Odiapua.com

ଧାମରା-କେଉଁଝରରୋଡ-ଯାଜପୁର ରେଳପଥର ବାସ୍ତବ ରୂପାୟନ କେବେ!

oppo_0

ଭଦ୍ରକ, ୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା –କେଉଁଝରରୋଡ -ଯାଜପୁର କୁ ରେଳପଥରେ ଯୋଡିବା ପାଇଁ କେନ୍ଦ୍ର ସରକାର ସମସ୍ତ କାର୍ଯ୍ୟ ସାରିଥିବା ବେଳେ କେବେ ଏହି କାର୍ଯ୍ୟ ଆରମ୍ଭ ହେବ ସେ ନେଇ ପ୍ରଶ୍ନବାଚୀ ହୋଇ ପଡିଛି। ଏହି ରେଳପଥ ବାସ୍ତବ ରୂପ ନେଲେ ଏହା ଉପରେ କେବଳ ଶିଳ୍ପାୟନ ନୁହେଁ ପର୍ଯ୍ୟଟନ ଶିଳ୍ପ ମଧ୍ୟ ଉପକୃତ ହେବା ସହ କେବଳ ରାଜ୍ୟ ସରକାରଙ୍କର ନୁହେଁ କେନ୍ଦ୍ର ସରକାରଙ୍କ ରାଜସ୍ୱ ବାସ୍ତବ ଠାରୁ ବହୁ ଆଗରେ ରହିବ ବୋଲି ବୁଦ୍ଧିଜିବୀ ଆଶା ପ୍ରକଟ କରିଛନ୍ତି। ଏହି ରେଳପଥ ନିର୍ମାଣ ପାଇଁ ଯାଜପୁର ରୋଡ -ଧାମରା ରେଳପଥ ସଂଗ୍ରାମ ସମିତି ବହୁବାର କେନ୍ଦ୍ର ସରକାରଙ୍କ ନିକଟରେ ନିଜର ଦାବୀ ଉପସ୍ଥାପନ କରିଥିଲା। ୨୦୧୫ ମସିହାରେ ଏହି ୯୬ କି.ମି ରେଳପଥ ସର୍ଭେ ପାଇଁ କେନ୍ଦ୍ର ସରକାର ୨.୪କୋଟି ଟଙ୍କା ବ୍ୟୟ ବରାଦ କରିବା ପରେ ଏହାର ଚୁଡାନ୍ତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯାଇଥିଲା। ଏହି ରେଳପଥ ନିର୍ମାଣ ହେଲେ ଏହା ଏକ ଲାଭଦାୟକ ରେଳପଥ ହେବା ସହ ଓଡିଶା ରାଜ୍ୟର ମୁଖ୍ୟ ଶିଳ୍ପାଂଚଳ ଯଥା କେଉଁଝର ରୋଡ, ଯାଜପୁର ଏବଂ ଧାମରା ମଧ୍ୟରେ ବନ୍ଦର ସଂଯୋଗୀ କରଣ ସ୍ଥାପନା ହେବା ସହ କେନ୍ଦ୍ରାପଡା, ଯାଜପୁର, କେଉଁଝର ଏବଂ ଭଦ୍ରକ ଜିଲ୍ଲାର ସାଧାରଣ ଜନତାଙ୍କ ମଧ୍ୟରେ ରେଳପଥରେ ଗମନା ଗମନର ସୁଯୋଗ ସୃଷ୍ଟି ହେବ। ଏଥିସହ ଯାଜପୁରର ପ୍ରତିଷ୍ଠିତ ଦେବୀ ମା ବିରଜା, ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣୀ ପୀଠ , ଧାମରାର ମା ଧାମରାଇ ଏବଂ କେଉଁଝରର ମା ତାରିଣୀ ଙ୍କ ପୀଠ ସହ ଯୋଗାଯୋଗ ସ୍ଥାପନା ହେବା ସହ ଓଡିଶା ଭଳି ରାଜ୍ୟର ପର୍ଯ୍ୟଟନ ଶିଳ୍ପର ସାମୁହିକ ବିକାଶ ମଧ୍ୟ ହୋଇ ପାରିବ। ବନ୍ଦର ସଂଯୋଗୀ କରଣ ହେବା ଫଳରେ ଲୁହା ପଥର, ମାଙ୍ଗାନିଜ ଏବଂ କୋଇଲା ପଥର ଆଦି ସାମଗ୍ରୀ କେଉଁଝର,ବାଂଶପାଣି ଏବଂ ଯୋଡା ଆଦି ଖଣିରୁ ଏହି ରେଳପଥରେ ଧାମରା ବନ୍ଦରକୁ ଆସିବା ସହ ଆମଦାନୀ ଏବଂ ରପ୍ତାନୀରେ ଏହି ରେଳପଥ ସହାୟ ହୋଇ ପାରିବ । କଳିଙ୍ଗନଗର ଏବଂ ଧାମରା ବନ୍ଦରକୁ ଏହି ରେଳପଥ ସଂଯୋଗୀକରଣ ରପ୍ତାନୀ ବୃଦ୍ଧିରେ ଏକ ମାଇଲଖୁଂଟ ଭାବେ ଉଭା ହେବ। ଗତ ଜୁଲାଇ ୨୦୨୪ ରେ ପୂର୍ବତଟ ରେଳପଥ ଏହି ରେଳତ୍ପଥ ସଂଯୋଗୀ କରଣ ପାଇଁ ଡିପିଆର(ଡିଟେଲ ପ୍ରୋଜେକ୍ଟ ରିପୋର୍ଟ) ତିଆରୀ କରି କେନ୍ଦ୍ର ସରକାରଙ୍କୁ ଅବଗତ କରାଇଛି। କେଉଁଝର ରୋଡ- ଯାଜପୁର- ଧାମରା ନୂତନ ରେଳପଥ ର ଲମ୍ବ ୯୬ କି.ମି ପରିବର୍ତେ ୧୦୧ କି.ମି ହେବ। ଏହି ନୂତନ ରେଳପଥ ପ୍ରକଳ୍ପ ପାଇଁ ବ୍ୟବବରାଦ ୨୯୯୬.୮୨ କୋଟି ରହିବାର ଆବଶ୍ୟକତା ଅଛି। ଏହି ରେଳପଥ ନିର୍ମାଣ ହେବାକୁ ଅତିକମରେ ୩-୪ବର୍ଷ ଲାଗିବ।ସିଭିଲ କାର୍ଯ୍ୟ ପାଇଁ ୨୪୯୬.୨୪କୋଟି ଟଙ୍କାର ଆବଶ୍ୟକତା ରହିଥିବା ବେଳେ ସିଗନାଲ ଏବଂ ଟେଲିକମ୍ୟୁନିକେସନ ପାଇଁ ୧୯୬କୋଟି ଟଙ୍କା, ବିଦ୍ୟୁତକରଣ ପାଇଁ ୩୦୪ କୋଟି ଟଙ୍କା ର ଆବଶ୍ୟକତା ଅଛି। ଏହି ରେଳପଥ ନିର୍ମାଣ କରିବାକୁ ହେଲେ ଏହି ୧୦୧ କି.ମି ମଧ୍ୟରେ ୨ଟି ଲେଭଲ କ୍ରସିଂ, ୩୦ଟି ବଡ ଏବଂ ୮୮ଟି ଛୋଟ ପୋଲର ଆବଶ୍ୟକତା ମଧ୍ୟ ରହିଛି। ଏହି ଛୋଟ ଏବଂ ବଡ ପୋଲ ଗୁଡିକର ଦୈଘ୍ୟ ୮ କି.ମି ହେବ ବୋଲି ମଧ୍ୟ ଏଥିରେ ପ୍ରସ୍ଥାବ ଅଛି।  ଏହା ମଧ୍ୟରେ ୧୪ଟି ଓଭର ବ୍ରିଜ ୩୭ଟି ଗଳା ପୋଲ ମଧ୍ୟ ସ୍ଥାନ ପାଇବ।

ଏହି ରେଳପଥ ନିର୍ମାଣ ହେବା ଦ୍ୱାରା କେନ୍ଦ୍ରାପଡା ଜିଲ୍ଲାର ଭିତର କନିକା ଜାତୀୟ ଉଦ୍ୟାନକୁ ମଧ୍ୟ ରେଳପଥରେ ସଂଯୋଗୀ କରଣ ହୋଇ ପାରିବ ଏଥିସହ ବହୁ ବିଦେଶୀ ପର୍ଯ୍ୟଟକ ଆସିବା ଫଳରେ ପର୍ଯ୍ୟଟନ କ୍ଷେତ୍ରରେ ଦେଶ ତଥା ରାଜ୍ୟ ବୈଦେଶିକ ମୁଦ୍ରା ଭଣ୍ଡାରର ବୃଦ୍ଧି ହେବ। ଏହି ରେଳପଥ ଛୋଟରାଇ ପୁର, ରାମପୁର ଶେଗଡି, ବାହାବଳପୁର, ଯାଜପୁର ଟାଉନ, ଜଳେଶ୍ୱର ପୁର, ସାଇପୁରା,ମଙ୍ଗଳପୁର, ଆରଡି,ଚାନ୍ଦବାଲି ଏବଂ ଭିତରକନିକା ଦେଇ ଧାମରା ସହ ଯୋଡିହେବ। ୧୦୧ କି.