Odiapua.com

ଧାମରା ଠାରେ ଶିଳ୍ପ ପାର୍କ ପ୍ରକଳ୍ପ, ମଣ୍ଡଳ ଅଧିକାରୀଙ୍କ କାର୍ଯ୍ୟାଳୟ ଉଦ୍‌ଘାଟିତ

ଭଦ୍ରକ, ୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରାସ୍ଥିତ ଜଳସେଚନ ବିଭାଗର ପରିଦର୍ଶନ ବଙ୍ଗଳାରେ ଧାମରା ଶିଳ୍ପପାର୍କ ପ୍ରକଳ୍ପ ମଣ୍ଡଳ ଅଧିକାରୀଙ୍କ କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଦ୍ୱାରା ଉଦ୍‌ଘାଟିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ଉପଜିଲ୍ଲାପାଳ ମନୋଜ ପାତ୍ର, ପରିଚାଳନା ଅଧ୍ୟକ୍ଷା(ଭୂମି) ଇଡ଼୍‌କୋ ଭୁବନେଶ୍ୱରଙ୍କ ସ୍ୱାତୀ ମିଶ୍ର, ଅତିରିକ୍ତ ଉପଜିଲ୍ଲାପାଳ ଡ଼. ଲକ୍ଷ୍ମୀ ପ୍ରସାଦ ସାହୁ, ସ୍ୱତନ୍ତ୍ର ଭୂଅର୍ଜ୍ଜନ ଅଧିକାରୀ କାର୍ତ୍ତିକ ନାଥ ମଣ୍ଡଳ ପ୍ରମୁଖ ଏଥିରେ ଯୋଗଦେଇ ଥିଲେ । ସୂଚନାଯୋଗ୍ୟକି ୩-୫-୨୩ରିଖରେ ଅନୁଷ୍ଠିତ ହୋଇଥିବା ଜନଶୁଣାଣି ଶିବିରରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ବ୍ୟକ୍ତିମାନଙ୍କର ତଥା ସ୍ଥାନୀୟ ଜନପ୍ରତିନିଧିମାନଙ୍କର ଦାବୀକୁ ସମ୍ମାନ ଜଣାଇ ଜିଲ୍ଲାପାଳ ଭଦ୍ରକଙ୍କର ଆଦେଶ ଅନୁଯାୟୀ ଏକ ଜୋନ୍ ଅଫିସ୍ (ମଣ୍ଡଳକାର୍ଯ୍ୟାଳୟ) ଧାମରା ଠାରେ ଖୋଲାଯିବା ପାଇଁ ସିଦ୍ଧାନ୍ତ ହୋଇଥିଲା । ଏହି କାର୍ଯ୍ୟାଳୟ ପ୍ରକଳ୍ପ ପ୍ରଭାବିତ ଜଗନ୍ନାଥ ପ୍ରସାଦ, ଲକ୍ଷ୍ମୀପ୍ରସାଦ, ବଳଭଦ୍ର ପ୍ରସାଦ, କଇଥଖୋଲା,ବଣୁଆସାହି, ଶିଶିକାଦେଇପୁର,କରଞ୍ଜମାଳ, କୁସୁନ୍‌ପୁର, ବଜରାପୁର, ସରସ୍ୱତୀ, ଶଙ୍ଖଯୋଡ଼ି, ନୂଆଗାଁ ୧୨ଟି ରାଜସ୍ୱ ମୌଜାର ପ୍ରଭାବିତ ଭୂମିମାଲିକମାନେ ଭଦ୍ରକ ପର୍ଯ୍ୟନ୍ତ ନ ଦୌଡ଼ି ଅତି ନିକଟରେ ନିଜର ଜମିଜମା ସଂକ୍ରାନ୍ତୀୟ କାଗଜାତମାନଙ୍କରେ ତୃଟି ଆଦି ମଣ୍ଡଳ ଅଧିକାରୀଙ୍କ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଠାରେ ଉପସ୍ଥିତ ହୋଇ ସଂଶୋଧନ କରିପାରିବେ । ଫଳରେ ଜମିମାଲିକମାନଙ୍କୁ ଆଉ ଭଦ୍ରକ ଦୌଡ଼ି ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ ।

ଏହା ଫଳରେ ସେମାନେ ତାଙ୍କର ନ୍ୟାଯ୍ୟ କ୍ଷତିପୂରଣ ଅର୍ଥ ସଠିକଭାବେ ପାଇପାରିବେ । ଉକ୍ତ କାର୍ଯ୍ୟାଳୟ ଉଦ୍‌ଘାଟନ କରିବା ଅବସରରେ ସମସ୍ତ ପ୍ରଭାବିତ ଭୂମିମାଲିକମାନେ ନିଜର ଜମିଜମା କାଗଜାତମାନ ଠିକ୍ କରାଇବା ସହ କର୍ମଚାରୀମାନଙ୍କୁ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସମୟସୀମା ମଧ୍ୟରେ ଭୂଅର୍ଜ୍ଜନ କାର୍ଯ୍ୟ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସରକାରଙ୍କ୫-ଟି ନିୟମ କଡ଼ାକଡ଼ିଭାବେ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ଏଠାରେ ଶିଳ୍ପ ପାର୍କ ପ୍ରତିଷ୍ଠା ପରେ ଖୁବ୍ ଶିଘ୍ର ଧାମରା ଅଞ୍ଚଳ ଏସିଆର ଗଭୀରତମ ଜଳ ବନ୍ଦର, ବିମାନ ବନ୍ଦର, ସଡ଼କ, ରେଳପଥ ଆଦି ଭିତ୍ତିଭୂମି ସଂପନ୍ନ ଥିବା କାରଣରୁ କେବଳ ଓଡ଼ିଶା କାହିଁକି ଭାରତ ତଥା ବିଶ୍ୱ ଶିଳ୍ପମାନଚିତ୍ରରେ ମୁଖ୍ୟସ୍ଥାନ ଗ୍ରହଣ କରିବ ବୋଲି ଆଶା ବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ତହସିଲଦାର, ମଣ୍ଡଳ ଅଧିକାରୀ ସୁଧାଂଶୁ ମୋହନ ସ୍ୱାଇଁ, ଧାମରା ସ୍ୱତନ୍ତ୍ର ଭୂଅର୍ଜ୍ଜନ କାର୍ଯ୍ୟାଳୟର ଉପବିଭାଗୀୟ ଅଧିକାରୀ ରସିକ ମୋହନ ମହାନ୍ତି ଶିଳ୍ପ ପାର୍କ କକ୍ଷରେ ଉପବିଭାଗୀୟ ଅଧିକାରୀ ହେମନ୍ତ କୁମାର ପ୍ରଧାନ, ଏସ୍‌.ଡ଼ି.ପି.ଓ. ଚାନ୍ଦବାଲି ଦେବୀ ଶଙ୍କର ପ୍ରତାପ ଓ ଓ.ଆଇ.ସି. ଧାମରା ପି.ଏସ୍‌. ଶୋଭନ କୁମାର ସ୍ୱାଇଁ, ଜିଲ୍ଲା ଇନ୍‌ଭେଷ୍ଟମେଣ୍ଟ ପ୍ରମୋଶନ୍ ଏଜେନ୍ସି ଅଧିକାରୀ ତଥା କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ ।