Odiapua.com

ଧାମରା ବଜାରରେ ଯାତ୍ରୀଙ୍କ ଅବସ୍ଥା ହୀନସ୍ଥା, କହିବାକୁ କେହି ନାହିଁ, ଶୌଚ ହେବା ପାଇଁ ଖୋଲା ପଡିଆକୁ ବ୍ୟବହାର

ଭଦ୍ରକ, ୧୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରାରେ ସାଧାରଣ ଯାତ୍ରୀଙ୍କ ଅବସ୍ଥା ଦିନକୁ ଦିନ ଖରାପ ହେବାକୁ ଲାଗିଛି। ଧାମରା ଏବଂ ଜାଗୁଳା ପଂଚାୟତର ମଧ୍ୟଭାଗରେ ଧାମରା ମାର୍କେଟ ଅବସ୍ଥିତ। ଧାମରାରୁ ପ୍ରତିଦିନ କଟକ, ଭୁବନେଶ୍ୱର, ଭଦ୍ରକ, ବାଲେଶ୍ୱର, କୋଲକାତା ଏବଂ କାନ୍ଥିକୁ ଶହ ଶହ ଯାତ୍ରୀ ଯିବା ଆସିବା କରିଥାନ୍ତି। ଏହି ଯାତ୍ରୀ ମାନଙ୍କ ବ୍ୟବହାର ପାଇଁ ଆଜି ପର୍ଯ୍ୟନ୍ତ ଧାମରା ମାର୍କେଟରେ ଶୌଚାଳୟ ଟିଏ ନଥିବା ବେଳେ ପାଣି ଟୋପାଏ ପିଇବା ପାଇଁ ଯାତ୍ରୀ ମାନଙ୍କର ଦୁରାବସ୍ଥା ନ ଦେଖିଲେ ଆଖିକୁ ବିଶ୍ୱାସ କରି ହୁଏ ନାହିଁ। ପାଣି ଟୋପାକ ପାଇଁ ଏ ଦୋକାନରୁ ସେ ଦୋକାନ କୁ ଯାଉଥିବା ବେଳେ ଦୋକାନୀ ମାନଙ୍କ ଶରବ୍ୟର ଶିକାର ହୋଇଥାଏ ସାଧାରଣ ଯାତ୍ରୀଟିଏ। ଏହି ପଂଚାୟତ ମାନଙ୍କରେ ସରପଂଚ ମାନେ ନିଜ ନିଜ ପଂଚାୟତବାସୀଙ୍କ ପାଇଁ ପାଇପ ପାଣିର ବ୍ୟବସ୍ଥା କରିଥିବା ବେଳେ ଧାମରା ମାକେର୍ଟକୁ ଏହି ପାଇପ ଲାଇନ ଟିକକ ଯୋଡିବା ପାଇଁ ଦୁଇ ପଂଚାୟତର ସରପଂଚ ମାନେ ଏପର୍ଯ୍ୟନ୍ତ ବ୍ୟବସ୍ଥା ନକରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟରେ ପକାଇଛି। ସେହିପରି ସାଧାରଣ ଯାତ୍ରୀଟିଏ ଧାମରା ମାର୍କେଟରେ ଓହ୍ଲାଇବା ପରେ ଶୌଚ ହେବା ପାଇଁ ଶୌାଚାଳୟ ନ ପାଇ ଖୋଲା ଯାଗାରେ ଶୌଚ ହେବା ବୁଦ୍ଧିଜିବୀ ମାନଙ୍କୁ ଆଶ୍ୱର୍ଯ୍ୟରେ ପକାଇଛି।

ଧାମରା ଏବଂ ଜାଗୁଳା ପଂଚାୟତର ସରପଂଚ ମାନଙ୍କୁ ବହୁ ଅନୁରୋଧ ସତ୍ୱେ ଦୀର୍ଘ ଦିନ ନୁହେଁ ବର୍ଷ ପରେ ବର୍ଷ ହେବ ଏହି ମାର୍କେଟକୁ ପାଣି ପାଇପ ଲାଇନ ସଂଯୋଗ ହୋଇ ପାରି ନାହିଁ। ଅନ୍ୟ ପକ୍ଷରେ ଧାମରା ବନ୍ଦରର ଦ୍ୱାରଦେଶରେ ଧାମରା ମାର୍କେଟ ହୋଇଥିବା ବେଳେ ଧାମରା ବନ୍ଦର କର୍ତୁପକ୍ଷ ସାମାଜିକ ଦାୟିତ୍ୱ ଏବଂ ନ୍ୟାୟବୋଧ ବିଭାଗ ତରଫରୁ କୋଟି କୋଟି ଟଙ୍କା ଭଦ୍ରକ ଜିଲ୍ଲାର ଉନ୍ନୟନ ପାଇଁ ଖର୍ଚ କରୁଥିବା ବେଳେ ଏହି ମାର୍କେଟରେ ପାଣି ଏବଂ ଶୌଚାଳୟ ଟିଏ ସ୍ଥାପନ ପାଇଁ ବନ୍ଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଫଳ ଶୂନ। ଧାମରା ଠାରେ ଅତିରିକ୍ତ ତହସିଲଦାରଙ୍କ ଅଫିସ, ଧାମରା ମତ୍ସ୍ୟପୋତାଶ୍ରୟ, ୧୫ଟି ରାଷ୍ଟ୍ରାୟତ ବ୍ୟାଙ୍କ କୁ ପ୍ରତିଦିନ ଆସୁଥିବା ଶହ ଶହ ମହିଳା ଏବଂ ପୁରୁଷ ଲୋକ ପିଇବା ପାଣି, ଶୌଚାଳୟ ପାଇଁ ବାର ଦୁଆର ତେରପିଣ୍ଢା ହେଉଥିବା ବେଳେ ବାହାରୁ ଆସୁଥିବା ଯାତ୍ରୀ ମାନେ ଶୌଚ ହେବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଅନ୍ୟ ପକ୍ଷରେ ଧାମରାରେ ଥିବା ଦୋକାନୀ ମାନେ ନିଜ ର ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ଶୌଚାଳୟ ପାଇଁ ବହୁବାର ଧାମରା ବନ୍ଦର କର୍ତୁପକ୍ଷଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ତାହା ର କିଛି ନିର୍ଯ୍ୟାସ ବାହାରି ପାରୁ ନାହିଁ। ତୁରନ୍ତ ଭଦ୍ରକ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସର୍ବସାଧାରଣରେ ଦାବି ହୋଇଛି।