Odiapua.com

ଧାମରା ରେ ୫-ଟି ବାଟବଣା, ନିଜର ପ୍ରାପ୍ୟ ନ ପାଇ ବିଦ୍ୟାଳୟରେ ତାଲା ପକାଇଲେ ଠିକାଦାର, ପରୀକ୍ଷା ଦେଇ ନପାରି ଜାଗୁଳା ଜିପି ହାଇସ୍କୁଲ ଆଗରେ ଛାତ୍ରଛାତ୍ରୀଙ୍କ ଧାରଣା, ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଦାବି

ଭଦ୍ରକ, ୧୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ଅଂଚଳରେ ୫-ଟିର ସ୍ୱଚ୍ଛତା ରହିଛି ବୋଲି ସରକାର ଡିଣ୍ଡିମ ପୁଟୁଥିବା ବେଳେ ଏହି ୫ଟି ବିଦ୍ୟାଳୟ କରିଥିବା ଠିକାଦାର ନିଜର ପ୍ରାପ୍ୟ ନପାଇବାରୁ ଆଜି ସେହି ବିଦ୍ୟାଳୟରେ ତାଲା ପକାଇଛନ୍ତି ସଂପୃକ୍ତ ଠିକାଦାର । ପ୍ରାପ୍ତ ଘଟଣାରୁ ଜଣାଯାଇଛି ଧାମରା ନିକଟସ୍ଥ ଜାଗୁଳା ପଂଚାୟତରେ ଥିବା ଜାଗୁଳା ଗ୍ରାମ ପଂଚାୟତ ହାଇସ୍କୁଲ ୨୦୨୨ ମସିହାରେ ୫ଟିରେ ଅର୍ନ୍ତଭୁକ୍ତ ହୋଇଥିଲା । ଏଥି ପାଇଁ ୪୫ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ମଧ୍ୟ ସଂପୃକ୍ତ ବିଦ୍ୟାଳୟକୁ ଆସିଥିଲା । ଏହି ଆର୍ଥିକ ଅନୁଦାନ ଆସିବା ପରେ ସଂପୃକ୍ତ ପ୍ରଧାନ ଶିକ୍ଷକ ଏହି ପାଣ୍ଠିକୁ ଚାନ୍ଦବାଲି ବିଡିଓଙ୍କ ବ୍ୟାଙ୍କ ଆକାଉଂଟକୁ ଟ୍ରାନ୍ସଫର କରି ଦେଇଥିଲେ । ଅନ୍ୟ ପକ୍ଷରେ ଏହି ବିଦ୍ୟାଳୟ ନବ ନିର୍ମାଣ ପାଇଁ ଚାନ୍ଦବାଲି ବିଡିଓ ସଂପୃକ୍ତ ପଂଚାୟତ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀ ଅମୀୟ ପଲେଇଙ୍କ ନାମରେ କାର୍ଯ୍ୟାଦେଶ ଦେଇଥିଲେ । ପରେ ସଂପୃକ୍ତ ଯନ୍ତ୍ରୀ ସେହି ଅଂଚଳର ଜଣେ ଠିକାଦାରଙ୍କୁ ଏହି ବିଦ୍ୟାଳୟ ନିର୍ମାଣ କରିବାକୁ କହିଲେ । ପରେ ସଂପୃକ୍ତ ଠିକାଦାର ଏହି କାର୍ଯ୍ୟ ସଂପୂର୍ଣ୍ଣ ମଧ୍ୟ କରିଥିଲେ । ୨୦୨୨ରେ ଏହି କାର୍ଯ୍ୟ ଆରମ୍ଭ ହୋଇ ଶେଷ ମଧ୍ୟ ହୋଇଥିଲା । ମାତ୍ର ଦୀର୍ଘ ୨ବର୍ଷ ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ସଂପୃକ୍ତ ଠିକାଦାର ନିଜର ପ୍ରାପ୍ୟ ନପାଇବାରୁ ବାଧ୍ୟ ହୋଇ ଆଜି ବିଦ୍ୟାଳୟ ଗେଟରେ ତାଲା ପକାଇ ଦେଇଥିଲେ । ଏହି ବିଦ୍ୟାଳୟରେ ୨ଶହ ଛାତ୍ରଛାତ୍ରୀ ଅଧ୍ୟୟନରତ ।

ସେମାନଙ୍କ ମଧ୍ୟରେ ୯ମ ଶ୍ରେଣୀ୬୧ଜଣ ଏବଂ ୧୦ମ ଶ୍ରେଣୀରେ ୫୯ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଚାଲିଥିବା ବେଳେ ଆଜି ସେମାନେ ପରୀକ୍ଷା ଦେବାକୁ ଆସି ବିଦ୍ୟାଳୟ ଗେଟରେ ତାଲା ପଡିଥିବାରୁ ବାଧ୍ୟ ହୋଇ ସେମାନେ ବିଦ୍ୟାଳୟ ଫାଟକ ଆଗରେ ଧାରଣାରେ ବସିଥିଲେ । ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମଧ୍ୟ ସେମାନଙ୍କ ସହ ସାମିଲ ଥିଲେ । ଦୀର୍ଘ ସମୟ ବସିବା ପରେ ବିଦ୍ୟାଳୟ ଗେଟରେ ତାଲା ଖୋଲାଯାଇଥିଲା । ଫଳରେ ଉପସ୍ଥିତ ଛାତ୍ରଛାତ୍ରୀ ମାନେ ଠିକ ସମୟରେ ପରୀକ୍ଷା ଦେବାରୁ ବଂଚିତ ହୋଇଥିଲେ ମଧ୍ୟ ୧ଘଂଟା ବିଳମ୍ବରେ ପରୀକ୍ଷା ଆରମ୍ଭ ହୋଇଥିଲା । କେଉଁ ପରିସ୍ଥିତିରେ ସଂପୃକ୍ତ ଠିକାଦାର ନିଜର ପ୍ରାପ୍ୟ ପାଇଲେ ନାହିଁ ଏବଂ ଛାତ୍ରଛାତ୍ରୀ ମାନେ ଠିକ ସମୟରେ ପରୀକ୍ଷାରୁ ବଂଚିତ ହେଲେ ଏବଂ କେଉଁଥି ପାଇଁ ସଂପୃକ୍ତ କନିଷ୍ଠଯନ୍ତ୍ରୀ କାର୍ଯ୍ୟ ଠିକ ତଦାରଖ କରି କାହିଁକି ପ୍ରାପ୍ୟ ଦେଲେ ନାହିଁ ତାହାର ଉପଯୁକ୍ତ ତଦନ୍ତ ହେବା ଜରୁରୀ ବୋଲି ଅଂଚଳବାସୀ ଦାବୀ କରିଛନ୍ତି । ଏଥିସହ କାହିଁକି ସଂପୃକ୍ତ କନିଷ୍ଠଯନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆ ନଯିବ ବୋଲି ଅଂଚଳବାସୀ ଦାବୀ ରଖିଛନ୍ତି । ଏହି ପ୍ରଶ୍ନର ଉତର ରଖିବାକୁ ଯାଇ ଚାନ୍ଦବାଲି ବିଡିଓ କୁହନ୍ତି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ତୁରନ୍ତ ଗ୍ରହଣ କରାଯିବା ଏବଂ କେଉଁ ପରିସ୍ଥିତିରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଠିକ୍ ସମୟରେ ପରୀକ୍ଷାରୁ ବଂଚିତ ହେଲେ ତାହାର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।