Odiapua.com

ଧାମରା, ଚାନ୍ଦବାଲି ଓ ବାସୁଦେବପୁରରେ ଭୟଭୀତ ଅବସ୍ଥାରେ ତଳିଆ ଅଂଚଳବାସୀ: ପ୍ରଶାସନ ପକ୍ଷରୁ ବାତ୍ୟା ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟ ଆରମ୍ଭ

ଭଦ୍ରକ, ୨୬/୫(ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) – ସାମୁଦ୍ରିକ ବାତ୍ୟା ୟସ୍ ଆଜି ଅବପାତର ରୂପ ନେବାପରେ ଧାମରା ପରିବର୍ତ୍ତେ ବାଲେଶ୍ବର ଜିଲ୍ଲାର ବାହାନଗାର ସ୍ଥଳ ଭାଗରେ ତାର ଧ୍ୱଂସର ତାଣ୍ଡବ ଲୀଳା ଘଟାଇଛି।ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଧାମରା, ଚାନ୍ଦବାଲି ଓ ବାସୁଦେବପୁର ସମେତ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ବୃଦ୍ଧି ପାଇ ଏବେ ହ୍ରାସ ପାଇବାରେ ଲାଗିଛି। ତେବେ ସମୁଦ୍ର ଉପକୂଳବର୍ତ୍ତୀ ନଦୀକୂଳିଆ ଗ୍ରାମରେ ବସବାସ କରୁଥିବା ଲୋକମାନେ ଏହି ବାତ୍ୟାର ରୂପରେଖ ନେଇ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ରହିଛନ୍ତି। ଏଣୁ ପ୍ରଶାସନ ପକ୍ଷରୁ ପ୍ରାୟ ୧ଲକ୍ଷ୨୦ହଜାରଙ୍କୁ ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳୀ, ସ୍କୁଲ, ଉଚ୍ଚା ସ୍ଥାନଗୁଡିକୁ ସ୍ଥାନାନ୍ତରିତ କରାଯାଇଥିଲେ ମଧ୍ୟ ବହୁ ଲୋକ କରୋନା ଜନିତ ଭୟ ଓ ସେଠାରେ ପାନୀୟ ଜଳ ଓ ଖାଦ୍ୟର ଅଭାବ ଦର୍ଶାଇ ଯିବାକୁ ଅନିଚ୍ଛା ପ୍ରକାଶ କରୁଥିବାର ଦେଖାଯାଇଥିଲା। ଏହି ବାତ୍ୟା ଏତେ କରାଳ ରୂପ ଧାରଣ କରିଥିଲାଯେ ଉପରୋକ୍ତ ଅଞ୍ଚଳରେ ବଡ଼ ବଡ ଗଛ, କଚା ଘର ଗୁଡିିିକ ଭାଙ୍ଗିପଡିଥିଲା। ଏସବୁ ଅଂଚଳରେ ୧୨୦କିମିରୁ ଉର୍ଦ୍ଧ୍ବ ଗତିରେ ପବନ ବହି ବହୁ କ୍ଷୟକ୍ଷତି ଘଟାଇଛି।ଅନେକ ଗଛ, ବିଦ୍ୟୁତ ଖୁଣ୍ଟ ଉପୁଡି ରାସ୍ତା ଘାଟ ବିଛିନ୍ନ ହୋଇଛି।ଏବେ ଏନଡ଼ିଆରଏଫ ଓ ଓଡ୍ରାଫ ଟିମ ପହଂଚି ସେଗୁଡିକୁ ଅପସାରଣ କରୁଛନ୍ତି।ଜିଲାପାଳ ଡ଼.ଜ୍ଞାନ ଦାସଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଅଦ୍ୟାବଧି ପ୍ରାୟ୧ଲକ୍ଷ ୨୦ହଜାର ଲୋକଙ୍କ ମଧ୍ୟରେ ବହୁ ରୋଗୀ ଓ ବୃଦ୍ଧା-ବୃଦ୍ଧଙ୍କୁ ଜିଲା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ସେମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଦିଆଯାଇଛି।ତେବେ ଜିଲ୍ଲାରେ ଥଇଥାନ କରାଯାଇଥିବା ସମୁଦାୟ ୨୨୪ଜଣ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୬୯ ଜଣଙ୍କର ସନ୍ତାନ ଜନ୍ମ ହୋଇଛି। ଭଦ୍ରକ ପୌରପାଳିକାରେ ଲୋକଙ୍କୁ ଡ଼ିଜି ସେଟ ଯୋଗେ ପାନୀୟ ଜଳ ଯୋଗାଣ ହେବାସହ ୭୯ଟି ପମ୍ପ ହାଉସ ମଧ୍ୟରୁ ୩୬ଟିକୁ ଜେନେରେଟର ମାଧ୍ୟମରେ କାର୍ଯ୍ୟକ୍ଷମ କରାଯାଇଛି।ରାତି ୯ରୁ ୧୦ଟା ମଧ୍ୟରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳର କେତେକ ସ୍ଥାନରେ ବିଦ୍ୟୁତ ସଂଯୋଗ କରାଯିବ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।ଏବେ ବର୍ଷା ଓ ପବନର ସାମାନ୍ୟ ପରିବର୍ତ୍ତନ ହୋଇଛି। ତେବେ ୟସର ପ୍ରଭାବରେ ଧାମରା, ଚାନ୍ଦବାଲି, ବାସୁଦେବପୁରରେ ପ୍ରବଳ କ୍ଷୟକ୍ଷତି ହୋଇଥିବାବେଳେ ଭଦ୍ରକ, ତିହିଡି, ଧାମନଗର ଓ ଭଣ୍ଡାରିପୋଖରୀରେ ମଧ୍ୟ କ୍ଷତି ଘଟାଇଛି। ଜିଲ୍ଲାପାଳଙ୍କ ସୂଚନାମୂଳେ ଏହି ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ କୋୖଣସି ଗୋ ପଶୁସମ୍ପଦ ଓ ଜନ ଜୀବନ କ୍ଷୟକ୍ଷତି ଘଟିଥିବାର ଜଣାପଡିନାହିଁ।ପରିସ୍ଥିତିର ସୁଧାରପରେ ଗୃହ ଓ ଧନ ସମ୍ପଦର ଆକଳନ କରାଯାଇ ସରକାରୀ ସହାୟତା ଯୋଗାଇ ଦିଆଯିବବୋଲି ସେ କହିଛନ୍ତି।