Odiapua.com

ଧାମରା ଧୀବରଙ୍କ ମୃତଦେହ କଶିଆରୁ ଉଦ୍ଧାର

ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ଥ ଓରାମାଳ ଗ୍ରାମର ଆଶିଷ କୁମାର ମଣ୍ଡଳ ଗତ ୮ତାରିଖ ଦିନ ବାସୁଦେବପୁର କଶିଆ ମେରାଇନ ଅର୍ନ୍ତଗତ ସମୁଦ୍ରକୁ କଶିଆ ଅଂଚଳର ମା ମଙ୍ଗଳା ବୋଟରେ ମାଛ ଧରିବାକୁ ଯାଇଥିଲେ। ୧୦ତାରିଖ ଦିନ ସକାଳ ସମୟରେ ସେହି ବୋଟରୁ ଆଶିଷଙ୍କ ସାନ ଭାଇ ବିଶ୍ୱଜିତ ଙ୍କ ପାଖକୁ ଓାୟରଲେସ ମେସେଜ ଆସିଲା, ତୁମ ଭାଇ ମା’ ମଙ୍ଗଳା ବୋଟ୍‌ରୁ ଖସି ନିଖୋଜ ହୋଇ ଯାଇଛନ୍ତି। ଏହି ଖବର ପାଇବା ପରେ ବିଶ୍ୱଜିତ ସମୁଦ୍ର ନିକଟସ୍ଥ ଅଂଚଳରେ ବହୁ ଖୋଜାଖୋଜି ପରେ ମଧ୍ୟ ନିଜ ବଡଭାଇର କୌଣସି ଖୋଜ ଖବର ପାଇ ନଥିଲେ। ଆଜି କଶିଆ ନିକଟରେ ଏକ ବୋଟ ସମୁଦ୍ରରେ ମାଛ ମାରୁଥିବା ବେଳେ ସମୁଦ୍ରରେ ଏକ ମୃତଦେହ ଭାସୁଥିବାର ଦେଖି କସିଆ ମେରାଇନ ଥାନାକୁ ଫୋନ ଯୋଗେ ଜଣାଇଥିଲା। ଅପରାହ୍ଣ ୪ଟା ସମୟରେ କଶିଆ ସାମୁଦ୍ରିକ ଥାନା ପୁଲିସ ଯାଇ ସମୁଦ୍ରରୁ ଏକ ମୃତ ଦେହ ଠାବ କରିବା ସହ ଆଶିଷଙ୍କ ଘରକୁ ଖବର ଦେଇଥିଲେ। ଆଶିଷଙ୍କ ପରିବାର ଲୋକ ପହଂଚି ମୃତ ଦେହଟି ଆଶିଷର ବୋଲି ଚିହ୍ନଟ କରିବା ସହ ଏହା ଏକ ଅସ୍ୱଭାବିକ ମୃତ୍ୟୁ ବୋଲି କଶିଆ ମେରାଇନ ଥାନାରେ ମା ମଙ୍ଗଳା ବୋଟ୍‌ର ମାଲିକ ରଞ୍ଜନ କୁମାର ମଣ୍ଡଳଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ପାଇବା ପରେ କଶିଆ ସାମୁଦ୍ରିକ ଥାନା ଅଧିକାରୀ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରୀ ରଖିଛନ୍ତି।