ଭଦ୍ରକ, ୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -୨୦୨୧ ମସିହାରେ ଏକ ବେସରକାରୀ ସଂସ୍ଥାର ସର୍ଭେ ଅନୁଯାଇ ଧାମରା ରାଜସ୍ୱ ନିରୀକ୍ଷକଙ୍କ ଅଧିନରେ ଥିବା ଧାମରା,ଜାଗୁଳା, ଦୋସିଙ୍ଗା ପଂଚାୟତର ୨୫ଟି ରାଜସ୍ୱ ଗ୍ରାମ ଏବଂ ୧୫ରୁ ଅଧିକ ପଡା ଗ୍ରାମ ସହ କଇଥଖୋଲା ପଂଚାୟତର ୧୧ଟି ରାଜସ୍ୱ ଗ୍ରାମ ୧୦ଟି ପଡା ଗ୍ରାମ ,ଏଥିସହ ୩ଟି ପଂଚାୟତର ୨୦ହଜାର ଏକର ଏବଂ କଇଥଖୋଲା ପଂଚାୟତ ତଥା ରାଜସ୍ୱ ନିରୀକ୍ଷକଙ୍କ ଅଧିନରେ ଥିବା ୬ହଜାର ଏକର ଜମି ଏବଂ ଧାମରା ବନ୍ଦର ଉପରେ ଏହି ସର୍ଭେ ହେବା ସହ ଏହାର ଚୁଡାନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ କୁ ଦିଆଯିବା ପରେ ୨୦୨୪ ମାର୍ଚ୍ଚ ମାସରେ ବିଜେଡି ସରକାର ଭଦ୍ରକ ଜିଲ୍ଲାର ଧାମରାକୁ ନୂତନ ବିଜ୍ଞାପିତ ଅଂଚଳ ପରିଷଦ ଭାବେ ଘୋଷଣା କରିଥିଲେ। ମାତ୍ର ବିଜେପି ସରକାର ରାଜ୍ୟର କ୍ଷମତାକୁ ଆସିବା ପରେ ୨୦୨୫ ଅଗଷ୍ଟ ୧୭ ତାରିଖରେ ରାଜ୍ୟରେ ୧୨ଟି ନୂଆ ବିଜ୍ଞାପିତ ଅଂଚଳ ପରିଷଦ ଗଠନ କରାଯାଇଥିବା ନେଇ ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠା ଓ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲାର ଧାମରାକୁ ବାଦ ଦିଆଯାଇଥିଲା। ଧାମରା ଭାରତର ଦ୍ୱିତୀୟ ବୃହତମ ବନ୍ଦର ର ମାନ୍ୟତା ପାଇଥିବା ବେଳେ ଧାମରା ଅଂଚଳର ଜନସାଧାରଣଙ୍କ ଦାବୀ, କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା, ବିକାଶ ଓ ଅଥନୈତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ବିଜେଡି ସରକାର ଧାମରାକୁ ଏନଏସି ଘୋଷଣା କରିବା ପରେ ପ୍ରକୃତରେ ଧାମରା ଅଂଚଳର ବିକାଶ ହୋଇ ପାରିବ କି। ଆଜି ଭଳି ଦିନରେ ଧାମରାରେ ଜନସଂଖ୍ୟା ଦୃଷ୍ଟିରୁ ଧାମରା( ଡିଆଇ) ରୋଡରେ ଏକ ଓଭରବ୍ରିଜ ର ନିର୍ମାଣ ନିହାତି ଜରୁରୀ ଥିବା ବେଳେ ଆଦାନୀ କର୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଏଥିସହ ଧାମରା, କଇଥଖୋଲ ଏବଂ ଦୋସିଙ୍ଗା ପଂଚାୟତରେ ମୌଳିକ ସମସ୍ୟା କହିଲେ ଶିକ୍ଷା, ଗମନା ଗମନ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବହୁତ ପଛୁଆ ଅଛି। ଏହି ପଂଚାୟତ ମାନଙ୍କରେ ସରକାରୀ ଜାଗାକୁ ଜବର ଦଖଲ କରିବା ସହ ନାଳ ନଦ୍ଦର୍ମାକୁ ମଧ୍ୟ ନିଜ ଅକ୍ତିଆର ନେବାକୁ ପଛାଉ ନାହାନ୍ତି। ଅନ୍ୟ ପକ୍ଷରେ ପାନୀୟ ପାଇପ ଜଳ ସମସ୍ୟା, ଚାଷ ଜମିକୁ ଜଳ ଯୋଗାଣ ,ଜଳ ନିଷ୍କାସନ,ମେଡିକାଲରେ ନୂତନ ଗୃହ ନିର୍ମାଣ ହେଉଥିବା ବେଳେ ଏମବିବିଏସ ଡାକ୍ତର ଅଭାବ ସାଙ୍ଗକୁ ନର୍ସ ମାନଙ୍କୁ ନେଇ ରୋଗୀ ସେବା, ବିଦ୍ୟାଳୟ ମାନଙ୍କରେ ଶିକ୍ଷକ ସମସ୍ୟା,ଅଙ୍ଗନବାଡି ମାନଙ୍କରେ ନିଜସ୍ୱ ଗୃହ ବ୍ୟବସ୍ଥା, ଧାମରା ସଦର ମହକୁମାରୁ ଚାନ୍ଦବାଲି କୁ ଯାତାୟତ ପାଇଁ ଚୌଧୁରୀ ଘାଟ ଠାରେ ମନ୍ତେଇ ନଦୀରେ ଏକ ପୋଲ ନିର୍ମାଣ , ଧାମରା ରେ ୯ କୋଟି ବ୍ୟୟ ଅଟକଳରେ ହୋଇଥିବା ବସଷ୍ଟାଣ୍ଡକୁ କୌଣସି ବସ ଯାତାୟତ ନକରିବା, ସରକାରୀ ଜମି ଥିବା ସତ୍ୱେ ଭେଣ୍ଡିଂ ଜୋନ ନଥିବାରୁ ଦୈନଦିନ ଫୁଟପାଥରେ ବସି ବେପାର କରିଥିବା ଉଠା ଦୋକାନୀ ମାନଙ୍କୁ ଥଇଥାନ ଭଳି ମୌଳିକ ସମସ୍ୟାର ସମାଧାନ କରି ପାରୁ ନଥିବା ରାଜ୍ୟ ସରକାର କଣ ସାଧାରଣ ଜନତାଙ୍କୁ ଶୋଷଣ କରି ଟିକସ ଟଙ୍କାରେ ଏନଏସି ଘୋଷଣା କରିବା କେତେଦୂର ଯୁକ୍ତି ଯୁକ୍ତ ତାହା ସାଧାରଣରେ ଚର୍ଚ୍ଚା ଚାଲିଛି। ତୁରନ୍ତ ଧାମରା ଅଂଚଳରେ ଥିବା ମୌଳିକ ସମସ୍ୟା ପ୍ରତି ରାଜ୍ୟ ସରକାର ଏବଂ ଆଦାନୀ କର୍ତୁପକ୍ଷ ଦୃଷ୍ଟି ଦେଲେ ସମସ୍ତ ସମସ୍ୟାର ସମାଧାନ ହୋଇ ପାରନ୍ତା ବୋଲି ଅଂଚଳବାସୀ ଦାବୀ ଜଣାଇଛନ୍ତି।