Odiapua.com

ଧାମରା ବନ୍ଦରରେ ବିସ୍ଥାପିତଙ୍କ ସମସ୍ୟା ସମାଧାନ ନହେବାରୁ ରେଳ ଧାରଣାରେ ଧାରଣା ଦେଲେ ବିଧବା ମା, ୧ଘଂଟା ରେଳ ଚଳାଚଳ ବନ୍ଦ

ଭଦ୍ରକ, ୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ବନ୍ଦର କର୍ତୁପକ୍ଷଙ୍କ ମନମାନୀରେ ଅତିଷ୍ଠ ହୋଇପଡିଛନ୍ତି ଜଣେ ବିଧବା ଅସହାୟ ମହିଳା। ଦୀର୍ଘ ଦିନ ହେବ ସଂପୃକ୍ତ ମହିଳା ଜଣକ ନ୍ୟାୟ ପାଇବାରୁ ବଂଚିତ ହୋଇଥିବାରୁ ଆଜି ସଂପୃକ୍ତ ମହିଳା ନିଜର ହକ ଜାହିର ପାଇଁ ଧାମରା –ଭଦ୍ରକ ରେଳପଥରେ ଧାମରା ଡି ଆଇ ରୋଡରେ ଧାରଣା ଦେଇଥିଲେ। ଏହି ଧାରଣା ଫଳରେ ଧାମରା- ଭଦ୍ରକ ରେଳପଥରେ ରେଳଚଳାଚଳ କିଛି ଘଂଟା ପାଇଁ ବାଧାପ୍ରାପ୍ତ ହୋଇଥିଲା। ପରେ ଧାମରା ଥାନାଧିକାରୀଙ୍କ ହସ୍ତକ୍ଷେପ ଫଳରେ ଧାରଣାରୁ ଉଠିଥିଲେ ସଂପୃକ୍ତ ବିଧବା ଅସହାୟ ମହିଳା। ପ୍ରାପ୍ତ ଖବର ଅନୁଯାଇ ନରସିଂହ ପ୍ରସାଦ ଗ୍ରାମର ସତ୍ୟଭାମା ସେଠୀ ନିଜର ୪ଏକର ଜମି ଧାମରା ବନ୍ଦର ରେଳ ଲାଇନରେ ହରାଇ କ୍ଷତି ପୂରଣ ପାଇଥିଲେ। ପରେ ସେ ରହୁଥିବା ଘରବାଡିରେ ଧାମରା ବନ୍ଦର କର୍ତୁପକ୍ଷ ପହଂଚି କିଛି ଗଛପତ୍ର ହାଣି ନଷ୍ଟ କରିଦେଇଥିଲେ। ସଂପୃକ୍ତ ଅସହାୟ ବିଧବା ମହିଳା ଜଣକ ଧାମରା ବନ୍ଦର କର୍ତୁପକ୍ଷ ଙ୍କ ନିକଟରେ କ୍ଷତିପୂରଣ ପାଇଁ ଦାବୀ କରିଥିବା ବେଳେ କର୍ତୁପକ୍ଷ ଏହାକୁ ଅଗ୍ରାହ୍ୟ କରି ଦେଇଥିଲେ। ଏଥିସହ ଧାମରା ବନ୍ଦରକୁ ଅତି ଉଚ୍ଚ ଶକ୍ତି ବିଦ୍ୟୁତ ସରବରାହ ପାଇଁ ସଂପୃକ୍ତ ମହିଳାଙ୍କ ଘରବାଡି ଦେଇ ଏହି ତାର ଟଣା ହୋଇଥିବା ବେଳେ ଏଥି ପାଇଁ ମଧ୍ୟ କ୍ଷତିପୂରଣ ମିଳି ନଥିଲା। ଅନ୍ୟ ପକ୍ଷରେ ଧାମରା ବନ୍ଦର କର୍ତୁପକ୍ଷ ସଂପୃକ୍ତ ଅସହାୟ ବିଧବା ମହିଳାଙ୍କ ଘରବାଡି ଦେଇ ପାଣି ପାଇପ ଲାଇନ ନେଇଥିବା ବେଳେ ସେହି ପାଣି ପାଇପ ଲାଇନ ଫାଟି ପାଣି ବୋହି ଯାଇ ସଂପୃକ୍ତ ମହିଳାଙ୍କ ଘର ବାଡିରେ ପାଣି ଜମା ହୋଇ ରହୁଥିବା ବେଳେ ଏହି ପାଣି କିପରି ନିଷ୍କାସନ ହେବ ସେଥିପାଇଁ ଧାମରା ବନ୍ଦର କର୍ତୁପକ୍ଷ ମଧ୍ୟ ନୀରବ ଦ୍ରଷ୍ଟା ସାଜିଥିଲେ। ଏହି ସମସ୍ତ ଅଭିଯୋଗକୁ ଭିତିକରି ସଂପୃକ୍ତ ମହିଳା ଆଜି ସକାଳ ୧୧ଟାରେ ଡିଆଇ ରୋଡ ରେଳ ଧାରଣାରେ ଧାରଣା ଦେଇଥିଲେ।ଫଳରେ ଧାମରା- ଭଦ୍ରକ ରେଳପଥରେ ଦୀର୍ଘ ୧ଘଂଟା ଧରି ରେଳ ଚଳାଚଳ ବନ୍ଦ ହୋଇଯାଇଥିଲା। ପରେ ଧାମରା ଥାନାଧିକାରୀ ଆସି ସଂପୃକ୍ତ ମହିଳାଙ୍କୁ ବୁଝାଇ ସୁଝାଇ ଥାନାକୁ ନେବା ସହ ଏହି ସମସ୍ୟାର ଆଶୁ ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପରେ ଧାମରା- ଭଦ୍ରକ ରେଳପଥରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିଲା।