Odiapua.com

ଧାମରା-ଜାମୁଝାଡି ରାଜରାସ୍ତା ୧୫-ଏ ସଂପ୍ରସାରଣ ଶେଷ ପର୍ଯ୍ୟାୟରେ, ବିନା ବାଧାବିଘ୍ନରେ କଇଥଖୋଲା ଏବଂ କରଞ୍ଜମାଳରେ ଉଛେଦ ପ୍ରକ୍ରିୟା ଶେଷ ସଠିକ ସମୟରେ ରାସ୍ତା ସଂପୂର୍ଣ୍ଣ ହେବା ନେଇ ଆଶଙ୍କା

ଭଦ୍ରକ, ୧୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା –ଜାମୁଝାଡି ରାସ୍ତାକୁ ନେଇ ଆରମ୍ଭ ହୋଇଥିବା ସଂପ୍ରସାରଣ କାର୍ଯ୍ୟ ଶେଷ ପର୍ଯାୟରେ ପହଂଚିଛି । ଗୋଟିଏ ପକ୍ଷରେ ଚାନ୍ଦବାଲି ବ୍ଲକ ଅର୍ନ୍ତଗତ କରଣପଲ୍ଲୀ,କୁଆମରା,ବଇଁଚା ଆଦି ସ୍ଥାନରେ ଏହି ରାସ୍ତା ସଂପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ପ୍ରଶାସନକୁ କିଛି ଜନସାଧାରଣ ବିରୋଧ କରିଥିବାର ନଜର ଆସିଥିଲା । ଆଜି କଇଖୋଲା ଏବଂ କରଞ୍ଜମାଳ ଠାରେ ଚାଲିଥିବା ଏହି ସଂପ୍ରସାରଣ କାର୍ଯ୍ୟ ବିନା ବାଧା ବିଘ୍ନରେ ଶେଷ ହୋଇ ଯାଇଛି । ଏହା ଫଳରେ ଆଗାମୀ ଦିନରେ ଜାତୀୟ ରାଜପଥ ନଂ ୧୫ଏ ନିର୍ମାଣରେ ଆଉ କୌଣସି ବାଧା ଉପୁଜିବ ନାହିଁ ବୋଲି ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର ମତ ରଖିଛନ୍ତି ।ଆଜିର ଏହି ରାସ୍ତା ସଂପ୍ରସାରଣ ସମୟରେ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର ସୁୁପରଭାଇଜର ଦାଶରଥି ଦାସ, ଧାମରା ଥାନାଧିକାରୀ ଶ୍ରୀକାନ୍ତ କୁମାର ପତି, ବାଂଶଡା ଥାନାଧିକାରୀ କରୁଣାକର ରାଉତ, ଧାମରା ଅତିରିକ୍ତ ତହସିଲଦାର ଚୈତନ ପ୍ରସାଦ ମୁର୍ମୁ ,ଚାନ୍ଦବାଲି ଏସଡିପିଓ ଉମାକାନ୍ତ ମହରଣାଙ୍କ ସମେତ ୨ପ୍ଲାଟୁନ ଫୋର୍ସ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଏହି ରାସ୍ତା ନିର୍ମାଣ କରୁଥିବା କମ୍ପାନୀ ୟୁଏମଏସଏଲ କମ୍ପାନୀର ପ୍ରକଳ୍ପ ଅଧିକାରୀ ନିଜ ମତ ରଖି କହିଥିଲେ ଚାନ୍ଦବାଲି ବ୍ଲକ ଅଧିନରେ ଯାଉଥିବା ରାସ୍ତା ସଂପ୍ରସାରଣରେ ବାଧା ଉପୁଜାଉଥିବା ଦୋକାନୀ ମାନଙ୍କୁ ସଂପ୍ରସାରିତ କରାଯାଇଥିବା ବେଳେ ବାସୁଦେବପୁର ବ୍ଲକ ମଧ୍ୟରେ ଯାଉଥିବା ବହୁ ସ୍ଥାନରେ ଆଜି ମଧ୍ୟ ଏହି ସଂପ୍ରସାରଣ କାର୍ଯ୍ୟ ଶେଷ ହୋଇ ନାହିଁ ଫଳରେ ଆଜି ଭଳି ଦିନରେ ସମସ୍ତ ସଂପ୍ରସାରଣ କାର୍ଯ୍ୟ ଶେଷ ନ ହେବା ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ଆଗକୁ ନେବା ସମ୍ଭବ ପର ହୋଇନାହିଁ ।ଦୀର୍ଘ ୬୦ କି.ମି ରାସ୍ତା ନିର୍ମାଣ କରିବା ପାଇଁ ରାଜ୍ୟସରକାରଙ୍କ ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗ, କେନ୍ଦ୍ର ପ୍ରତିରକ୍ଷା ବିଭାଗ ଏବଂ ଆଦାନୀ ଗ୍ରୁପ ସହଭାଗିତାରେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପ୍ରତ୍ୟେକ ଟି ବିଭାଗ ୭୫କୋଟି କରି ସମୁ୍‌ଦାୟ ୨୧୫ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ରାସ୍ତା ନିର୍ମାଣ ହେବ ବୋଲି ରାଜ୍ୟ ସରକାର ୟୁଏମଏସଏଲ କମ୍ପାନୀ ସହ ଚୁକ୍ତିନାମା କରିଥିଲେ । ଏହି ଚୁକ୍ତିନାମାରେ ନୂତନ ରାସ୍ତା ନିର୍ମାଣ ସମୟରେ ପୁରୁଣା ରାସ୍ତାକୁ ମରାମତ କରାଯିବ ବୋଲି ଉଲ୍ଲେଖ କରାଯାଇଥିଲା ।

ଆଜି ପର୍ଯ୍ୟନ୍ତ ଏହି ପୁରୁଣା ରାସ୍ତା ମରମତି ହୋଇ ପାରି ନାହିଁ, ଫଳରେ କେନ୍ଦ୍ର ପ୍ରତିରକ୍ଷା ବିଭାଗ ପୁନଃ ଏକ ଚିଠିରେ ଚାଇନା ଭାରତ ର ମୁହାଁମୁହିଁ ସମୟରେ ଭାରତ ତାର ପ୍ରତିରକ୍ଷା ପାଇଁ ବିଭିନ୍ନ କ୍ଷେପଣାସ୍ତ୍ର ପରୀକ୍ଷା କରିବା ପାଇଁ ଅବଦୁଲ କଲାମ ଘାଟିକୁ ବିଭିନ୍ନ କ୍ଷେପଣାସ୍ତ୍ର ନେବା ଆଣିବା ପାଇଁ ଏହି ରାସ୍ତା ସଂପୂର୍ଣ ଅକାମୀ ହୋଇ ପଡିଛି ଏବଂ ଖୁବଶ୍ରୀଘ୍ର ମରାମତି କରିବାକୁ ଏହି ଚିଠିରେ ଉଲ୍ଲେଖ ରହିଥିଲା । ମାତ୍ର ଏହି ଚିଠି ବିଭାଗୀୟ ଅଧିକାରୀଙ୍କ ହସ୍ତଗତ ହେବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ରାସ୍ତା ମରାମତି ସମ୍ଭବ ହୋଇ ପାରି ନଥିଲା । ଫଳରେ ସବୁଠାରୁ ଦୂରଗାମୀ ଅଗ୍ନି-୫କ୍ଷେପଣାସ୍ତ୍ରର ପରୀକ୍ଷା ବନ୍ଦ ରଖାଗଲା । ଏହି ରାସ୍ତା ମରାମତି ପାଇଁ ବିନା ମୂଲ୍ୟରେ ଆଦାନୀ କର୍ତୁପକ୍ଷ ବାଲି ଯୋଗାଇଦେବେ ବୋଲି ମୌଖିକ କହିଥିବା ବେଳେ ବର୍ତମାନ ଏହି ସମୁଦ୍ର ବାଲି ପାଇଁ ଆଦାନୀ କମ୍ପାନୀ କର୍ତୁପକ୍ଷ ସ୍କୋୟାର ମିଟର ପାଇଁ ୮୫ଟଙ୍କା ନେଉଥିବା ଜଣାଯାଇଛି । ଏହା ପରେ ମଧ୍ୟ ରାସ୍ତା ନିର୍ମାଣ କରୁଥିବା ୟୁଏମଏସଏଲ ନିର୍ଧାରିତ ସମୟ ସୀମାରେ ଏହି କାର୍ଯ୍ୟ ଶେଷ କରିବା ନେଇ ସନ୍ଦିହାନୀ ହୋଇ ପଡିଛି । ଫଳ ସ୍ୱରୂପ ୟୁଏମଏସଏଲ ୬୦କି.ମି ରାସ୍ତା କୁ ପୁନଶ୍ଚ ୩ଟି ଭାଗରେ ଭାଗ କରି ୩ଜଣ ଠିକାଦାରଙ୍କୁ ଏହି କାର୍ଯ୍ୟ କରିବାକୁ ଆଦେଶ ଦେବା ପରେ ମଧ୍ୟ ଏହି ରାସ୍ତା ନିର୍ମାଣରେ କୌଣସି ସୁଧାର ଆସୁ ନଥିବା ଜଣାଯାଇଛି ।