Odiapua.com

ଧାମରା -ଜାମୁଝାଡି ରାସ୍ତା ନିର୍ମାଣକୁ ନେଇ ରାସ୍ତାରୋକ, ଦୈନିକ ୫ଥର ପାଣି ସିଞ୍ଚନ ପାଇଁ ନେତାଜୀ କ୍ଲବ ପକ୍ଷରୁ ଦାବୀ

ଭଦ୍ରକ, ୧୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା-ଜାମୁଝାଡି ରାସ୍ତାରେ ଦୈନିକ ୫ଥର ପାଣି ସିଂଚନ କରିବାକୁ ଦାବୀ କରିବା ସହ ରାସ୍ତାରେ ଭାରି ଯାନ ଚଳାଚଳକୁ ବିରୋଧ କରି ଆଜି ନେତାଜୀ କ୍ଲବ ପକ୍ଷରୁ ରାସ୍ତାରୋକ ହୋଇଥିଲା । କରଞ୍ଜମାଳ ପଂଚାୟତ ମୁନିପଦା ଠାରେ ଏହି ରାସ୍ତାରୋକ ହୋଇଥିଲା । ୨୨୦କୋଟି ଟଙ୍କା ବ୍ୟୟରେ ହେଉଥିବା ଏହି ରାସ୍ତା ନିର୍ମାଣ ସମୟରେ ସାଧାରଣ ଅଂଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଥମତଃ ଏହି ରାସ୍ତାରେ ଭାରିଯାନ ଚଳାଚଳ ହେଉଥିବାରୁ ଧୂଳି ଉଡିବା ସହ ରାସ୍ତା ନିର୍ମାଣ ସମୟରେ ଏହି ରାସ୍ତା ଧୂଳି ଧୂସରିତ ହୋଇ ଯାଉଛି । ଫଳରେ ଅଂଚଳବାସୀ ଏହି ରାସ୍ତା ଦେଇ ଯାତାୟତ କରି ପାରୁ ନାହାନ୍ତି । ଏହି ରାସ୍ତା ନିର୍ମାଣ କରୁଥିବା ୟୁଏମଏସଏଲ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଅଂଚଳବାସୀ ବାରମ୍ବାର ଲିଖିତ ଅଭିଯୋଗ କରିବା ପରେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ଏଥି ପ୍ରତି ସଜାଗ ହେଉନାହାନ୍ତି । ଏହି ଧୂଳି ଏବଂ ଧୂଆଁରେ ଅସ୍ତବ୍ୟସ୍ଥ ହୋଇ ଜୀବନ ଏବଂ ଜିବୀକା ନିର୍ବାହ କରିବା କଷ୍ଟକର ବ୍ୟାପାର ହୋଇ ପଡିଥିବା ବେଳେ ଆଜି ନେତାଜୀ କ୍ଲବ ପକ୍ଷରୁ ଏହାର ବିରୋଧରେ ମୁନିପଦା ଠାରେ ରାସ୍ତାରୋକ ହୋଇଥିଲା । ସକାଳ ୮ଟା ଠାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଏହି ରାସ୍ତାରୋକ ହୋଇଥିଲା ।

ଫଳରେ ଧାମରା ବନ୍ଦରକୁ ଯାଉଥିବା ଭାରିଯାନ ସହ ୟୁଏମଏସଏଲ କମ୍ପାନୀର ସମସ୍ତ ଟ୍ରକ ,ଟିପ୍ପର ଏବଂ ଯାତ୍ରୀବାହୀ ବସ ଗୁଡିକ ଏହି ରାସ୍ତାରେ ଠିଆ ହୋଇଥିଲା । ବାଁଶଡା ଥାନାଧିକାରୀ କରୁଣାକର ରାଉତ ,କରଞ୍ଜମାଳ ଫାଣ୍ଡି ଅଧିକାରୀ ବିଏନ ହେମ୍ବ୍ରମ ଏବଂ ୟୁଏମଏସଏଲ କମ୍ପାନୀର ଅଧିକାରୀ ପାଣି ସିଂଚନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ନେତାଜୀ କ୍ଲବ ପକ୍ଷରୁ ହୋଇଥିବା ରାସ୍ତାରୋକ ହଟିଥିଲା ।ଅପରାହ୍ଣ ୨ଟା ପରେଏହି ରାସ୍ତାରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା । ଏହି ରାସ୍ତାର ଦୈଘ୍ୟ ୬୦ କିମି ହୋଇଥିବା ବେଳେ ମାତ୍ର ୫ କିମି ରାସ୍ତାରେ ପାଣି ସିଂଚନ କରାଯିବ ବୋଲି କମ୍ପାନୀ କର୍ତ୍ତୃପକ୍ଷ ଏବଂ ପ୍ରଶାସନିକ ଅଧିକାରୀ ପ୍ରତିଶ୍ରୁତି ଦେଇଥିବା ବେଳେ ଅବଶିଷ୍ଟ ରାସ୍ତା ରେ ପାଣି ସିଂଚନ ପାଇଁ ପ୍ରଶାସନ କେହି ନିଜକୁ ଦାୟୀ କରୁ ନାହାନ୍ତି ଫଳରେ ଆଗାମୀ ଦିନରେ ଏହି ପ୍ରତିଶ୍ରୁତି କମ୍ପାନୀ କର୍ତ୍ତୃପକ୍ଷ ତଥା ପ୍ରଶାସନକୁ ମହଙ୍ଗା ସାବ୍ୟସ୍ଥ୍ୟ ହେବ ବୋଲି ଧାମରା ଅଂଚଳବାସୀ ଚେତାବନୀ ଦେଲେଣି । କେଉଁ ପରିସ୍ଥିତିରେ ୫ କିମି ରାସ୍ତାରେ ପାଣି ସିଂଚନ କରାଯିବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ଧାମରା ଅଂଚଳର ଦୀର୍ଘ ୨୦ କିମି ରାସ୍ତା ପ୍ରତି ୟୁଏମଏସଏଲର ବୈମାତୃକ ମନୋଭାବ କାହିଁକି! ଏଥି ପ୍ରତି କମ୍ପାନୀ କର୍ତ୍ତୃପକ୍ଷ ସଜାଗ ହେବା ଜରୁରୀ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି ।