Odiapua.com

ଧୂଳିଆ ଦଣ୍ଡରେ ଦୁଲୁକୁଛି ରଣପୁର ବଡ଼ଦାଣ୍ଡ

ନୟାଗଡ଼ ୧୦/୦୪ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ଼ ଜିଲ୍ଲା ରଣପୁର ଅଂଚଳ ଏକ ଶାକ୍ତ ପୀଠ ଭାବରେ ପରିଚିତ। ପ୍ରତିବର୍ଷ ରାଜା ରାଜୁଡା ଅମଳରୁ ଏଠାରେ ୨୭ କୋଠୀରେ ଦଣ୍ଡ ଯାତ୍ରା ଅନୁଷ୍ଠିତ ହେଉଅଛି। ସେହି ଦଣ୍ଡ ଯାତ୍ରାର ଏକ ବିଶେଷ ଯାତ୍ରା ହେଉଛି ଧୂଳି ଦଣ୍ଡ। ଗତ ୨ ବର୍ଷ ଧରି କୋଭିଡ୍ କଟକଣା ଯୋଗୁଁ ଦଣ୍ଡ ଯାତ୍ରା ବନ୍ଦ ଥିଲା। କିନ୍ତୁ ଚଳିତ ବର୍ଷ ଧୁମଧାମ୍ ରେ ଦଣ୍ଡ ଯାତ୍ରା ଅନୁଷ୍ଠିତ ହେଉଅଛି। ବାବା ଚଣ୍ଡେଶ୍ୱର, ବାବା ସ୍ୱପ୍ନେଶ୍ୱର, ଲତାର ବାଲୁଙ୍କେଶ୍ୱର, ନିଳକଣ୍ଠେଶ୍ୱର, ବାବା କମଳେଶ୍ୱର ଆଦି ସମସ୍ତ କୋଠୀ ରେ ଶିବ ପୁରାଣ ଓ ମହିମା କୁ ଆଧାର କରି ରାତ୍ରି ସାରା ବିଭିନ୍ନ ଶ୍ରଦ୍ଧାଳୁ ଭକ୍ତଙ୍କ ଦୁଆରେ ହଳି ନାଚ ଓ ଶୁଆଙ୍ଗ ହୋଇଥାଏ।

ନୃତ୍ୟ ସରିବା ବେଳକୁ ଶହ ଶହ ଲୋକଙ୍କ ମେଳରେ ଆରମ୍ଭ ହୋଇଥାଏ ଧୂଳିଦଣ୍ଡ। ସକାଳର କଅଁଳିଆ ଖରା ଓ ଦାଣ୍ଡର ଧୂଳିରେ ରାତ୍ରିସାରା ଉଜାଗର ରହିଥିବା ଦଣ୍ଡୁଆ ଓ ନୃତ୍ୟ ଦଳ ଶିବ ମହିମା ଗାନ କରି ନୃତ୍ୟ କରି ଗାଁ ଦାଣ୍ଡ ଓ ବଡଦାଣ୍ଡ ରେ ଶିବ ମହିମାର ଏକ ମହୋଲ ସୃଷ୍ଟି କରିଥାନ୍ତି। ଏହି ଧୂଳିଦଣ୍ଡ ନୃତ୍ୟ ଦର୍ଶନ କଲେ ଅନେକ ପୁଣ୍ୟ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଧୂଳିଦଣ୍ଡ ନୃତ୍ୟ ରେ ରଣପୁର ବଡଦାଣ୍ଡ ଓ ଗାଁ ଦାଣ୍ଡ ଦୁଲୁକୁଥିବା ଦେଖିବାକୁ ମିଳୁଛି। ଏହିପରି ମେରୁ ଉପବାସ ଦିନ ପର୍ଯ୍ୟନ୍ତ ଚାଲିବ।