୟକଙ୍କ ପୁତ୍ର ମହେଶ୍ୱର ବନ୍ତ ବ୍ଲକ୍‌ରେ ଗ୍ରାମ ରୋଜଗାର ସେବକ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ନାମରେ ଆଗରପଡା ଥାନାରେ ଜିଆର କେଶ୍ ନଂ ୧୩୧/୧୩, ଏତଲା ନଂ ୮/୧୩, ଦଫା ୩୪୧ / ୨୩୨ / ୨୯୪ / ୩୭୯ / ୩୫୪ / ୫୦୬ ଆଇପିସି ଧାରା ଅଧୀନରେ ଆଗରପଡା ଥାନାରେ ତା ୨୬.୦୧.୧୩ ରିଖରେ ମାମଲା ଥାଇ ୨ ମାସରୁ ଉର୍ଦ୍ଧ୍ୱ ଜେଲ୍‌ରେ ରହିଥିଲେ । ଏତଦ୍‌ବ୍ୟତୀତ ମହେଶ୍ୱର ନାୟକ ନିଜର ଚାକିରୀ କାଳରେ ଯେଉଁ ଯୁକ୍ତ ଦୁଇ ପ୍ରମାଣପତ୍ର ଦାଖଲ କରିଥିଲେ, ତାହା କାଉନ୍‌ସିଲର ଅଫ୍ ହାୟାର ସେକେଣ୍ଡାରୀ ଏଜୁକେସନଙ୍କ ଦ୍ୱାରା ହାଇକୋର୍ଟରେ ଚାଲିଥିବା ରିଟ୍ ପିଟିସନ୍ ଯାହାର ନଂ ଡବ୍ଲ୍ୟୁ.ପି.(ସି) ନଂ ୨୯୪୩୩/୧୧ ମୂଳେ ତାହା ମିଥ୍ୟା ବୋଲି ପ୍ରମାଣିତ ହୋଇଛି । ଏସବୁ ସତ୍ୱେ ତାଙ୍କୁ କିଭଳି ଭାବେ ଆକାଉନଟାଂଟ କମ୍ ଡାଟା ଏଂଟ୍ରି ଅପରେଟର ପଦୋନ୍ନତି ଦିଆଯାଇଛି, ସେଥିନେଇ ସେ ଜିଲାପାଳଙ୍କ ନିକଟରେ ପ୍ରକୃତ ତଥ୍ୟର ଅନୁସନ୍ଧାନ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି । ଏବଂ ଶ୍ରୀ ମହେଶ୍ୱରଙ୍କ ନାମରେ ଥିବା ସମସ୍ତ ବେଆଇନ୍ ଓ ଅପରାଧିକ ମାମଲାର କାଗଜପତ୍ର ଜିଲାପାଳଙ୍କ ସହ ରାଜ୍ୟ ସରକାରଙ୍କ ପଂଚାୟତରାଜ ବିଭାଗ ସଚିବଙ୍କ ନିକଟକୁ ପ୍ରେରଣ କରିଥିବାର ଜଣାପଡିଛି ।