Odiapua.com

ଧାମରା ଶିଳ୍ପପାର୍କ ପାଇଁ ଜାଗୁଳା ଠାରେ ଜନଶୁଣାଣୀ

ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ନିକଟସ୍ଥ ଜାଗୁଳା ପଂଚାୟତ ବଳଭଦ୍ରପସାଦ ଠାରେ ଶିଳ୍ପପାର୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ ପ୍ରଥମ ପର୍ଯ୍ୟାୟରେ ଧାମରା ଅଂଚଳରେ ଶିଳ୍ପପାର୍କ ପାଇଁ ୪ଟି ରାଜସ୍ୱ ଗ୍ରାମରୁ ୧୧ଶହ ଏକର ଜମିର ଆବଶ୍ୟକତା ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୧୨ଟି ମୌଜାରୁ ୨୯ଶହ ଏକର ଜମିର ଆବଶ୍ୟକତା ଅଛି । ଏଥିସହ ୪ଶହ ଏକର ସରକାରୀ ଜମି ମଧ୍ୟ ଏହି ଶିଳ୍ପପାର୍କ ପାଇଁ ଅଧିଗ୍ରହଣ କରାଯିବ । ଏହିପରି ସର୍ବମୋଟ ୪ହଜାର ୪ଶହ ଏକର ସ୍ଥାବର ଅସ୍ଥାବର ସମ୍ପତି ସହ ସରକାରୀ ଜମିର ଆବଶ୍ୟକତା ଅଛି । ଆଜି ହୋଇଥିବା ଜନଶୁଣାଣୀ ରେ ଭଦ୍ରକିଲ୍ଲାର ଉପଜିଲ୍ଲାପାଳ ମନ୍ଧେକ୍ସ ପାତ୍ର ସଭାପତିତ୍ୱ କରିଥିବା ବେଳେ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ କାର୍ତିକ ନାଥ ମଣ୍ଡଳ ରାଜ୍ୟ ସରକାରଙ୍କ ପୁନଃବାସ ଓ ଥଇଥାନ ନୀତି ବିଷୟରେ ସମସ୍ତଙ୍କୁ ଅଭଗତ କରାଇଥିଲେ । ୧୧(କ) ଧାରା ଅନୁଯାୟୀ ସମସ୍ତ ଜମିହରା ଭାଗଚାଷୀ ମାନଙ୍କୁ ସଠିକ ଭାବେ ଚିହ୍ନଟ କରାଯାଇ ସେମାନଙ୍କ ପାଖରୁ ଜମି ଅଧୁଗ୍ରହଣ କରାଯିବା ସହ ସେମାନଙ୍କୁ ଆଇନ ଅନୁଯାୟୀ କ୍ଷତିପୂରଣ ଦିଆଯିବ ବୋଲି ମଧ୍ୟ ନିଜର ବକ୍ତବ୍ୟ ରଖିଥିଲେ । ଜାଗୁଳା ପଂଚାୟତର ସରପଂଚ ସୁରେଶ ସେଠୀ ଧାମରା ଅଂଚଳର ଏକ ମେଡିକାଲ ଖୋଲିବା ସହ ଏକ ଖେଳପଡିଆ, ପାଣି ନିଷ୍କାସନ ନାଳର ପୁନଃରୁଦ୍ଧାର କରିବାକୁ ଦାବୀ ରଖିଥିବା ବେଳେ ଧାମରା ଜୋନ ର ଜିଲ୍ଲା ପରିଷଦ ବଳଭଦ୍ର ଲେଙ୍କା ସମସ୍ତ ଭାଗଚାଷୀ ମାନଙ୍କୁ ନ୍ୟାୟ ମିଳିବାର ପ୍ରତିଶ୍ରୁତି ଦେଇଥିଲେ । ଜାଗୁଳା ସମିତିସଭ୍ୟା ସଞୁକ୍ତା ଦାସ ନିଜ ଅଂଚଳର ଉନ୍ନତି କରିବା ପାଇଂ ସରକାର ପ୍ରଥମେ ଜନସାଧାରଣଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେବାକୁ ଦାବୀ ରଖିବା ସହ ବାସଚ୍ୟୁତ ଲୋକଙ୍କୁ ସଂପୂର୍ଣ୍ଣ ଥଇଥାନ କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବୀ ରଖିବା ସହ ସରକାରଙ୍କ ଧାର୍ଯ୍ୟ ନିତି ଅନୁଯାୟୀ ଏକ କାଳୀନ ଭାବେ ସଂପୂର୍ଣ ଦେୟ ବାସଚ୍ୟୁତ ଏବଂ ଜମିହରା ମାନଙ୍କୁ ଦେବାକୁ ମଧ୍ୟ ପ୍ରସ୍ଥାବ ଦେଇଥିଲେ । ଆଜିର ଏହି ଜନଶୁଣାଣୀ ରେ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ କାର୍ତକ ନାଥ ମଣ୍ଡଳ , ଉପ ଜିଲ୍ଲାପାଳ ମନୋଜ ପାତ୍ର, ଇଣ୍ଡର୍ଷ୍ଟ୍ରିଆଲ ପାର୍କ ପ୍ରୋଜେକ୍ଟ ର ସୁବ୍ରତ ସ୍ୱାଇଁ, ଅଜିତ ରଥ, ଲୋକନାଥ ବିଶ୍ୱାଳ ପ୍ରମୁଖ ଜିଲ୍ଲା ପ୍ରଶାସନ ତରଫରୁ ଅଂଶ ଗ୍ରହଣ କରିଥିବା ବେଳେ ଧାମରା ଜୋନର ଜିଲ୍ଲା ପରିଷଦ ବଳଭଦ୍ର ଲେଙ୍କା, ଜାଗୁଳା ସରପଂଚ ସୁରେଶ ସେଠୀ,ସମିତିସଭ୍ୟା ସଂଯୁକ୍ତା ଦାସଚାନ୍ଦବାଲି ଅତିରିକ୍ତ ତହସିଲଦାର ଠାକୁର ଦାସ ନାୟକ ଙ୍କ ସମେତ ଶତାଧିକ ଜନସାଧାରଣ ,ଜମି ହରାଉଥିବା ଜନତା, ବାସଚ୍ୟୁତ ହେଇଥିବା ଜନତା ମଧ୍ୟ ଏହି ଜନଶୁଣାଣୀରେ ଅଂଶ ଗ୍ରହଣ କରିଥିଲେ ।