Odiapua.com

 ଧିମେଇ ଚାଲିଛି ଜୁନାଗଡ ତହସିଲ, ତିନି ବର୍ଷ ହେବ ଗରିବଙ୍କ ଡିମାରକେସନ ହୋଇପାରୁନାହିଁ


କଳାହାଣ୍ଡି, ତା.୦୩.୦୧.୨୦୨୧ ( ଓଡିଆପୁଅ) ଜନସାଧାରଣଙ୍କ ସୁବିଧା ପାଇଁ ସରକାର ଅନେକ ଯୋଜନା କରିବା ସହିତ ମୋ ସରକାର ଯୋଜନା ମାଧ୍ୟମରେ ତୁରନ୍ତ ନ୍ୟାୟ ପ୍ରଦାନ କରିବାର ବ୍ୟବସ୍ଥା କରିଛନ୍ତି । ତଥାପି ମଧ୍ୟ କଳାହାଣ୍ଡି ଜିଲ୍ଲାର ଜୁନାଗଡ ତହସିଲ ଅଦ୍ୟାବଧି ଧିମେଇ ଚାଲିଥିବାର ଏକ ନଗ୍ନ ନମୁନା ପଦାକୁ ଆସିଛି ।
ହାବସପୁର ଆରଆଇ ସର୍କଲ ର ଅନ୍ତର୍ଲା ମୌଜାର ଜଣେ ଗରିବ ପ୍ରଜା ଲବ ପାତ୍ର ନିଜ ପୈତୃକ ଘରଡିହର ସରଜମିନ ତଦନ୍ତ ( ଡିମାରକେସନ) କରିବା ପାଇଁ ଗତ ୨୦୧୭ ମସିହାରେ ଜୁନାଗଡ ତହସିଲରେ ଆବେଦନ କରିଥିବା ବେଳେ ତହସିଲ ପକ୍ଷରୁ ହାବସପୁର ଆରଆଇଙ୍କୁ ପତ୍ର ସଂଖ୍ୟା ୧୨୭ ତା.୧୯.୦୧.୨୦୧୮ ଓ ଚିଲିଗୁଡା ପୋଲିସକୁ ପତ୍ର ସଂଖ୍ୟା ୧୨୮ ତା.୧୯.୦୧.୨୦୧୮ ଅନୁଯାୟୀ ଡିମାରକେସନ ପାଇଁ ଏକ ପତ୍ର ଲେଖିଦେଇ ଚୁପ ରହିଯାଇଥିବା ଜଣାପଡିଛି । ଏଥିପାଇଁ ଆବେଦନକାରୀ ବାରମ୍ବାର ଜୁନାଗଡ ତହସିଲ ଅଫିସରେ ଲିଖିତ ଅଭିଯୋଗ କରୁଥିଲେହେଁ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ ହେଉଛି ।
ଅନ୍ୟ ପକ୍ଷରେ ସଂପୃକ୍ତ ଆବେଦନକାରୀ ପ୍ରଜାଙ୍କ ଘର ଡିହ ପାଖରେ ଆୱାସ ଯୋଜନାରେ ସରକାରୀ ଅନୁଦାନ ପ୍ରାପ୍ତ ଘର ନିର୍ମାଣ ପାଇଁ ନିକଟସ୍ଥ ବେସରକାରୀ ଓ ସରକାରୀ ଜମିରେ ଘର ନିର୍ମାଣ ପାଇଁ ରାଜସ୍ୱ ବିଭାଗ ପଦାଧିକାରୀ ନକସା ଯୋଗାଇଥିବା ବେଳେ ଉକ୍ତ ଡିମାରକେସନ ହୋଇପାରୁନଥିବା ଜଣାପଡିଛି । ଏହା ବ୍ୟତୀତ ଆର୍ଥିକ ପ୍ରଭାବଶାଳୀ ବ୍ୟକ୍ତି ମାନଙ୍କୁ ସୁହାଇବା ଭଲି ଅନ୍ୟର ଜମିକୁ ସେମାନଙ୍କ ଜବରଦଖଲ ଦର୍ଶାଇବା ପାଇଁ ହାବସପୁର ଆରଆଇ ତଥା ଜୁନାଗଡ ତହସିଲଦାର ସଦଳବଳ ଡିମାରକେସନ ପାଇଁ ତୁରନ୍ତ ଯାଉଥିବା ଉଦାହରଣ ମାନ ରହିଛି ।
ଦୁର୍ନୀତିମୁକ୍ତ ମୋସରକାର ଯୋଜନା ଭଲି ଅନେକ ଲୋକପ୍ରିୟ ଯୋଜନା ପ୍ରଣୟନ କରାଯାଉଥିବା ବେଳେ ଏଭଲି ଭାବେ ଗରିବ ଜନସାଧାରଣଙ୍କ ନିଜସ୍ୱ ପୈତୃକ ଜମିର ଡିମାରକେସନ କରାଯିବା ପାଇଁ ତିନିବର୍ଷରୁ ଅଧିକ ସମୟ ଲାଗିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି ।