Odiapua.com

ଧାମରା ରାଜସ୍ୱ ନିରୀକ୍ଷକଙ୍କ ଅଫିସରେ ପଲିଥିନ ବଂଟନକୁ ନେଇ ଗଣ୍ଡଗୋଳ, ଅଧାରୁ ବଂଟନ ବନ୍ଦ,ବିନା ତଦନ୍ତରେ ବଂଟନ ହେଉଛି ପଲିଥିନ, ସାଧାରଣରେ ଅଭିଯୋଗ

ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୟାଶ ସମୟରେ ଧାମରା ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ରାଜସ୍ୱ ନିରୀକ୍ଷକ ମାନେ ପାତର ଅନ୍ତର କରି ପଲିଥିନ ବଂଟନ କରୁଥିବା ଅଭିଯୋଗ ହୋଇଛି ।ଦୀର୍ଘ ୧ମାସ ବିତିଯାଇଥିବା ବେଳେ ୟାଶ କ୍ଷୟକ୍ଷତିରେ ନିଜର ଘର ସଂପୂର୍ଣ ଭାବରେ ହରାଇଥିବା ସାଧାରଣ ଜନତା ଟିଏ ପଲିଥିନ ଟିଏ ପାଉନଥିବା ବେଳେ ଧାମରା ରାଜସ୍ୱ ନିରୀକ୍ଷକଙ୍କ ଅଫିସ ଆଗରେ ୪ଚକିଆ ଗାଡି ନେଇ ପଲିଥିନ ପାଇଁ ଆସୁଥିବା ବଡବଡିଆ ଲୋକଙ୍କୁ ବଂଟନ ହେଉଛି ପଲିଥିନ ।ଏହି ପଲିଥିନ ବଂଟନରେ ବ୍ୟାପକ ଅନିୟମିତତା ଲାଗି ରହିଥିବା ବେଳେ ପ୍ରକୃତ ତଦନ୍ତ କରାଯାଇ ପଲିଥିନ ବଂଟନ କରିବାକୁ ଗତ ୨୨ତାରିଖ କଂଗ୍ରେସ ପକ୍ଷରୁ ଧାମରା ରାଜସ୍ୱ ନିରୀକ୍ଷକଙ୍କ ଅଫିସ ଆଗରେ ଗଣାଧାରଣା ଦିଆଯାଇଥିଲା । ଆଗାମୀ ଦିନରେ ଏହି ତଦନ୍ତରେ କୌଣସି ସମସ୍ୟା ହେବ ନାହିଁ ବୋଲି ମଧ୍ୟ ଚାନ୍ଦବାଲି ତହସିଲ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । ମାତ୍ର ଏହାକୁ ସଂପୂର୍ଣ ଭାବରେ ଅବହେଳା କରି ଆଜି ଧାମରା ରାଜସ୍ୱ ନିରୀକ୍ଷକ ଧାମରା ପଂଚାୟତ ପାଇଁ ପଲିଥିନ ବଂଟନ କରାଯାଉଥିଲା । ମାତ୍ର ପ୍ରଶାସନ ପକ୍ଷରୁ ଥିବା ଲିଷ୍ଟରେ ବ୍ୟାପକ ଅନିୟମିତତା ଅଛି ବୋଲି ଗୋଟିଏ ଦଳ ଅସନ୍ତୋଷ ପ୍ରକାଶ କରିଥିଲା ।ଏ ନେଇ ସଂପୃକ୍ତ ଅଭିଯୋଗ ଆଣିଥିବା ଦଳ ତଦନ୍ତ କରି ପଲିଥିନ ବଂଟନ କରିବାକୁ ଅଡି ବସିଥିଲା । ମାତ୍ର ଏହି କଥାକୁ ନେଇ ଅନ୍ୟ ଦଳର ଲୋକ ଆସି ଅଭିଯୋଗ ଆଣିଥିବା ଦଳର ଲୋକଙ୍କ ଉପରେ ଆକ୍ରମଣ କରିଥିଲେ ।ପରେ ଧାମରା ରାଜସ୍ୱ ନିରୀକ୍ଷକ ଏ ନେଇ ଧାମରା ଥାନାଧିକାରୀଙ୍କୁ ଖବର ଦେଇଥିଲେ । ଧାମରା ଥାନାଧିକାରୀ ଆସି ସଠିକ ଲିଷ୍ଟ ବାହାର କରି ସଂପୃକ୍ତ ଲୋକ ମାନଙ୍କୁ ପଲିଥିନ ବଂଟନ କରିବାକୁ ଆଦେଶ ଦେଇଥିଲେ ।

ପରେ ଗଣ୍ଡଗୋଳର ଆଶଙ୍କା କରି ଧାମରା ରାଜସ୍ୱ ନିରୀକ୍ଷକ ପଲିଥିନ ବଂଟନ ବନ୍ଦ କରି ଦେଇଥିଲେ । ଖବର ଲେଖା ହେବା ପର୍ଯ୍ୟନ୍ତ ଏ ନେଇ ଧାମରା ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣାଯାଇଛି ।ୟାଶ କ୍ଷୟକ୍ଷତିରେ ଧାମରା ରାଜସ୍ୱ ନିରୀକ୍ଷକ ଘରଭଙ୍ଗା ତଦନ୍ତ ଦାୟିତ୍ୱ ପ୍ରଥମେ ଅଂଚଳର ଓାର୍ଡମେମ୍ବର ମାନଙ୍କୁ ଦେଇଥିଲେ । ଏହି ଓାର୍ଡମେମ୍ବର ମାନେ କେବଳ ନିଜ ଲୋକଙ୍କ ଲିଷ୍ଟ ରାଜସ୍ୱ ନିରୀକ୍ଷକଙ୍କୁ ପ୍ରଦାନ କରିଥିଲେ , ଫଳରେ ବହୁ ସାଧାରଣ ଜନତା ଏହି ଲିଷ୍ଟରୁ ବାଦ ପଡିଯାଇଥିଲେ । ପରେ ସଂପୃକ୍ତ ରାଜସ୍ୱ ନିରୀକ୍ଷକ ଅଂଚଳର ଅନ୍ୟ ଜନ ପ୍ରତିନଧି ମାନଙ୍କୁ ପଲିଥିନ ବଂଟନ ପାଇଁ ଟୋକନ ପ୍ରଦାନ କରିଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଛି । କେଉଁ ପରିସ୍ଥିତିରେ ସଂପୃକ୍ତ ରାଜସ୍ୱ ନିରୀକ୍ଷକ ଧାମରା,ଜାଗୁଳା,ଦୋସିଙ୍ଗା ପଂଚାୟତର ଦାୟିତ୍ୱ ନିଜେ ନ ନେଇ ତଦନ୍ତ ଭାର ଅନ୍ୟକୁ ଦେଇ ଏହି ପ୍ରିୟାପ୍ରିତୀ ତୋଷଣ କଲେ ସେ ନେଇ ତଦନ୍ତ ହେବା ଜରୁରୀ ବୋଲି ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଆଗାମୀ ଦିନରେ ଏନେଇ ପୁନଶ୍ଚ ଜନ ଆନ୍ଦୋଳନ ସୃଷ୍ଟି ହେବ ବୋଲି ସାଧାରଣ ଜନତା ଚେତାବନୀ ଦେଇଥିବା ବେଳେ ପଲିଥିନ ବଂଟନରେ ଅନିୟମିତତା ଆଣୁଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସର୍ବସାଧାରଣରେ ଦାବୀ ହୋଇଛି ।