Odiapua.com

ନକଲି ଔଷଧ ବିକ୍ରି କରିବା ଘଟଣାରେ ଏସ୍ଟିଏଫ୍ ଦ୍ୱାରା ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର ୨୪-୬ (ଓଡ଼ିଆ ପୁଅ) ନକଲି ଔଷଧ ବିକ୍ରି କରିବା ଘଟଣାରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ଏସ୍ଟିଏଫ୍ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଜଣକ “ମେଡିଲୋୟଡ୍ ମେଡିକମେଂଟ ପ୍ରାଇଭେଟ୍ ଲିମିଟେଡ୍’ର ପରିଚାଳନା ନିର୍ଦ୍ଦେଶକ ବୋଲି ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ସୂଚନା ଦେଇଛନ୍ତି। ପୂର୍ବରୁ ଏହି ଘଟଣାରେ ଏସ୍ଟିଏଫ୍ ୩ଜଣଙ୍କୁ ଗିରଫ କରିଛିା। ଏହି ମାମଲାରେ ମୋଟ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ବର୍ତମାନ ସୁଦ୍ଧା ସେମାନଙ୍କ ବ୍ୟାଙ୍କ ଆକାଉଂଟରୁ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ କରାଯାଇଛି। ଓଡ଼ିଶା, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ଏସ୍ଟିଏଫ୍ର ତିନୋଟି ଟିମ୍ ନକଲି ଔଷଧ କାରବାର ସଂକ୍ରାନ୍ତରେ ତଦନ୍ତ କରୁଛନ୍ତି ବୋଲି ଡିଜିପି ସୂଚନା ଦେଇଛନ୍ତି।

ସୁଚନା ମୁତାବକ, ଓଡ଼ିଶାରେ ନକଲି ଔଷଧ ବିକ୍ରି ହେଉଥିବା ନେଇ ଡ୍ରଗ୍ କର୍ତୃପକ୍ଷ ଏସ୍ଟିଏଫ୍ରେ ଏକ ରିପୋର୍ଟ ଦାଖଲ କରିଥିଲେ। ନକଲି ଔଷଧ ବିଶେଷତଃ କୋଭିଡ୍-୧୯ ରୋଗୀଙ୍କ ଚିକିତ୍ସା ନିମନ୍ତେ ଉଦ୍ଦିଷ୍ଟ ଥିବା ଔଷଧ ଫାଭିମାକ୍ସ-୨୦୦ ଏବଂ ଫ୍ୟାଭିମାକ୍ସ-୪୦୦(ଫାଭିପିରାଭବିର୍) ବିକ୍ରି ହେଉଥିବା ସୂଚନା ମିଳିଥିଲା। ସେହି ଅନୁଯାୟୀ ଡ୍ରଗ୍ସ ଏବଂ କସ୍ମେଟିକ୍ ଆକ୍ଟ ୧୯୪୦ ଅନୁଯାୟୀ ନକଲି ଔଷଧ ବିକ୍ରି, ଜାଲିଆତି, ଠକେଇ ଓ ଷଡ଼ଯନ୍ତ୍ର ଭଳି ସଙ୍ଗୀନ ମାମଲା ରୁଜୁ କରାଯାଇଥିଲା। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ତଦନ୍ତ ପାଇଁ ଏସ୍ଟିଏଫ୍ ପକ୍ଷରୁ ୩ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଓଡ଼ିଶା, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଚଢଉ କରି ଉକ୍ତ ଟିମ୍ ତଥ୍ୟ ଏବଂ ପ୍ରମାଣ ସଂଗ୍ରହ କରିଥିଲେ।

ହିମାଚଳ ପ୍ରଦେଶସ୍ଥିତ ସୋଲାନ୍ ନାମକ ସ୍ଥାନରେ “ମ୍ୟାକ୍ସ ରିଲିଫ୍ ହେଲ୍ଥ କେୟାର” ନାମକ ଏକ କମ୍ପାନୀ ଫାଭିମାକ୍ସ ଟାବ୍ଲେଟ୍ ପ୍ରସ୍ତୁତ କରି ମାର୍କେଟିଂ କରୁଥିଲା। ଏହି କମ୍ପାନୀକୁ ଦୁଇଜଣ ବ୍ୟକ୍ତି ଚଳାଉଥିବା ବେଳେ ଦୁହିଁଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ଏହାବ୍ୟତୀତ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ମାମଲା ରହିଥିବା ଏସ୍ଟିଏଫ୍ ଜାଣିବାକୁ ପାଇଥିଲା। ଓଡ଼ିଶାରେ ଥିବା “ମେଡିଲୋୟଡ୍ ମେଡିକମେଂଟ ପ୍ରାଇଭେଟ୍ ଲିମିଟେଡ୍’ କମ୍ପାନୀ “ମ୍ୟାକ୍ସ ରିଲିଫ୍ ହେଲ୍ଥ କେୟାର” ସହ ଷଡଯନ୍ତ୍ର କରି ଫାଭିମାକ୍ସ ଟାବ୍ଲେଟ୍ ବହୁତ କମ୍ ଦାମରେ ହାସଲ କରିଥିଲା। ପ୍ରତି ଷ୍ଟ୍ରିପ୍(୧୦ଟି)ଟାବ୍ଲେଟ୍ର ମୂଲ୍ୟ ମାତ୍ର ୬୫ଟଙ୍କା ହୋଇଥିବାବେଳେ “ମେଡିଲୋୟଡ୍ ମେଡିକାମେଂଟ” କମ୍ପାନୀ ପ୍ରତି ଷ୍ଟ୍ରିପ୍ ପିଛା (୧୦ଟି)ର ମୂଲ୍ୟ ୧୨୯୦ ଟଙ୍କାରେ ବିକ୍ରି କରିବାକୁ ଯୋଜନା କରୁଥିଲା। ଏଭଳି ତଥ୍ୟ ଏବଂ ପ୍ରମାଣ ଏସ୍ଟିଏଫ୍ ହାତରେ ଲାଗିବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଥିଲା। ନକଲି ଔଷଧ ବିକ୍ରି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଏସ୍ଟିଏଫ୍ ଗିରଫ କରିଥିବାରୁ ଏସ୍ଟିଏଫ୍ ଡିଆଇଜିଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ ଡିଜିପି ସାଧୁବାଦ୍ ଜଣାଇଛନ୍ତି।