ଭଦ୍ରକ, ୧୬ା (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରାରେ ଏକ ସଦ୍ୟ ଜନ୍ମିତ ଶିଶୁ କନ୍ୟା ଉଦ୍ଧାର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ସମାଜସେବୀ ସୁମନ୍ତ ମହାନ୍ତିଙ୍କ ଦ୍ୱାରା ଉଦ୍ଧାର ହୋଇଛି । ପ୍ରାପ୍ତ ଖବରରୁ ଜଣାଯାଇଛି ଗତକାଲି ସଂପୃକ୍ତ ବ୍ୟକ୍ତି ଜଣକ ରାତ୍ରି ୧ଟା ସମୟରେ ଧାମରାକୁ ଆସୁଥିବା ବେଳେ ଧାମରା ପେଟ୍ରୋଲ ପମ୍ପ ନିକଟରେ ଏକ ଛୁଆର କାନ୍ଦ ଶୁଣିପାରିଥିଲେ । ସଦ୍ୟ ଜାତ ଶିଶୁ କନ୍ୟା କାନ୍ଦୁଥିବା ବେଳେ ସୁମନ୍ତ ମହାନ୍ତି ତାକୁ ଉଦ୍ଧାର କରି ଅନ୍ୟ ମାନଙ୍କ ସହାୟତା ନେଇ ପ୍ରଥମେ ଧାମରା ମେଡିକାଲକୁ ଆଣିଥିଲେ । ଧାମରା ମେଡିକାଲର ଡା.ଜନ୍ମେଞ୍ଜୟ ବେହେରା ସଂପୃକ୍ତ ଶିଶୁ କନ୍ୟାର ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା ନିରୀକ୍ଷା କରିଥିଲେ । ଶିଶୁ କନ୍ୟାର ଓଜନ ୩କେଜି ଥିବା ବେଳେ କେହି ଜଣେ ମା ସଂପୃକ୍ତ ଶିଶୁ କନ୍ୟାକୁ ଜନ୍ମ ଦେବା ପରେ ତାକୁ ରାସ୍ତା ପାଖରେ ଫିଙ୍ଗି ଦେଇ ଚାଲିଯାଇଥିବା ସନ୍ଦେହ ପ୍ରକାଶ ପାଇଛି । ପରେ ଧାମରା ମେଡିକାଲର ଡାକ୍ତର ଶିଶୁ କନ୍ୟାକୁ ଉଦ୍ଧାର କରିଥିବା ସମାଜସେବୀ ସୁମନ୍ତ ମହାନ୍ତି ଏବଂ ସଂପୃକ୍ତ ଶିଶୁ କନ୍ୟାକୁ ୧୦୮ ଆମ୍ବୁଲାନ୍ସ ମାଧ୍ୟମରେ ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଥିଲେ । କେଉଁ ପରିସ୍ଥିତିରେ ରାଜ୍ୟ ସରକାର କନ୍ୟା ରତ୍ନ ଯୋଜନା ପାଇଁ ଡିଣ୍ଡିମ ପିଟୁଥିବା ବେଳେ ଅଲୋଡା ଶିଶୁ କନ୍ୟା ପାଇଁ ସଂପୃକ୍ତ ସମାଜସେବୀ ମଧ୍ୟ ରାତିରେ ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଫୋନ କରିଥିଲେ ମଧ୍ୟ ସଂପୃକ୍ତ ଅଧିକାରୀ ଫୋନ ଗ୍ରହଣ କରି ନଥିଲେ । ଫଳରେ ଏହାକୁ ନେଇ ସଂପୃକ୍ତ ସମାଜସେବୀ ସୁମନ୍ତ ମହାନ୍ତି ତୀବ୍ର ପ୍ରିତିକ୍ରିୟା ପ୍ରକାଶ କରିବା ସହ ଧାମରା ମେଡିକାଲକୁ ତୁରନ୍ତ ଷ୍ଟାଫ ଯୋଗାଇ ଦେବାକୁ ଦାବୀ କରିଥିଲେ । ଉଦ୍ଧାର ହୋଇଥିବା ଶିଶୁ କନ୍ୟାଟି କାହାର ଏଥି ପାଇଁ ସମସ୍ତ ଜନସାଧରଣ ସଜାଗ ହେବା ଜରୁରୀ ବୋଲି ମଧ୍ୟ ମତ ପ୍ରକାଶ ପାଇଥିଲା ।