Odiapua.com

ଧାମରା- ଭଦ୍ରକ ରେଳପଥରେ ବାଂଶଡା ଠାରେ ଟ୍ରେନରେ କଟି ଯୁବକ ମୃତ

ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା-ଭଦ୍ରକ ରେଳପଥରେ ବାଂଶଡା ଠାରେ ରେଳରେ କଟି ଏକ ଯୁବକର ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ ଆଜି ସକାଳ ସମୟରେ ବାଂଶଡା ପଂଚାୟତର ନୂଆଗାଁ ଗ୍ରାମର ସୁକାନ୍ତ ଖିଲାର (୩୫) ନିଜର ନିତ୍ୟକର୍ମ ସାରିବାକୁ ରେଳଧାରଣା ପାରି ହେଇ ଥିବା ସମୟରେ ଏହି ଦୁର୍ଘଟଣାଟି ଘଟିଥିଲା। ଘଟଣାସ୍ଥଳରେ ସୁକାନ୍ତଙ୍କ ର ମୃତ୍ୟୁ ଘଟିଥିଲା। ସକାଳ ସମୟରେ ବାଂଶଡା ପଂଚାୟତ ଲୋକେ ଖବର ପାଇ ଆସି ଦୁର୍ଘଟଣାସ୍ଥଳରେ ପହଂଚି ସୁକାନ୍ତଙ୍କ ପରିବାରକୁ ୧୦ଲକ୍ଷ କ୍ଷତିପୂରଣ ଏବଂ ପରିବାରର ଜଣକୁ ଧାମରା ବନ୍ଦର ମଧ୍ୟରେ ନିଯୁକ୍ତି ପାଇଁ ଦାବି କରି ରେଳରୋକ କରିଥିଲେ।ଦିନ ୧୧ଟା ସମୟରେ ଧାମରା ବନ୍ଦର କର୍ତ୍ତୃପକ୍ଷ ଆସି ମୃତ ସୁକାନ୍ତଙ୍କ ପରିବାର ବର୍ଗକୁ ୨୦ହଜାର ଟଙ୍କା କ୍ଷତିପୂରଣ ଦେବା ସହ ସୁକାନ୍ତଙ୍କ ପତ୍ନୀକୁ ଧାମରା ବନ୍ଦର ମଧ୍ୟରେ ଏକ ଚାକିରୀ ଦେବେ ବୋଲି ପ୍ରତିଶ୍ରୁତି ଦେବା ପରେ ବାଂଶଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ସୁକାନ୍ତଙ୍କ ଶବ ଡାକ୍ତରୀମାଇନା ପାଇଁ ପଠାଯାଇଥିଲା। ପରେ ୧୧.୩୦ରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିଲା। ଦିନକୁ ଦିନ ଧାମରା –ଭଦ୍ରକ ରେଳପଥରେ ଥିବା ଫାଟକ ବିହୀନ ସ୍ଥାନରେ କୌଣସି ସୁରକ୍ଷା କର୍ମଚାରୀ ମୁତୟନ ନଥିବାରୁ ଏହି ଅଂଚଳରେ ରେଳରେ କଟି ବହୁ ଲୋକ ମୃତ୍ୟୁ ମୁଖରେ ପଡୁଥିବା ବେଳେ ସେହି ଅଂଚଳରେ ଥିବା ରେଳଫାଟକରେ ବ୍ୟାପକ ସୁରକ୍ଷାକର୍ମୀ ମୁତୟନ କରିବାକୁ ଅଂଚଳବାସୀ ଦାବିଜଣାଇ ଆସୁଥିଲେ ମଧ୍ୟ ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କ ଖାମଖିଆଲୀ ପାଇଁ ଏହି ରେଳପଥରେ ଦିନକୁ ଦିନ ଦୁର୍ଘଟଣା ବଢି ବଢି ଚାଲିଛି।