Odiapua.com

ଧାମରା ପୋର୍ଟ ୱାର୍କ୍ସ ୟୁନିୟନ (ସିଟୁ) ପକ୍ଷରୁ ୧୨ ଦଫା ଦାବି ନେଇ ବିକ୍ଷୋଭ ଓ ଜିଲାପାଳଙ୍କୁ ଦାବିପତ୍ର

ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ବନ୍ଦରରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଆଉଟ୍ ସୋର୍ସିଂ କରୁଥିବା କଣ୍ଟ୍ରାକ୍ଟରମାନଙ୍କର ଶୋଷଣ ଓ ଅତ୍ୟାଚାର ପ୍ରତିବାଦରେ ଆଜି ଧାମରା ପୋର୍ଟ ୱାର୍କ୍ସ ୟୁନିୟନ (ସିଟୁ) ପକ୍ଷରୁ ଜିଲ ଶ୍ରମ ଅଧିକାରୀ ଓ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୨ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଉପଦେଷ୍ଟା ତଥା ସିଟୁ ପକ୍ଷରୁ ଶ୍ରମିକ ନେତା ଦିବ୍ୟସିଂହ ନାୟକ, ସୁବ୍ରତ ସାମଲ, ରାଜୁ ପାତ୍ର, ପ୍ରଦୀପ ନାୟକ, ପ୍ରଫୁଲ୍ଲ ବାରିକ, ଅଜୟ ଦାସ, ସୁଶାନ୍ତ ଦଳେଇ, ରିଆଜ ଅହେମ୍ମଦ ଓ ଅଶୋକ ନାୟକଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ଜିଲା ଶ୍ରମ ଅଧିକାରୀ ଓ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ଏହାପରେ ବଜାର ଦର ବୃଦ୍ଧି ମୁତାବକ ସମସ୍ତ ଶ୍ରମିକମାନଙ୍କୁ ଇନ୍‌କ୍ରିମେଣ୍ଟ ଦେବା, ବେତନ ବୃଦ୍ଧି କରିବା, ଠିକାଦାରୀ ଶୋଷଣ ବନ୍ଦ କରିବା, ସମସ୍ତ ଶ୍ରମିକ କର୍ମଚାରୀଙ୍କୁ ସ୍ଥାୟୀ କର୍ମଚାରୀ ଭାବେ ଘୋଷଣା କରିବା, ସମସ୍ତଙ୍କୁ ଇଏସ୍‌ଆଇଭୁକ୍ତ କରିବା, ଇପିଏଫ୍ ସୁଯୋଗ ଯୋଗାଇ ଦେବା, ସମସ୍ତ ଶ୍ରମିକମାନଙ୍କୁ ତାଙ୍କର ପରିବାର ବର୍ଗ ସମେତ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଯୋଗାଇଦେବା, ଗସ୍ତଖର୍ଚ୍ଚ, ଚିକିତ୍ସା ଖର୍ଚ୍ଚ, ଖାଦ୍ୟ ସାମଗ୍ରୀ ଓ ଘରଭଡା ବାବଦ ଦେୟ ବୃଦ୍ଧି କରିବା, ମୃତ କର୍ମଚାରୀମାନଙ୍କ ପରିବାରକୁ ଜଣକୁ ନିଯୁକ୍ତି ଦେବା, ସମସ୍ତ ଦକ୍ଷ କର୍ମଚାରୀ ଓ ଇଂଜିନିୟରମାନଙ୍କୁ ପଦୋନ୍ନତି କରିବା, ଆଉସ୍ ସୋର୍ସିଂ ଶ୍ରମିକ କର୍ମଚାରୀଙ୍କୁ ସ୍ଥାୟୀ ଶ୍ରମିକ କର୍ମଚାରୀ ମାନଙ୍କୁ ଦିଆଯାଉଥିବା ସୁବିଧା ଓ ବେତନ ପ୍ରଦାନ ଭଳି ୧୨ ଦଫା ଦାବି ନେଇ ଉପରୋକ୍ତ କର୍ମକର୍ତ୍ତାମାନେ ଶ୍ରମ ଅଧିକାରୀ ଓ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଏହାପରେ ପ୍ରତିବାଦ ସଭାରେ ଶ୍ରୀ ନାୟକ ନିଜ ବକ୍ତବ୍ୟରେ ଦେଶରେ ମୋଦି ସରକାରଙ୍କ ଶ୍ରମିକମାରଣ ନୀତିକୁ ତୀବ୍ର ନିନ୍ଦା କରିଥିଲେ ।