Odiapua.com

ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଆନ୍ଦୋଳନ ପାଇଁ ବିଏମ୍‌ଏସ୍‌ର ପ୍ରସ୍ତୁତି ବୈଠକ

ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଭାରତୀୟ ମଜଦୁର ସଂଘ ଓ ଏହା ସହ ଅନୁବନ୍ଧିତ ଧାମରା ବନ୍ଦର କର୍ମଚାରୀ ସଂଘ ପକ୍ଷରୁ ଆସନ୍ତା ୨୧ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହେବ । ଏ ନେଇ ଏକ ପ୍ରସ୍ତୁତି ବୈଠକ ଭାରତୀୟ ମଜଦୁର ସଂଘର ଜିଲ୍ଲା ସଭାପତି ମନୋଜ ବସନ୍ତରାୟଙ୍କ ପୌରୋହିତ୍ୟରେ ଜିଳ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଧାମରା ବନ୍ଦର କର୍ମଚାରୀ ସଂଘର ସଭାପତି ଶାନ୍ତନୁ କମାର ମହାପାତ୍ର ଯୋଗ ଦେଇ ଧାମରା ବନ୍ଦର କର୍ତ୍ତୃପକ୍ଷ ଶ୍ରମିକମାନଙ୍କୁ ବୋନସ ପ୍ରଦାନ ନକରିବା, ବନ୍ଦରରେ କାର୍ଯ୍ୟଭାର ନେଉଥିବା କଣ୍ଟ୍ରାକ୍ଟରମାନେ ଆକ୍ରୋଶମୂଳକ ଭାବେ ଶ୍ରମିକଙ୍କୁ ଛଟେଇ କରିବା, କର୍ମଚାରୀଙ୍କୁ ଇପିଏଫ୍ ସ୍ଲିପ ନଦେବା, ଇଏସ୍‌ଆଇ ପରିସରଭୁକ୍ତ ନକରିବା, ଏଲ୍‌ଏନ୍‌ଜି ଟର୍ମିନାଲରେ କର୍ମଚାରୀ ଓ ଶ୍ରମକିଙ୍କୁ ପରିଚୟପତ୍ର ନଦେବା, ଓଭର ଟାଇମ ପ୍ରାପ୍ୟ ନଦେବା ଭଳି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏ ସଂକ୍ରାନ୍ତରେ ବାରମ୍ବାର ବନ୍ଦର କର୍ତ୍ତୃପକ୍ଷ, ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲାପାଳ ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ରାଜନୈତିକ ଓ ପ୍ରଶାସନିକ ଚାପ ଯୋଗୁ ଶ୍ରମିକମ।।ନଙ୍କ ନ୍ୟାର୍ଯ୍ୟ ଦାବି ହାସଲ ହୋଇ ପାରୁନାହିଁ । ଏଥିଲାଗି ବାଧ୍ୟ ହୋଇ ସଂଘ ପକ୍ଷରୁ ଆସନ୍ତ ୨୧ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଷକ୍ଷାଭ, ପ୍ରତିବାଦ ସଭା ଓ ଗଣଧାରଣା ଆଦି ଅନୁଷ୍ଠିତ ହେବ ବୋଲି ପ୍ରସ୍ତୁତି ବୈଠକରେ ସ୍ଥିର କରାଯାଇଛି । ଏହି ବୈଠକରେ ବିଏମ୍‌ଏସ୍‌ର ଜିଲ୍ଲା ସାଧାରଣ ସମ୍ପାଦକ ମୁକ୍ତିକାନ୍ତ ସାହୁ, ସଂଗଠନ ସମ୍ପାଦକ ପରେଶ ନାଥ ଧଳ, ବିଜୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।