Odiapua.com

ଧାମରା ପୋର୍ଟକୁ ମିଳିଲା ଗୋଲଡେନ ପିକକ୍ ପୁରସ୍କାର

ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜୈବ ବିବିଧତା ସଂରକ୍ଷଣ, ପରିବେଶ ଓ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଧାମରା ପୋର୍ଟ କମ୍ପାନୀ ଲିମିଟେଡକୁ ପରିବେଶ ପରିଚାଳନା ବର୍ଗରେ ସମ୍ମାନଜନକ ଗୋଲଡେନ ପିକକ୍ ପୁରସ୍କାର ପ୍ରଦାନ କରାଯାଇଛି । ୧୯୯୧ ରୁ ଇନଷ୍ଟିିଚ୍ୟୁଟ୍ ଅଫ୍ ଡାଇରେକ୍ଟର୍ସ ଦ୍ୱାରା ପ୍ରଦାନ କରାଯାଉଥିବା ଗୋଲଡେନ ପିକକ୍ ପୁରସ୍କାର ବର୍ତ୍ତମାନ ବିଶ୍ୱବ୍ୟାପୀ କର୍ପୋରେଟ ଉତ୍କର୍ଷର ମାନଦଣ୍ଡ ଭାବରେ ପରିଗଣିତ ହେଉଛି । ପରିବେଶ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୨୯ବର୍ଷ ଧରି ଏହି ପୁରସ୍କାର ପ୍ରଦାନ କରାଯାଉଛି । ପ୍ରତିବର୍ଷ ବିଭିନ୍ନ ପୁରସ୍କାର ପାଇଁ ୧୦୦୦ରୁ ଅଧିକ ଆବେଦନ ଆସିଥାଏ । ସରକାରୀ, ବେସରକାରୀ, ଅଣ-ଲାଭ, ବ୍ୟବସାୟ, ଉତ୍ପାଦନ ଓ ସେବା କ୍ଷେତ୍ରର ସମସ୍ତ ଅନୁଷ୍ଠାନ ଏଥିରେ ଅଂଶଗ୍ରହଣ କରିଥିଲେ । ଆୟୋଜକ ଏକ ବିଶେଷଜ୍ଞ ମୂଲ୍ୟାୟନ କମିଟି ଗଠନ କରି ଆବେଦନଗୁଡିକର ମୂଲ୍ୟାୟନ କରିଥିଲେ । ପ୍ରତି ଆବେଦନ ସ୍ୱାଧୀନ ଭାବେ ମୂଲ୍ୟାୟନକାରୀଙ୍କ ଦ୍ୱାରା ସମୀକ୍ଷା କରାଯାଇଥାଏ ଏବଂ ଆବଶ୍ୟକ ମୌଳିକ ସମୀକ୍ଷା ପରେ ପରବର୍ତି ସ୍ତର ପାଇଁ ସର୍ଟଲିଷ୍ଟ ହୁଅନ୍ତି । ୧୦୦୦ମାର୍କର ମୋଟ ସ୍କୋର କାର୍ଡ ପାଇଁ ଆବେଦନଗୁଡିକର ସମ୍ପୂର୍ଣ୍ଣ ପାରାମିଟର ସେଟ୍ ଉପରେ ମୂଲ୍ୟାୟନ କରାଯାଏ, ଯାହାର କଟ୍ ଅଫ୍ ରହିଛି ୮୦ ପ୍ରତିଶତ । ଖଣ୍ଡପୀଠର ବିଚାର ପାଇଁ ଶୀର୍ଷରେ ଥିବା ଆବେଦନଗୁଡିକୁ ସୁପାରିଶ କରାଯାଏ । ସଂକ୍ଷିପ୍ତ ତାଲିକାଭୁକ୍ତ କମ୍ପାନୀଗୁଡିକ ଜୁରୀ ସଦସ୍ୟଙ୍କ ନିକଟରେ ଉପସ୍ଥିତ ହୋଇ କିଛି ପ୍ରଶ୍ନର ଉତ୍ତର ଦେବାକୁ ପଡିଥାଏ । ପରିଶେଷରେ ସର୍ବୋତ୍ତମ ପରିବେଶ ପରିଚାଳନା କରିଥିବା କମ୍ପାନୀ ହିଁ ଗୋଲଡେନ ପିକକ୍ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି ।