Odiapua.com

ଧାମରା ବନ୍ଦର ଓ ଟର୍ମିନାଲରେ କାର୍ଯ୍ୟରତ ଶ୍ରମିକଙ୍କ ମୌଳିକ ଦାବୀ ନେଇ ବିକ୍ଷୋଭ

ଭଦ୍ରକ, ୧୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ଠାରେ ଆଦାନୀ ଗ୍ରୁପ୍ ଦ୍ୱାରା ପରିଚାଳିତ ଧାମରା ବନ୍ଦର ଓ ଏଲ୍‌ଏନ୍‌ଜି ଟର୍ମିନାଲରେ କାର୍ଯ୍ୟରତ ଶ୍ରମିକଙ୍କୁ ସେମାନଙ୍କ ନ୍ୟାର୍ଯ୍ୟ ଦାବୀ ପ୍ରଦାନ କରାଯିବା ନେଇ ଆଜି ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଧାମରା ବନ୍ଦର କର୍ମଚାରୀ ସଂଘର କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସଂଘର ସଭାପତି ତଥା ବିଏମ୍‌ଏସ୍‌ର ରାଜ୍ୟ ଉପସାଧାରଣ ସମ୍ପାଦକ ଶାନ୍ତନୁ ମହାପାତ୍ରଙ୍କ ନେତୃତ୍ୱରେ କୋବିଡ଼ ନିୟମକୁ ମାନି ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଏଲ୍‌ଏନ୍‌ଜି ଟର୍ମିନାଲରେ କାର୍ଯ୍ୟରତ ଶ୍ରମିକ ଓ ଧାମରା ବନ୍ଦରର କାର୍ଯ୍ୟରତ ଶ୍ରମିକ, ବିଏମ୍‌ଏସ୍‌ର କାର୍ଯ୍ୟକର୍ତ୍ତା, ଧାମରା ବନ୍ଦର କର୍ମଚାରୀ ସଂଘର କର୍ମକର୍ତ୍ତାମାନେ ବିଏମ୍‌ଏସ୍ କାର୍ଯ୍ୟାଳୟରୁ ଶୋଭାଯାତ୍ରାରେ ବାହାରି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ଶ୍ରୀ ମହାପାତ୍ରଙ୍କ ସହିତ ବିଏମ୍‌ଏସ୍‌ର ଜିଲ୍ଲା ସାଧାରଣ ସମ୍ପାଦକ ମୁକ୍ତିକାନ୍ତ ସାହୁ, ସଂଗଠନ ସମ୍ପାଦକ ପରେଶ ନାଥ ଧଳ, ଧାମରା ବନ୍ଦର କର୍ମଚାରୀ ସଂଘର ସମ୍ପାଦକ ପ୍ରଫୁଲ୍ଲ ସେଠୀ, ବିଜୟ ପ୍ରତାପ ଜେନା, ରଂଜନ ମହାନ୍ତି, ବିଚିତ୍ର ବାରିକ ପ୍ରମୁଖ ବକ୍ତବ୍ୟ ରଖି ଧାମରା ଠାରେ ନିର୍ମାଣାଧିନ ଏଲ୍‌ଏନ୍‌ଜି ଟର୍ମିନାଲରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ସେମାନଙ୍କ ମୌଳିକ ନ୍ୟାର୍ଯ୍ୟ ପ୍ରାପ୍ୟ ପ୍ରଦାନ କରାଯିବା,ଧାମରା ବନ୍ଦର କର୍ମଚାରୀ ସଂଘ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କଦ୍ୱାରା କରାଯାଇଥିବା ଚୁକ୍ତିନାମା ଅନୁଯାୟୀ ବର୍ଦ୍ଧିତ ଦରମା ଏପ୍ରିଲ ମାସଠାରୁ ତୁରନ୍ତ ପ୍ରଦାନ କରିବା, ୨ ବିଭାଗରେ କାର୍ଯ୍ୟରତ ସମସ୍ତ ଶ୍ରମିକମାନଙ୍କୁ ବୋନସ୍ ପ୍ରଦାନ କରିବା, ଧାମରା ରେଲୱେରେ କାର୍ଯ୍ୟ କରୁଥିବା ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରାଯିବା ଆଦି ଦାବୀ ଗୁଡିକ ଉପରେ ବକ୍ତବ୍ୟ ରଖିଥିଲେ । ଯଦି କମ୍ପାନୀ କର୍ତ୍ତୃପକ୍ଷ ଆଗାମୀ ଅକ୍ଟୋବର ୨୭ ତାରିଖ ମଧ୍ୟରେ ଉକ୍ତ ଦାବୀ ପୂରଣ ନ କରନ୍ତି ତେବେ ସଂଘ ୨୮ ତାରିଖ ଧାମରା ବନ୍ଦର ଏବଂ ରେଲୱେରେ କାର୍ଯ୍ୟବନ୍ଦ କରିବେ ବୋଲି ପ୍ରଶାସନ ଓ ବନ୍ଦର କର୍ତ୍ତୃପକ୍ଷଙ୍କୁ ଚେତବାନୀ ଦେଇଥିଲେ ।