ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ଥ କରଞ୍ଜମାଳ ଅଂଚଳରେ ବନବିଭାଗ ଅଫିସ ଆଗରେ ଖୁଲମଖୁଲା ବନୀପତ୍ର ବେପାର ଚାଲିଛି । ମାତ୍ର ଏହି ସବୁ କଥା ବନବିଭାଗ ପାଖରେ ନାହିଁ ବୋଲି ବିଭାଗୀୟ ଅଧିକାରୀ ସଫେଇ ଦେଉଛନ୍ତି । ଖବରରୁ ଜଣାଯାଇଛି ଧାମରା ଅଂଚଳରେ ୩ଟି ଯଥା ଧାମରା,କରଞ୍ଜମାଳ ଏବଂ କରଣପଲ୍ଲୀ ଠାରେ ବନପାଳଙ୍କ ଅଫିସ ଅଛି । ଏହି ଅଫିସ ମାନଙ୍କରେ ଜଣେ ଜଣେ ବନପାଳ ନିଯୁକ୍ତି ଥିବା ସତ୍ୱେ କିପରି କରଞ୍ଜମାଳ ବନପାଳଙ୍କ ଅଫିସ ରାଜରାସ୍ତାର ପାଶ୍ୱର୍ରେ ଥିବା ବେଳେ ଏହି ରାସ୍ତା ଦେଇ କରଞ୍ଜମାଳ,କଇଥଖୋଲା ଅଂଚଳରର ବନୀପତ୍ର ତୋଳାଳୀ ଖୁଲମଖୁଲା ଭାବେ ସବୁଦିନ ଆଣି ନିଜ ଗୃହ ପାଳିତ ପଶୁଙ୍କୁ ଦେଉଛନ୍ତି ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି । ଏହି ବନୀପତ୍ର ତୋଳାଳୀ ମାନେ ପ୍ରତି ମାସକୁ ବନପାଳଙ୍କୁ ବଟି ଦେଉଥିବା କହୁଥିବା ବେଳେ କରଞମାଳ ବନପାଳ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଗୋଟିଏ ପଟରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ରୁ ରକ୍ଷା ପାଇବା ପାଇଁ ୨୦୧୦ ମସିହାରେ ଜାପାନ ସରକାରଙ୍କ ସହାୟତାରେ ସମୁଦ୍ର କୂଳରେ ଥିବା ଶହ ଶହ ଏକର ଜମିରେ ଏହି ବନୀଗଛ ରୋପଣ କରାଯାଇଥିଲା । ମାତ୍ର ଦିନକୁ ଦିନ ଏହି ବନୀପତ୍ର ତୋଳାଳୀ ବନୀଗଛରୁ ନୂତନ ଭାବେ ବାହାରୁଥିବା ପତ୍ରକୁ ତୋଳି ଆଣି ନିଜର ମଇଁଷି ମାନଙ୍କ ଖାଦ୍ୟ ରୂପେ ବ୍ୟବହାର କରୁଛନ୍ତି । ଏହି ଭଳି ଭାବେ ଚାଲିଲେ ଖୁବ କମ ସମୟ ମଧ୍ୟରେ ଏକର ଏକର ବନୀଗଛ ଧ୍ୱସଂ ପାଇଯିବ ବୋଲି ଚର୍ଚା ମଧ୍ୟ ଚାଲିଛି । ତୁରନ୍ତ ଏହି ବନୀପତ୍ର ତୋଳାଳୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବା ସହ ବନୀ ଜଙ୍ଗଲକୁ ସୁରକ୍ଷା ଦେବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି । ଏହି ବାବଦରେ ଚାନ୍ଦବାଲି ରେଞ୍ଜରଙ୍କ ସହ ଯୋଗାଯୋଗ କରିବା ସମ୍ଭବ ହୋଇ ପାରି ନଥିଲା ।