Odiapua.com

ଧାମରା ରେଳପଥ ଯୋଗୁଁ ଦୁର୍ଦ୍ଦଶାରେ ସାଧାରଣ ଜନତା, କାର୍ଯ୍ୟ ବନ୍ଦ ରଖିବାକୁ ଚାଷୀ ମୂଲିଆ ସଂଘର ଚେତାବନୀ

ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରୁ ଧାମରା ଯାଇଥିବା ରେଳପଥ ପାଇଁ ସ୍ଥାନୀୟ ଲୋକଙ୍କ ଦୁର୍ଦ୍ଦଶା ବଢିଛି । ସେମାନଙ୍କ ସମସ୍ୟା ପ୍ରତି ଆଖି ବୁଜିଦେଇଛନ୍ତି କର୍ତ୍ତୃପକ୍ଷ । ତେଣୁ ଏହି ରେଳପଥ ପାଇଁ ଯେଉଁ ସମସ୍ୟା ଦେଖାଦେଇଛି, ସେଗୁଡିକର ସମାଧାନ ପାଇଁ ଚାଷୀ ମୂଲିଆ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଯଦି ଏ ଦିଗରେ ୭ ଦିନ ମଧ୍ୟରେ କର୍ତ୍ତୃପକ୍ଷ ସମାଧାନର ସୂତ୍ର ବାହାର ନକରନ୍ତି, ସ୍ଥାନୀୟ ଲୋକେ ନୂତନ ଭାବେ ଚାଲିଥିବା ନିର୍ମାଣ କାର୍ଯ୍ୟ ବନ୍ଦ କରିବେ ବୋଲି ସଂଘ ପକ୍ଷରୁ ଭଦ୍ରକ ଜିଲାପାଳ, ଏସ୍‌ପି, ଧାମରା ବନ୍ଦର କର୍ତ୍ତୃପକ୍ଷ, ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀଙ୍କୁ ଅବଗତ କରାଯାଇଛି । ସଂଘର ଜିଲା ସଂପାଦକ ସୁଶାନ୍ତ ଜେନାଙ୍କ କହିବା ଅନୁଯାୟୀ ଏହି ରେଳପଥ ପାଇଁ ସ୍ଥାନୀୟ କେଦାରପୁର ପଞ୍ଚାୟତର ସେରପୁର ଗ୍ରାମବାସୀ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇ ଦେଇଥିଲେ । ନିଜ ମୂଲ୍ୟବାନ ଜମି ମଧ୍ୟ ପ୍ରଶାସନ ଦ୍ୱାରା ବିନା କୌଣସି ପ୍ରତିବନ୍ଧକରେ ଅଧିଗୃହିତ ହୋଇଥିଲା । ଇଚ୍ଛାପୁର-ବାସୁଦେବପୁର ନିକଟରେ ଥିବା ଲେଭେଲ କ୍ରସିଂ ଦେଇ ପ୍ରତ୍ୟହ ଶହ ଶହ ଚାଷୀ, ଛାତ୍ରଛାତ୍ରୀ, ଗ୍ରାମବାସୀ ଯିବାଆସିବା କରିଥାନ୍ତି । ମାତ୍ର ଏଠାରେ ଗୋଟିଏ ଓଭର ବ୍ରିଜ୍ ନିର୍ମାଣ ହେଉନାହିଁ ।

ସଂପୃକ୍ତ ଅଂଚଳ ଅନ୍ଧକାର ରହୁଛି । ଚାଷ ଜମିରୁ ଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନାହିଁ । ଫଳରେ ଚାଷ ପ୍ରତିବର୍ଷ ନଷ୍ଟ ହେଉଛି । ଏକ ଅସ୍ଥାୟୀ ନାଳରେ ଜଳ ନିଷ୍କାସନ ହେବା ଦ୍ୱାରା ନିକଟବର୍ତ୍ତୀ ଗ୍ରାମ ଜଳମଗ୍ନ ହେଉଛି । ସେହିପରି କେଦାରପୁର ପଞ୍ଚାୟତର ୧୪ ନଂ ୱାର୍ଡ ଓ ଗାଜିପୁର ଗ୍ରାମ ରେଳ ଲାଇନ୍ ପାଶ୍ୱର୍ରେ ଅବସ୍ଥିତ । କିନ୍ତୁ ରେଳପଥ ପାଶ୍ୱର୍ ଦେଇ ଯାଇଥିବା କଚ୍ଚା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଲାଣି । ଜରୁରୀ କାଳୀନ ସ୍ଥିତିରେ ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ଗାଡି ମଧ୍ୟ ଗାଁ ମଧ୍ୟକୁ ଆସି ପାରୁନାହିଁ । ଅନୁରୂପ କଂପାନୀ ପକ୍ଷରୁ ନିଯୁକ୍ତି ଦିଆନଯିବାରୁ ସ୍ଥାନୀୟ ଅଂଚଳର ବହୁ ଯୁବକମାନେ ଚୋରା କୋଇଲା କାରବାରରେ ଲିପ୍ତ ରହୁଛନ୍ତି । ପୂର୍ବରୁ ଗୋଟିଏ ରେଳ ଧାରଣା ଥିବାବେଳେ ଏବେ ଏହାର ଦୋହରୀକରଣ କାର୍ଯ୍ୟ ଚାଲିଛି । ହେଲେ ମୂଳ ସମସ୍ୟା ଗୁଡିକ ପ୍ରତି ଧ୍ୟାନ ଦିଆଯାଉନାହିଁ । ତେଣୁ ନୂତନ ନିର୍ମାଣ ସମୟରେ ଆବଶ୍ୟକତା ଅନୁଯାୟୀ ଓଭରବ୍ରିଜ୍‌, ସ୍ଥାୟୀ ପକ୍କା ଡ୍ରେନ୍‌, ସ୍ଲୁଇସ୍ ଫାଟକ, କଲଭର୍ଟ ନିର୍ମାଣ କିରବାକୁ ସଂଘ ଦାବି କରିଛି । ଏହାବ୍ୟତୀତ ଗ୍ରାମବାସୀଙ୍କ ପାଇଁ ଉଦ୍ଦିଷ୍ଟ ରାସ୍ତାର ଉନ୍ନତିକରଣ, ଲେଭେଲ କ୍ରସିଂ ନିକଟରେ ଆଲୋକ ବ୍ୟବସ୍ଥା, ସ୍ଥାନୀୟ ଯୁବକଙ୍କ ନିଯୁକ୍ତି, ଟ୍ରେନ୍‌ରେ କୋଇଲା ଓରଭଲୋଡିଂ ବନ୍ଦ କରିବା ସହିତ ଚାଷୀଙ୍କ ହିତ ପ୍ରତି ଦୃଷ୍ଟି ଦେବାକୁ ସଂଘ ପକ୍ଷରୁ ଦାବି କରାଯାଇଛି । ଏକ ସପ୍ତାହ ମଧ୍ୟରେ ଏ ଦିଗରେ ପଦକ୍ଷେପ ନନେଲେ କାର୍ଯ୍ୟ ବନ୍ଦ କରିବାକୁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।