Odiapua.com

ନକଲି ଏସଟିଏଫ ଅଧିକାରୀ ଗିରଫ ସ୍କର୍ପିଓ-ବିଦେଶୀ ବନ୍ଧୁକ ସହ ବହୁ ସାମଗ୍ରୀ ଜବତ୍‌

ବାଲେଶ୍ୱର, ୭ା୧୦(ଓଡ଼ିଆ ପୁଅ/ଅଭୟ ଦାସ) : ନିଜକୁ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ)ର ଅଧିକାରୀ ଭାବେ ପରିଚୟ ଦେତ୍ୱନ୍ଧୁକ ଫୁଟାଇ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ସଂଚାର ପାଇଁ ଚେଷ୍ଟା କରୁଥିବା ଯୁବକ ଓ ସ୍କର୍ପିଓ ଡ୍ରାଇଭରକୁ ଖନ୍ତାପଡ଼ା ଥାନା ପୁଲିସ ଗିରଫ କରିଛି। ସେମାନେ ବ୍ୟବହାର କରିଥିବା ଡଆର ୦୫ଏଏଫ/୫୮୫୭ ନଂର ସ୍କର୍ପିଓ, ଏକ ବିଦେଶୀ ବନ୍ଧୁକ, ୫ ଗୋଟି ଜୀବନ୍ତ ଗୁଳି, ଏକ ଭିଏଚଫ ମେସିନ, ଓକିଟୋକି, ମୋବାଇଲ ଆଦି ପୁଲିସ ଜବତ୍ କରିଛି। ଗିରଫ ନକଲି ଏସଟିଏଫ ଅଧିକାରୀ ଜଣକ ହେଲେ ଗଞ୍ଜାମ ଜିଲ୍ଲା ନାହାଡ଼ା ଅଞ୍ଚଳର ପ୍ରମୋଦ ବରାଳଙ୍କ ପୁତ୍ର ପ୍ରିୟ ରଂଜନ ବରାଳ (୩୪) ଏବେ ସେ ମୟୁରଭଂଜ ଜିଲ୍ଲା ବାରିପଦା ଥାନା ଅନ୍ତର୍ଗତ ବିଜୟରାମଚନ୍ଦ୍ରପୁରରେ ରହୁଛନ୍ତି। ଡ୍ରାଇଭର ଜଣକ ହେଲେ ମୟୁରଭଂଜ ଜିଲ୍ଲା ବାରିପଦା ଥାନା ଅନ୍ତର୍ଗତ ଷ୍ଟେସନବଜାରର ଶ୍ୟାମସୁନ୍ଦର ସିଂଙ୍କ ପୁତ୍ର ପଙ୍କଜ କୁମାର ସିଂ(୨୪)। ଗତକାଲି ଖନ୍ତାପଡ଼ା ଟୋଲ ପ୍ଲାଜା ପୂର୍ବରୁ ଏକ ବିଲାତି ବୋଝେଇ ଟ୍ରକ୍ ଓଲଟିପଡ଼ିବା ଫଳରେ ହୋଇଥିବା ରାସ୍ତାଜାମକୁ ନିୟନ୍ତ୍ରଣ ପାଇଁ ଖନ୍ତାପଡ଼ା ଥାନାର ପୁଲିସ ଚେଷ୍ଟା କରୁଥିବା ବେଳେ ଭଦ୍ରକ ପଟୁ ଏକ ନାଲିବତୀ ଥିବା ଧଳାରଙ୍ଗର ସ୍କର୍ପିଓ ସେଠାରେ ପହଞ୍ଚିଥିଲା। ସ୍କର୍ପିଓରୁ ପ୍ରିୟରଂଜନ ଓହ୍ଲାଇ ରାସ୍ତାଜାମ ନିୟନ୍ତ୍ରଣ କରୁଥିବା ପୁଲିସ କର୍ମଚାରୀଙ୍କୁ ନାନା ପ୍ରକାର ଗାଳିଗୁଲଜ କରି ଲୋକ ଗହଳି ନିୟନ୍ତ୍ରଣ ପାଇଁ କହିଥିଲେ। ନିଜକୁ ଜଣେ ଏସଟିଏଫ୍ ଅଧିକାରୀ ଭାବେ ପରିଚୟ ଦେବା ସହ ସେ ଏକ ବନ୍ଧୁକ ବାହାର କରି ବ୍ଲାଙ୍କ ଫାୟାରଂ କରିଥିଲା। ଏହାକୁ ଦେଖି ଲୋକେ ଭୟ ପାଇଥିବା ବେଳେ ଉପସ୍ଥିତ ପୁଲିସ ସନ୍ଦେହ କରି ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ମାତ୍ର ସେମାନେ ଗାଡ଼ି ଚଳାଇ ବାଲେଶ୍ୱର ଅଭିମୁଖେ ପଳାଇ ଆସିଥିଲେ। ଦୁର୍ଘଟଣାସ୍ଥଳ ପୁଲିସଙ୍କଠାରୁ ଫୋନ ପାଇ ଟୋଲ ପ୍ଲାଜା ନିକଟରେ ଡ୍ୟୁଟି କରୁଥିବା ପୁଲିସ କର୍ମଚାରୀ ସେମାନଙ୍କ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲା। ସେଠାରେ ବି ସେମାନେ ପୁଲିସ କର୍ମଚାରୀଙ୍କୁ ଧକ୍କା ଦେଇ ଚମ୍ପଟ ମାରିଥିଲେ। ଏଥିରେ ଜଣେ ପୁଲିସ କର୍ମଚାରୀ ବି ଆହତ ହୋଇଛି। ଏ ଘଟଣା ସମ୍ପର୍କରେ ପୂର୍ବରୁ ଖବର ପାଇ ଜଗି ରହିଥିବା ଖନ୍ତାପଡ଼ା ଥାନା ଅଧିକାରୀ ପରେଶ ଚନ୍ଦ୍ର ରାଉତ ଓ ଅନ୍ୟ ପୁଲିସ କର୍ମଚାରୀମାନେ ସେମାନଙ୍କୁ କାବୁ କରିଥିଲେ। ଆହତ ପୁଲିସ କର୍ମଚାରୀଙ୍କ ଏତଲା କ୍ରମେ ୩୧୬ ନଂର ମାମଲା ରୁଜୁ ସହ ଗିରଫ ଅଭିଯୁକ୍ତ ଓ ଡ୍ରାଇଭରଙ୍କୁ ଥାନା ପକ୍ଷରୁ ପଚରାଉଚୁରା ଜାରି ରହିଛି।