Odiapua.com

ଧେର୍ଯ୍ୟ ହରାଇ ନାହାନ୍ତି ରୀତା : ସାଜିଛନ୍ତି ଅସହାୟ ମହିଳାଙ୍କ ପାଇଁ ଉଦାହରଣ

ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବହୁ ପ୍ରତିକଳ ପରିସ୍ଥିତିରେ ଧର୍ଯ୍ୟ ହରାଇ ନାହାନ୍ତି ରୀତାରାଣୀ ମଲ୍ଲିକ । ଜଣେ ମହିଳା ହୋଇ ମଧ୍ୟ ଏକାକୀ ସଂଗ୍ରାମ ଜାରୀ ରଖିଛନ୍ତି । କେବଳ ଲକ୍ଷ୍ୟ ଗୋଟିଏ । ନିଜର ଦୁଇ ଝିଅଙ୍କ ପାଇଁ କିଛି ବି ଅଭାବ ରଖିବେନି । ସେମାନଙ୍କୁ ପାଠ ପଢ଼ାଇ ମଣିଷ କରିବେ । ସମାଜରେ ପ୍ରତିଷ୍ଠିତ କରାଇବେ । ରିତାଙ୍କ ଘର ଭଦ୍ରକ ସହର ନିକଟସ୍ଥ ଗେଲପୁର ଗ୍ରାମରେ । ୨୦୦୭ ମସିହାରେ ତାଙ୍କର ବିବାହ ହୋଇଥିଲା ତିହିଡ଼ି ବ୍ଲକ ବାରିକପୁର ଗ୍ରାମରେ ଶ୍ରୀଧର ମଲ୍ଲିକଙ୍କ ସହିତ । କିନ୍ତୁ ବିବାହ ପରେ ରୀତା ଜାଣିବାକୁ ପାଇଥିଲେଯେ ତାଙ୍କ ସ୍ୱାମୀ ଜଣେ ମଦ୍ୟପ । ବହୁ ଉଦ୍ୟମ କରିଥିଲେ ସ୍ୱାମୀଙ୍କ ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ । କିନ୍ତୁ ପାରିଲେ ନାହିଁ । ବରଂ ପ୍ରତ୍ୟେକ ଦିନ ସ୍ୱାମୀଙ୍କ ନିର୍ଯ୍ୟାତନାର ଶୀକାର ହୋଇ ଚାଲିଲେ । ଶେଷରେ ବାଧ୍ୟ ହୋଇ ନିଜ ଶାଶୂ ଓ ସ୍ୱାମୀଙ୍କୁ ଧରି ଭଦ୍ରକସ୍ଥିତ ନିଜ ବାପ ଘରକୁ ପଳାଇ ଆସିଲେ । ଏତିକିରେ ସ୍ୱାମୀଙ୍କ ମାନସିକତାରେ କିଛି ପରିବର୍ତ୍ତନ ଆସିବ ଭାବିଥିଲେ ତଥାପି ମଧ୍ୟ କୌଣସି ଫଳ ମିଳିନଥିଲା । ଇତିମଧ୍ୟରେ ଶାଶୂ ମୃତ୍ୟୁବରଣ କରିଥିବାବେଳେ, ସ୍ୱାମୀ ଶ୍ରୀଧର ମଧ୍ୟ ନିଜ ଘରକୁ ପଳାଇ ଯାଇଥିଲେ । ଶେଷରେ ରୀତା ବାଧ୍ୟ ହୋଇ ନିଜେ କିଛି କରିବାକୁ ଚାହିଁଲେ । ପ୍ରଥମେ ନିଜ ବାପା ଓ ଭାଇଙ୍କ ସହାୟତାରେ ଗୋଟିଏ ଗାଈ କିଣି କ୍ଷୀର ବ୍ୟବସାୟ ଆରମ୍ଭ କଲେ । ଏବେ ତାଙ୍କ ନିକଟରେ ଅଛି ୯ଟି ଗାଈ । ନିଜେ ଗାଈଙ୍କ ଲାଳନ ପାଳନ କରିବା ସହ ଆରଡ଼ି ଛକ ଅଞ୍ଚଳରେ ବିଭିନ୍ନ ଲୋକଙ୍କ ଘରେ ସକାଳେ ଓ ସଂଧ୍ୟାରେ ସାଇକେଲରେ ବୁଲିବୁଲି କ୍ଷୀର ପହଞ୍ଚାଇ ଥାଆନ୍ତି । ଏଥିରୁ ଆସୁଥିବା ଅର୍ଥରେ ପରିବାର ପ୍ରତିପୋଷଣ କରିବା ସହ ନିଜର ଦୁଇ ଝିଅଙ୍କ ଯତ୍ନ ନେଇଥାଆନ୍ତି । ସମୟଚକ୍ରରେ ପରିବାର ଠାରୁ ଦୂରେଇ ଯାଇଥିବା ରୀତା ଏବେ ମଧ୍ୟ ନିଜର ସଂଘର୍ଷ ଜାରୀ ରଖିଛନ୍ତି । ପୂର୍ବରୁ ସରକାରଙ୍କ ଗୁହାଳ ଯୋଜନାରେ ଗୁହାଳ ଖଣ୍ଡେ ପାଇଁ ଆବେଦନ କରିଥିଲେ । ମୋ କୁଡ଼ିଆ ଘର ଖଣ୍ଡେ ପାଇଁ ମଧ୍ୟ ଆବେଦନ କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କୁ ଏସବୁ କିଛି ମିଳିପାରିନି । ତଥାପି ଜୀବନ ଯୁଦ୍ଧରେ ହାରି ନଯାଇ ଏକାକୀ କିଛି କରି ଚାଲିଛନ୍ତି । ତେବେ ବିଭିନ୍ନ ସାମାଜିକ ଓ ପାରିବାରିକ କାରଣ ପାଇଁ ଅସହାୟ ଜୀବନ ଅତିବାହିତ କରୁଥିବା ମହିଳାମାନଙ୍କ ପାଇଁ ରୀତା ଏବେ ପ୍ରେରଣା ସାଜିଛନ୍ତି ।