Odiapua.com

ଧାମରା ମନ୍ତେଇ ନଦୀବନ୍ଧରେ ଫାଟ, ଯୁଦ୍ଧକାଳୀନ ଭିତ୍ତିରେ ଟେଣ୍ଡର, ଖୁବ ଶୀଘ୍ର କାର୍ଯ୍ୟାଦେଶ

ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ଥ ମନ୍ତେଇ ନଦୀ ବନ୍ଧ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ।ଚରଦିଆ ପଂଚାୟତରେ ଥିବା ୫କି.ମି ବ୍ୟାପୀ ଲୁଣା ବନ୍ଧରେ କେବଳ ଗୋଟିଏ ଦୁଇଟି ସ୍ଥାନରେ ସବୁ ସମୟରେ ଫାଟ ସୃଷ୍ଟି ହେଉଥିବା ବେଳେ ଏହାର ମଧ୍ୟ ରକ୍ଷଣା ବେକ୍ଷଣ ପ୍ରତି ବିଭାଗୀୟ କର୍ତ୍ତୁପକ୍ଷ ସବୁ ସମୟରେ ନଜରରେ ରଖୁଥିବା କଥା ବିଭାଗୀୟ ଅଧିକାରୀ ମତ ପୋଷଣ କରିଛନ୍ତି । କେଉଁ ପରିସ୍ଥିିତିରେ କନକପଲ୍ଲୀ ନିକଟରେ ଥିବା ନଦୀ ବନ୍ଧରେ ଫାଟ ସୃଷ୍ଟି ହେଉଛି ତାହାର ତଦନ୍ତ ହୋଇ ସାରିଥିବା ବେଳେ ଅଂଚଳବାସୀ କେବଳ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଦୋଷ ଦେଉଥିବା ବେଳେ ପ୍ରକୃତରେ ଏହାର ତଦନ୍ତ ଏକ ରୋଚକ ମୋଟ ନେଇଛି । ଗତ ସେପ୍ଟମ୍ବର ମାସରେ ଜଳସମ୍ପଦ ବିଭାଗର ଯନ୍ତ୍ରୀ ମୁଖ୍ୟ ଆସି ଏହି ସ୍ଥାନ କୁ ଦେଖିଥିଲେ । ଏହି ସମୟରେ ତଦନ୍ତକାରୀ ଦଳ ମଧ୍ୟ ତାଙ୍କ ସହ ସେହି ଅଂଚଳର ୫କି.ମି ବ୍ୟାପୀ ସଂପୂର୍ଣ୍ଣ ନଦୀବନ୍ଧ ବୁଲି ଦେଖିଥିଲେ । ତଦନ୍ତକାରୀ ଦଳର କହିବା କଥା କନକପଲ୍ଲୀ ଅଂଚଳରେ ଗୋଟିଏ ପଟରେ ମନ୍ତେଇ ନଦୀ ଥିବା ବେଳେ ନଦୀ ବନ୍ଧର ଅନ୍ୟ ପାଶ୍ୱର୍ରେ ସ୍ଥାନୀୟ ଜନସାଧାରଣ ନିଜର ଚିଙ୍ଗୁଡି ପୋଖରୀ ଖୋଲି ଚାଷ କରୁଛନ୍ତି । ଫଳରେ ଗୋଟିଏ ପଟରେ ନଦୀରେ ସ୍ରୋତ କିମ୍ବା ଛାଡ ହେଉଥିବା ବେଳେ ଚିଙ୍ଗୁଡି ଘେରିର ସମସ୍ତ ପାଣି ଏହି ନଦୀ ବନ୍ଧ ଦେଇ ନଦୀ ମଧ୍ୟକୁ ଯାଉଥିବାରୁ ଏହି ନଦୀ ବନ୍ଧ ଦୁର୍ବଳ ହେଉଛି,ଯେତେ ପଥର ନଦୀ ଗର୍ଭକୁ କ୍ଷେପଣ କରିବା ପରେ ମଧ୍ୟ ଏହାର ସୁଫଳ ମିଳିବା ଆଶା କ୍ଷୀଣ ହେଉଛି । ଅନ୍ୟ ପକ୍ଷରେ ଏହି ନଦୀ ବନ୍ଧର ସୁଦୃଢୀକରଣ ନିମନ୍ତେ ଏକ ମାଷ୍ଟର ପ୍ଲାନର ଆବଶ୍ୟକତା ଅଛି । ଏହି ମାଷ୍ଟର ପ୍ଲାନ ପାଇଁ କୋଟି କୋଟି ଟଙ୍କାର ଆବଶ୍ୟକତା ଥିବା ବେଳେ ବିଭାଗୀୟ ଅଧିକାରୀ ନାମକୁ ମାତ୍ର କେତୋଟି ଟଙ୍କାର କାର୍ଯ୍ୟାଦେଶ ଦେଉଛନ୍ତି ଯାହାକି ସମୁଦ୍ରକୁ ଶଙ୍ଖେ ଭଳି ।

ଗୋଟିଏ ପଟ ନଦୀବନ୍ଧ ବାଲେଶ୍ୱର ଜଳସମ୍ପଦ ବିଭାଗର ହୋଇଥିବା ବେଳେ ଅପର ପକ୍ଷଟି ଭଦ୍ରକ ସାଳନ୍ଦି ଜଳ ସମ୍ପଦ ବିଭାଗର । ଦୁଇ ଜିଲ୍ଲାର ଜଳସମ୍ପଦ ବିଭାଗର ସମନ୍ନୟ ପ୍ରତିଷ୍ଟା ହୋଇ ପାରିଲେ ଅଂଚଳବାସୀ ଉପକୃତ ହୋଇ ପାରିବା ନେଇ ଅଂଚଳବାସୀ ଆଶାୟୀ । ଚାନ୍ଦବାଲି ଜଳସମ୍ପଦ ବିଭାଗର ଉପଖଣ୍ଡ ଅଧିକାରୀ ଏବଂ ସହକାରୀ ଯନ୍ତ୍ରୀ ଏହି କଥାକୁ ନେଇ ମୁଖ୍ୟଯନ୍ତ୍ରୀ ତଥା ଅତରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଅନ୍ୟ ପକ୍ଷରେ ଏହି ଲୁଣାବନ୍ଧ କାର୍ଯ୍ୟ କରିବାକୁ କିଛି ଚିଙ୍ଗୁଡି ଚାଷୀ ବାଧକ ସୃଷ୍ଟି କରୁଛନ୍ତି । ଲୁଣା ବନ୍ଧକୁ ଲାଗି ସେମାନେ ଚିଙ୍ଗୁଡି ପୋଖରୀ ଖୋଳିବା ଫଳରେ ଲୁଣା ବନ୍ଧରେ ଫାଟ ସୃଷ୍ଟି ହେଉଛି ବୋଲି ବିଭାଗୀୟ ଅଧିକାରୀ ମତ ରଖୁଥିବା ବେଳେ ଆଗାମୀ ଦିନରେ ଭଦ୍ରକ ଜିଲ୍ଲାପାଳ ଏଥି ପ୍ରତି ଦୃଷ୍ଟି ଦେଲେ ନଦୀବନ୍ଧର ସୁରକ୍ଷା ହେବା ସହ କାର୍ଯ୍ୟ ମଧ୍ୟ ସୁଚାରୂ ରୂପେ ହୋଇ ପାରନ୍ତା । ଲୁଣା ବନ୍ଧ ଠାରୁ ଅତି କମରେ ୧୦୦ମିଟର ଛାଡି ଚିଙ୍ଗୁଡି ପୋଖରୀ ଖୋଳାଗଲେ ନଦୀବନ୍ଧର ସ୍ଥାୟିତ୍ୱ ବୃଦ୍ଧି ହେବା ସହ ଆଗାମୀ ଦିନରେ ଏହି ବନ୍ଧରେ ଫାଟ ମଧ୍ୟ ସୃଷ୍ଟି ହେବ ନାହିଂ ବୋଲି ବିଭାଗୀୟ ଅଧିକାରୀ ଆଶାବାଦୀ । ଅନ୍ୟ ପକ୍ଷରେ କନକପଲ୍ଲୀ ଗ୍ରାମ ନିକଟରେ ଯାଇଥିବା ମନ୍ତେଇ ନଦୀ ମଧ୍ୟରେ ୩ଟି ପଥର ପ୍ୟାକିଂ(ସ୍ପର) ନିର୍ମାଣ କରାଗଲେ ଏହି ନଦୀବନ୍ଧର ସ୍ଥାୟିତ୍ୱ ବୃଦ୍ଧି ପାଇବ ବୋଲି ଅଂଚଳବାସୀ ଦାବୀ ଜଣାଇଛନ୍ତି । ଗୋଟିଏ ପଟରେ ଜଳସମ୍ପଦ ବିଭାଗର ଅର୍ଥ ବାଧକ ସାଜିଥିବା ବେଳେ ଅନ୍ୟ ପକ୍ଷରେ ସ୍ଥାନୀୟ ଜନସାଧାରଣ ଙ୍କ ଚିଙ୍ଗୁଡି ପୋଖରୀ । ସ୍ଥାନୀୟ ଜନସାଧାରଣ ନିଜ ଚିଙ୍ଗୁଡି ପୋଖରୀ ପୋତି ବାକୁ ନାରାଜ ହେଉଥିବା ବେଳେ ଅନ୍ୟ ପକ୍ଷରେ କେବଳ ଲୁଣା ବନ୍ôଧର ସ୍ଥାୟିତ୍ୱ ନେଇ ବିଭାଗୀୟ ଅଧିକାରୀଙ୍କ ପାଖରେ ଅର୍ଥର ଅଭାବ । ମାଷ୍ଟର ପ୍ଲାନ ପାଇଁ ବିଭାଗୀୟ ଅଧିକାରୀ କହୁଥିବା ବେଳେ ଯନ୍ତ୍ରୀମୁଖ୍ୟ ଏଥି ପ୍ରତି ଦୃଷ୍ଟି ଦେବା ସହ ସରକାର ଏଥିପ୍ରତି ଏକ ବଡ ବଜେଟ ପାଶ କରାଇଲେ ଏହି ଲୁଣା ବନ୍ଧର ସ୍ଥାୟିତ୍ୱ ହୋଇ ପାରନ୍ତା ।