Odiapua.com

ନଈକୂଳରୁ ପୋଲିସ ଜବତକଲା ଅଚିହ୍ନା ମହିଳାଙ୍କ ମୃତଦେହ, ହତ୍ୟାକରି ଫିଙ୍ଗି ଦେଇଥିବା ସନ୍ଦେହ, ସନ୍ଧାନୀ କୁକୁର ଓ ସାଇଂଟିଫିକ ଟିମ ସହାୟତାରେ ତଦନ୍ତ

ଭଦ୍ରକ, ୨୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ଥାନା ଅଧୀନ ବୋଡ଼କ ପଂଚାୟତ ନିକଟରେଥିବା ରେବ ନଈକୂଳରୁ ପୋଲିସ ଶୁକ୍ରବାର ସକାଳେ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହକୁ ଜବତ କରିଛି।ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଜୋର ଚର୍ଚ୍ଚା ଚାଲିଛି।ଏହାକୁ ନେଇ ଲୋକମାନେ ନାନା କଥା ଆଲୋଚନା କରୁଛନ୍ତି। ତେବେ ମହିଳାଙ୍କୁ କେହି ହତ୍ୟାକରି ପଲିଥିନରେ ଗୁଡ଼ାଇ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ତିହିଡି ଥାନା ଆଇଆଇସି ଲୋପାମୁଦ୍ରା ନାୟକ, ଏସ ଆଇ ପ୍ରକାଶ ନାୟକ,ଏ ଏସ ଆଇ କୁମୁଦିନୀ ବେହେରା ସନ୍ଧାନୀ କୁକୁର ଓ ସାଇଂଟିଫିକ ଟିମ ଘଟଣା ସ୍ଥଳକୁଯାଇ ତଦନ୍ତ କରି ଫେରିଥିବା ଜଣାଯାଇଛି। ଘଟଣାରୁ ଜଣାଯାଇଛି ଯେ, ରେବ ନଈକୂଳରେ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବା କେତେକ ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ସେମାନେ ତିହିଡି଼ ପୋଲିସକୁ ଖବର ଦେଇଥିଲେ । ପରେପରେ ଏହି ଖବର ପ୍ରଚାରିତ ହୋଇଯିବାରୁ ଆଖପାଖ ଅଂଚଳର ବହୁ ଲୋକ ନଈକୂଳରେ ପହଂଚି ଯାଇଥିଲେ । ତହସିଲଦାର ସୁବାଶିଷ ସାହୁ ମାଜିଷ୍ଟ୍ରେଟ ଭାବେ ଏବଂ ଚାନ୍ଦବାଲି ଏସଡିପିଓ ପ୍ରଭାସ କୁମାର ସାହୁ ଘଟଣାସ୍ଥଳରେ ପହଂଚିଥିଲେ । ତଦନ୍ତ ସମୟରେ ମୃତା ମହିଳାଙ୍କ ହାତରେ ଲଭ ଚିହ୍ନ ଟାଟୁ ଥିବା, ଗୋଟିଏ ବାହୁରେ ବ୍ରତ ବନ୍ଧାଥିବା ଅନ୍ୟ ହାତରେ ନାଲିରଙ୍ଗ ସୂତାରେ ହନୁମାନ ଏବଂ ଓଁ ଲକେଟ, ଆଙ୍ଗୁଳିରେ ଲଭ ଚିହ୍ନର ମୁଦି, ବେକରେ କଳା ଓ ନାଲି ସୂତାରେ କଉଡ଼ି ଓ ସେଫଟିପିନ, ପାଦରେ ପାଉଁଜି ପରିବର୍ତେ କଳାରଙ୍ଗର ମାଳି ଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି।ମହିଳାଙ୍କ ମୃତଦେହ ଚିହ୍ନଟ ନହେବାପର୍ଯ୍ୟନ୍ତ ପୋଲିସର ତଦନ୍ତ ଆଗକୁ ଯାଇପାରିବ ନାହିଁ ବୋଲି ଆଇଆଇସି ନାୟକ ସୂଚନା ଦେଇଛନ୍ତି।ନଈକୂଳ ପାର୍ଶ୍ୱରେ ଥିବା ରାସ୍ତା ବ୍ୟସ୍ତବହୁଳ ହୋଇଥିବା ବେଳେ ସେଠାରେ କେତେକ ମଦ୍ୟପଙ୍କ ଆଡ୍ଡାସ୍ଥଳ ପାଲଟିଥିବା ଏବଂ ସ୍ଥାନୀୟ ଅଂଚଳରେ ବ୍ୟାପକ ଚୋରା ମଦ କାରବାର ଚାଲିଥିବା ସମିତିସଭ୍ୟ ଜୟପ୍ରକାଶ ମଳିକ, ପୂର୍ବତନ ସରପଂଚ ଶଶଧର ସାମଲ ପ୍ରମୁଖ ଅଭିଯୋଗ କରିଛନ୍ତି । ମହିଳାଙ୍କ ପରିଚୟ ମିଳି ନଥିବା ବେଳେ ଏହି ଘଟଣାରର ପୋଲିସ ଏକ ମକଦ୍ଦମା ରୁଜୁକରି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିବା ଜଣାଯାଇଛି।