ମି ମଧ୍ୟରେ ୨ଟି ଷ୍ଟେସନ ଯଥା ବାହାବଳପୁର ଏବଂ ଜଳେଶ୍ୱରପୁର ଠାରେ ନିର୍ମାଣ ହେବ। ଏହି ରେଳପଥ ନିର୍ମାଣ ପାଇଁ ୬୫୭.୦୬ ହେକ୍ଟର ଜମିର ଆବଶ୍ୟକତା ରହିଥିବା ବେଳେ ୫୩୨.୭୫ହେକ୍ଟର ଜମି ବେସରକାରୀ ହୋଇଥିବା ବେଳେ ୫.୧୭ହେକ୍ଟର ଭଦ୍ରକ ଏବଂ ଯାଜପୁର ବନବିଭାଗର ବୋଲି ଜଣାଯାଇଛି। ଏହି ରେଳପଥ ନିର୍ମାଣ ପାଇଁ ୧୩୫.୪୫ କି.ମି ଲମ୍ବର ରେଳଟ୍ରାକ ନିର୍ମାଣ ମଧ୍ୟ କରାଯିବ ବୋଲି ଦିଆଯାଇଥିବା ରିପୋର୍ଟରେ ଉଲ୍ଲେଖ ଅଛି। ଏହି ରେଳପଥ ନିର୍ମାଣ ହେବା ଦ୍ୱାରା ଯାଜପୁର ଏବଂ ଧାମରା ମଧ୍ୟରେ ଦୂରତା ୧୨କିମି କମ ହେବା ସହ ୩୦ଲକ୍ଷ ଲୋକ ଉପକୃତ ହୋଇ ପାରିବେ। ଏହି ଡିପିଆର ରେଳବୋର୍ଡକୁ ମଞୁରୀ ପାଇଁ ପଠାଯାଇଛି ଏହା ମଞୁର ହୋଇଗଲେ ଏହି ରେଳପଥ ୪ବର୍ଷ ମଧ୍ୟରେ ସଂପୂର୍ଣ ହେବ। ଏହି ରେଳପଥ ନିର୍ମାଣ ହେବା ଦ୍ୱାରା କେବଳ ରାଜ୍ୟ ତଥା ଦେଶର ଆର୍ଥିକ ଅଭିବୃଦ୍ଧି ନୁହେଁ ପ୍ରତିରକ୍ଷା କ୍ଷେତ୍ରରେ ଏହା ମଧ୍ୟ ସହାୟ ହେବ। ଧାମରା ନିକଟସ୍ଥ ଅବଦୁଲ କଲାମ ଘାଟିକୁ ରେଳପଥରେ ସଂଯୋଗୀ କରଣ ହେବା ଦ୍ୱାର ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଏହା ଏକ ମାଇଲ ଖୁଂଟ ସଦୃଶ ହୋଇ ପାରିବ। ଏହି ରେଳପଥ ରେ ଖଣିଜ ପଦାର୍ଥ ସୁକିନ୍ଦା ଖଣି ଅଂଚଳ ,କେଉଁଝର ଏବଂ ତାଳଚେର କୁ ସଂଯୋଗୀ କରଣ ହେବା ସହ ଅନୁଗୁଳ ଏବଂ କଳିଙ୍ଗ ନଗର ଅଂଚଳକୁ ଯୋଗାଯୋଗ କ୍ଷେତ୍ରରେ ସହାୟ ହୋଇ ପାରିବ । ଚଳିତ ବର୍ଷ କେନ୍ଦ୍ର ସରକାର ଏହି ରେଳପଥ ପାଇଁ କୌଣସି ବ୍ୟୟ ବରାଦ ରଖି ନଥିବା ବେଳେ ଦିନକୁ ଦିନ ଭଦ୍ରକ,ଯାଜପୁର,କେଉଁଝର ଏବଂ କେନ୍ଦ୍ରାପଡା ଜିଲ୍ଲାର ୩୦ଲକ୍ଷ ଲୋକଙ୍କ ଆଶା ମଉଳିବାରେ ଲାଗିଛି। ତୁରନ୍ତ କେନ୍ଦ୍ର ସରକାର ଏହି ନୂତନ ରେଳପଥ ପାଇଁ ବ୍ୟୟ ବରାଦ କରିବା ପରେ ଟେଣ୍ଡର କରାଯାଇ ୪ବର୍ଷ ମଧ୍ୟରେ କେଉଁଝର,ଯାଜପୁର, ଭଦ୍ରକ ଏବଂ କେନ୍ଦ୍ରାପଡା ମଧ୍ୟରେ ରେଳ ସଂଯୋଗୀକରଣ ହୋଇ ପାରିବ ବୋଲି ଆଶା।