Odiapua.com

ଧାମରା-କାଳିନାଳୀ-ତାଳଚୁଆ ଆର୍ନ୍ତଜିଲ୍ଲା ଜଳପଥ ପରିବହନ ସାଗରମାଳା : ପ୍ରକଳ୍ପର ଅଭିମୂଖେ ପୋର୍ଟ ନିର୍ଦ୍ଦେଶକ ଏବଂ ପ୍ରମୁଖ ସଚିବ

ଭଦ୍ରକ, ୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ନିକଟସ୍ଥ ଦୋସିଙ୍ଗା ପଂଚାୟତସ୍ଥ କାଳିନାଳୀ- ତାଳଚୁଆ ଆର୍ନ୍ତଜିଲ୍ଲା ଜଳପଥ ପରିବହନ ସାଗରମାଳା ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ନେଇ ଆଜି ରାଜ୍ୟ ବନ୍ଦର ନିର୍ଦେଶକ ଏବଂ ବାଣିଜ୍ୟ ବିଭାଗର ପ୍ରମୁଖ ସଚିବ ଧାମରା ଗସ୍ଥ କରି ଫେରିଛନ୍ତି । ରାଜ୍ୟ ସରକାରଙ୍କ ବାଣିଜ୍ୟ ଏବଂ ଆର୍ନ୍ତଜିଲ୍ଲା ଜଳପଥ ପରିବହନ ପ୍ରାଧିକରଣ ସଂସ୍ଥା ଏହି ଆର୍ନ୍ତଜିଲ୍ଲା ପରିବହନକୁ ସାଗରମାଳା ଯୋଜନାରେ ଅର୍ନ୍ତଭୁକ୍ତ କରିବା ପାଇଁ ଚୁଡାନ୍ତ ପ୍ରକ୍ରିୟା ଶେଷ କରି କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଥିଲେ । କେନ୍ଦ୍ର ସରକାରଙ୍କ ଜାହାଜ ଚଳାଚଳ ମନ୍ତ୍ରଣାଳୟ ନିକଟରୁ ସବୁଜସଙ୍କେତ ମିଳିବା ପରେ ଆଜି ରାଜ୍ୟ ବନ୍ଦର ବିଭାଗର ନିର୍ଦେଶକ ସୁବ୍ରତ ରାଉତ,ବାଣିଜ୍ୟ ବିଭାଗର ପ୍ରମୁଖ ସଚିବ ମଧୁସୂଦନ ପାଢୀ, ଭଦ୍ରକ ଉପଜିଲ୍ଲାପାଳ ଅରୁଣ ମହାପାତ୍ର ଆସି ଧାମରାରେ ୩ଟା ସମୟରେ ପହଂଚିଥିଲେ । ଏଠାରେ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର, ଅତିରିକ୍ତ ତହସିଲଦାର ଚୈତନ୍ୟ ପ୍ରସାଦ ମୁର୍ମୁ, ସୁପରଭାଇଜର ଦାଶରଥି ଦାସ ସେମାନଙ୍କୁ ସ୍ୱାଗତ କରିଥିଲେ । ପରେ ଏକ ବୋଟରେ ଧାମରା ରୁ ବାହାରି କାଳିନାଲୀ, ଏବଂ ତାଳଚୁଆ ଅଭିମୁଖେ ଯାତ୍ରା କରିଥିଲେ । ଏହି ୩ଟି ସ୍ଥାନରେ ସରଜମିନ ତଦନ୍ତ କରି କିପରି ଏହି ଜେଟି ନିର୍ମାଣ ହେବା ସହ ଭଦ୍ରକ ଜିଲ୍ଲାର ଧାମରା ରୁ କେନ୍ଦ୍ରାପଡା ଜିଲ୍ଲାର ତାଳଚୁଆ ସଂଯୋଗୀ କରଣ କରାଯିବ ସେ ନେଇ ବ୍ଲୁ ପ୍ରିଂଟ ପ୍ରସ୍ତୁତ ହୋଇ ସାରିଛି ଏବଂ ଖୁବ ଶୀଘ୍ର ଏହି କାର୍ଯ୍ୟ ଆରମ୍ଭ ହେବ ବୋଲି ମତବ୍ୟକ୍ତ କରିଥିଲେ । ଧାମରା ନିକଟସ୍ଥ କାଳିନାଳୀ ଘାଟଠାରୁ କେନ୍ଦ୍ରାପଡା ଜିଲ୍ଲାର ତାଳଚୁଆ ଫେରିଘାଟକୁ ଯାତାୟତ କରୁଥିବା ଲୋକ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହାକୁ ସାଗରମାଳା ଯୋଜନାରେ ଅର୍ନ୍ତଭୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ବାଣିଜ୍ୟ ବିଭାଗ ଅବଗତ କରାଇଥିଲା । ଇତି ମଧ୍ୟର କେନ୍ଦ୍ର ସରକାର ଏହାକୁ ସ୍ୱୀକୃତୀ ଦେବା ସହ କାଳିନାଳୀ ଘାଟରେ ମୂର୍ତିକା ପରୀକ୍ଷା କରିବାକୁ ଆଦେଶ ଦେଇଥିଲେ । ଏହି ଆଦେଶ ପାଇବା ପରେ ଆଇ ଆଇ ଆଇ ଟି ଚେନ୍ନାଇର ଯନ୍ତ୍ରୀ ମାନେ ଆସି ଏହାର ମୂର୍ତିକା ପରୀକ୍ଷଣ କରିବା ସହ ଶେଷ ରିପୋର୍ଟ କେନ୍ଦ୍ର ସରକାରଙ୍କ ପାଖରେ ଦାଖଲ କରିଥିଲେ ।

 

 

ଏହି ସାଗରମାଳା ଯୋଜନାରେ ଧାମରା ଠାରେ ଥିବା କାଳିନାଳୀ ଘାଟ ଏବଂ କେନ୍ଦ୍ରାପଡାର ତାଳଚୁଆ ଫେରିଘାଟରେ ୨ଟି ଅତି ଉନ୍ନତ ମାନର ଏରୋଫାକ୍ସ ଜେଟି ନିର୍ମାଣ କରାଯିବ । ଏଥିସହ ୨ବଡ ଭେସଲ ପ୍ରତି ଘଂଟା ଅନ୍ତରରେ ୨ଟି ସ୍ଥାନରୁ ଛାଡିବ ଏହି ଭେସଲରେ ଟ୍ରକ,ବସ ଯାତାୟତ କରିବା ସୁବିଧା ହୋଇପାରିବା ସହ ଆଗାମୀ ଦିନରେ ଏହି ଜେଟିରୁ ବାର୍ଜ ଯୋଗେ ମଧ୍ୟ ମାଲ ପରିବହନ ହୋଇ ପାରିବ ।ଏହି ସେବା ଉପଲବଦ୍ଧ ହେବା ପରେ ବିଶ୍ୱଏøøତିହ ଭିତରକନିକାକୁ ଯାତାୟତ କରିବା ପାଇଁ ସିଧାସଳଖ ବସ ଯୋଗେ ଟୁରିଷ୍ଟ ମାନେ ଆସି ଏହି ସ୍ଥାନ ବୁଲି ପାରିବେ ବୋଲି ପ୍ରକାଶ ।ଏହା ଫଳରେ ରାଜ୍ୟ ସରକାରଙ୍କ ରାଜସ୍ୱ ବୃଦ୍ଧିପାଇବା ସହ ବହୁ ସଂଖ୍ୟାରେ ଟୁରିଷ୍ଟ ବସ ଯୋଗେ ଭିତରକନିକାକୁ ଯାଇ ପାରିବେ । କୋଲକାତା ରୁ ଆସୁଥିବା ଟୁରିଷ୍ଟ ମାନଙ୍କର ଦୂରତା କମିବା ସହ ଖୁବ କମ ସମୟ ମଧ୍ୟରେ ଭିତରକନିକାକୁ ଯାତାୟତ କରି ପାରିବେ । ପ୍ରାଥମିକ ପ୍ରଦକ୍ଷେପ ସ୍ୱରୂପ ଧାମରା କାଳୀନାଳୀ ଠାରୁ ବଙ୍ଗୋପସାଗର ମୁହାଣ ଏବଂ କେନ୍ଦ୍ରାପଡା ଜିଲ୍ଲାର ତାଳଚୁଆ ଫେରିଘାଟ ପର୍ଯ୍ୟନ୍ତ ଥିବା ଜଳପଥକୁ ଡ୍ରେଜିଂ କରାଯିବ ଏବଂ ପ୍ରତି ମାସ ଏହି ମୁହାଣ ଅଂଚଳ ପୋତି ପଡୁଥିବାରୁ ଏହାକୁ ପ୍ରତିମାସରେ ଡ୍ରେଜିଂ କରାଯିବା ବୋଲି ଜଣାଯାଇଛି । ଏହି କାର୍ଯ୍ୟ ନିମନ୍ତେ କେନ୍ଦ୍ର ସରକାର ପରିବେଶ ମଞୁରୀ ମିଳି ଯାଇଛି । ୧ଶହ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହୋଇଯିବ ବୋଲି ରାଜ୍ୟ ସରକାରଙ୍କ ବନ୍ଦର ନିର୍ଦେଶକ ସୁବ୍ରତ ରାଉତ, ଏବଂ ବାଣିଜ୍ୟ ବିଭାଗର ପ୍ରମୁଖ ସଚିବ ମଧୁସୂଦନ ପାଢୀଙ୍କ ନିକଟରୁ ପ୍ରକାଶ ।ଏହି ସାଗରମାଳା ଯୋଜନା କାର୍ଯ୍ୟକାରୀ ହୋଇଗଲେ ଆର୍ନ୍ତଜିଲ୍ଲା ପରିବହନ ସେବା ର ଗୁରୁତ୍ୱ ବଢିବା ସହ ଧାମରାର ଗୁରୁତ୍ୱ ବିଶ୍ୱ ଦରବାରରେ ବଢିଯିବ ବୋଲି ଅଂଚଳବାଶୀ ଆଶାବାଦୀ ।