Odiapua.com

ଧୂଷୁରୀ ବଜାରରେ ଉଚ୍ଛେଦ ନୋଟିସ, ୨୨୦ ବ୍ୟବସାୟୀଙ୍କ ଜୀବିକା ସଙ୍କଟରେ

ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଧୂଷୁରୀ ବଜାରରେ ସରକାରୀ ଜମିରୁ ବେଆଇନ ଦଖଲ ଉଚ୍ଛେଦ ପାଇଁ ଧାମନଗର ତହସିଲ ପକ୍ଷରୁ ଜାରି ହୋଇଥିବା ଶେଷ ନୋଟିସକୁ ନେଇ ସମଗ୍ର ଅଂଚଳରେ ଅସନ୍ତୋଷ ତୀବ୍ର ହୋଇଛି। ପ୍ରାୟ ୨୨୦ ଜଣ ଛୋଟ ଓ ମଧ୍ୟମ ବ୍ୟବସାୟୀ ଏହି ନୋଟିସ ଯୋଗୁଁ ପ୍ରଭାବିତ ହେବାକୁ ଥିବାବେଳେ, ସେମାନଙ୍କ ଜୀବିକା ଏବଂ ହଜାରରୁ ଅଧିକ ପରିବାରର ଭବିଷ୍ୟତକୁ ନେଇ ଚିନ୍ତା ବଢ଼ିଛି। ବ୍ୟବସାୟୀମାନେ ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇବା ସହ ଉଚ୍ଛେଦ ପ୍ରକ୍ରିୟାରେ ପାତରଅନ୍ତର ଓ ରାଜନୈତିକ ପକ୍ଷପାତିତାର ସଙ୍ଗିନ ଅଭିଯୋଗ ଆଣିଛନ୍ତି। ଧୂଷୁରୀ ଥାନା ଅନ୍ତର୍ଗତ ନରସିଂହପୁର ମୌଜାର ଖାତା ନମ୍ବର ୮୧୨, ପ୍ଲଟ ନମ୍ବର ୧୮୭୪ରେ ଥିବା ସରକାରୀ ଜମିରେ ଗଢ଼ିଉଠିଥିବା କେବିନ ଓ ଅସ୍ଥାୟୀ ଦୋକାନ ହଟାଇବା ପାଇଁ ଫର୍ମ ‘ଖ’ର ୭(୧) ଧାରା ଅନୁଯାୟୀ ନୋଟିସ ଜାରି କରାଯାଇଛି। ନୋଟିସରେ ୩୦ ଦିନ ମଧ୍ୟରେ ନିଜ ଖର୍ଚ୍ଚରେ ଦୋକାନ ହଟାଇବାକୁ କୁହାଯାଇଥିବା ବେଳେ, ତାହା ନକଲେ ପ୍ରଶାସନ ପକ୍ଷରୁ ବଳପୂର୍ବକ ଉଚ୍ଛେଦ କରାଯିବ ବୋଲି ସ୍ପଷ୍ଟ କରାଯାଇଛି। ବ୍ୟବସାୟୀଙ୍କ କହିବା ଅନୁଯାୟୀ, ଧୂଷୁରୀ ବଜାର ଉପରେ ହରିହଂଶ, ଓଲଟପୁର, ଧୂଷୁରୀ, ନରସିଂହପୁର, ବାହାରବିଲି, ବ୍ରାହ୍ମଣପାଳ ଓ ଡକାସାହି ସମେତ ପ୍ରାୟ ୭ରୁ ୮ଟି ପଂଚାୟତର ଲୋକ ଜୀବିକା ପାଇଁ ନିର୍ଭର କରୁଛନ୍ତି। ପ୍ରାୟ ୧୦୦୦ରୁ ଅଧିକ ଲୋକଙ୍କ ଜୀବିକା ଏହି ବଜାର ସହ ଜଡ଼ିତ ଥିବାବେଳେ, ପୁନର୍ବାସ କିମ୍ବା ବିକଳ୍ପ ସ୍ଥାନ ସମ୍ପର୍କରେ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟ ଯୋଜନା ଘୋଷଣା ହୋଇନାହିଁ। ଅଭିଯୋଗ ଯେ, ବିଜୁ ପଟ୍ଟନାୟକ ଷ୍ଟାଚ୍ୟୁ ଓ ହନୁମାନ ମନ୍ଦିରଠାରୁ ବଜାର ଛକ ହୋଇ ଥାନା ରାସ୍ତା ପର୍ଯ୍ୟନ୍ତ ଥିବା ଦୋକାନ ଗୁଡ଼ିକୁ ନୋଟିସ ଦିଆଯାଇଥିବା ବେଳେ, ହାଇସ୍କୁଲ ପର୍ଯ୍ୟନ୍ତ ଥିବା ଅନ୍ୟାନ୍ୟ ଦୋକାନକୁ ବାଦ ଦିଆଯାଇଛି। ଏହାକୁ ନେଇ ଉଚ୍ଛେଦ ପ୍ରକ୍ରିୟାରେ ସମାନ ନୀତି ଅନୁସରଣ କରାଯାଇ ନଥିବାର ଅଭିଯୋଗ ଉଠିଛି। ବ୍ୟବସାୟୀମାନେ ଏହା ମଧ୍ୟ କହିଛନ୍ତି ଯେ, ନୋଟିସ ବଂଟସମୟରେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କ ଭୂମିକା ସ୍ପଷ୍ଟ ନଥିଲା ଏବଂ ତହସିଲ କାର୍ଯ୍ୟାଳୟରୁ ସିଧାସଳଖ କର୍ମଚାରୀ ଆସି ନୋଟିସ ବଂଟନ କରିଥିଲେ।ବ୍ୟବସାୟୀ ସଂଘ ସ୍ପଷ୍ଟ କରିଛି ଯେ, ଯଦି ପୁନର୍ବାସ ବ୍ୟବସ୍ଥା ଓ ସମାନ ନୀତିରେ ଉଚ୍ଛେଦ ପ୍ରକ୍ରିୟା କରାନଯାଏ, ତେବେ ୭-୮ ଟି ପଂଚାୟତର ବ୍ୟବସାୟୀ ଓ ସାଧାରଣ ଲୋକଙ୍କୁ ନେଇ ବ୍ୟାପକ ଗଣଆନ୍ଦୋଳନ ଆରମ୍ଭ କରାଯିବ।