Odiapua.com

ଧାମରା ଆରଆଇ ଅଫିସ କୋଠା ଉପରେ ଶୋଭା ପାଉଛି ପାଣି ପଲିଥିନ, ପାଣି ପଡି ନଷ୍ଟ ହେଉଛି ବହୁ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେଉଁଠି ଛାତ ଭାଙ୍ଗି ଖସି ପଡିଛି ତ କେଉଁଠି ବର୍ଷା ପାଣି ଟପ୍ ଟପ୍ ହୋଇ ପଡୁଛି । ଘର ଚଟାଣ ସାରା ଓଦା ଅଖା । ଆଉ ଛାତ ଘୋଡାଇବା ସହ ଗୁରୁତ୍ୱପୂର୍ଣ୍ଣ ନଥିପତ୍ରକୁ ରକ୍ଷା କରିବା ପାଇଁ ବାତ୍ୟା ସହାୟତା ଲାଗି ଆସିଥିବା ପଲିଥିନକୁ ନେଇ ପ୍ରୟାସ । ମୁଖ୍ୟ ଫାଟକ ଠାରୁ ୩୦ ମିଟର ଦୂରରେ ଥିବା ଇଂରେଜ ଅମଳର ସେହି ପରୁଣା କୋଠା ପର୍ଯ୍ୟନ୍ତ ଆଣ୍ଠୁଏ ପାଣି ଆଉ ତା ଭିତରେ ଅତି ଦହନୀୟ ଅବସ୍ଥାରେ ଅଛନ୍ତି ରାଜ୍ୟ ସରକାରଙ୍କର ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟକରୁଥିବା କିଛି ଅଫିସର । ଆଜ୍ଞା ଏ ଆଉ କେଉଁ ସ୍ଥାନ ନୁହେଁ , ଏ ହେଉଛି ଚାନ୍ଦବାଲି ତହସିଲ ଅଧିନ ଧାମରା ରାଜସ୍ୱ କାର୍ଯ୍ୟଳୟର ଦହନୀୟ ଅବସ୍ଥା । ଯେଉଁଠି ରାଜ୍ୟ ସରକାରଙ୍କର ନିଜସ୍ୱ ଗୁରୁତ୍ୱ ପୂର୍ଣ୍ଣ ବିଭାଗ ସୁରକ୍ଷିତ ନୁହେଁ ସେଠାରେ ବନ୍ୟା, ବାତ୍ୟାରେ ଉବୁଡୁବୁ ହେଉଥିବା ଅଂଚଳବାସୀ କିପରି ସୁରକ୍ଷିତ ତାହା ସହଜେ ଅନୁମେୟ । ତେବେ ଚାନ୍ଦବାଲି ବ୍ଲକର ଏହି ଗୁରୁତ୍ୱପୂର୍ଣ୍ଣ ରାଜସ୍ୱ ନିରିକ୍ଷକଙ୍କ କାର୍ଯ୍ୟାଳୟ ଏତେ ଅବହେଳିତ କାହିଁକି ! କଣ ସରକାରଙ୍କର ଉଦାସୀନତା କିମ୍ବା ଅଣଦେଖା ତାହା ସହଜେ ବିଶ୍ୱାସ ହେଉ ନ ଥିବା ବେଳେ ଗତ କିଛି ଦିନ ଆଗରୁ ଆଦାନୀ ଧାମରା ବନ୍ଦର ଦ୍ୱାରା ନିର୍ମୀତ ହୋଇଥିବା ଅତିରିକ୍ତ ତହସିଲଦାରଙ୍କ କାର୍ଯ୍ୟାଳୟ ମଧ୍ୟ ପାଣିରେ ଉବୁଡୁବୁ । ନିମ୍ନ ମାନର କାମ କରି ଜିଲ୍ଲା ପ୍ରଶାସନର ବିଶ୍ୱାସ ଭାଜନ ହୋଇଥିବା ଆଦାନୀ ବନ୍ଦର କମ୍ପାନୀର ଏହି କୋଠା ମାତ୍ର ଗୋଟିଏ ବର୍ଷରେ ଭଗ୍ନ ଅବସ୍ଥାକୁ ଆସିଥିବା ବେଳେ ଏହି କୋଠା ଆଉ ବ୍ୟବହାର ଯୋଗ୍ୟ ନୁହେଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଶହ ଶହ ବର୍ଷ ପୂର୍ବରୁ କନିକା ରାଜାଙ୍କ ଅମଳରୁ ବାଲି,ଚୁନ ଓ ଗୁଡ ଦ୍ୱାରା ନିର୍ମିତ ଏହି ୭୦୦ ଫୁଟର କୋଠାଟି ପ୍ରଥମେ ରାଜ କର୍ମଚାରୀଙ୍କ ଖଜଣା ଆଦାୟର ପେଣ୍ଠସ୍ଥଳ ଥିଲା ।

ପରେ ଏହି କୋଠାଟି ରାଜ୍ୟ ସରକାରଙ୍କର ରାଜସ୍ୱ ନିରିକ୍ଷକଙ୍କ କାର୍ଯ୍ୟାଳୟରେ ପରିଣତ ହୋଇଥିବା ବେଳେ ୧୯୯୯ ମସିହାରେ ଏହି କୋଠାର ଟାଇଲ ଛାତକୁ କାଢି ପକ୍ଟା ଛାତ ନିର୍ମାଣ କରାଯାଇଥିଲା । ତେବେ ଉପଯୁକ୍ତ ରକ୍ଷଣାବେକ୍ଷଣ ଯୋଗୁ ଆଜି ଏହି କୋଠାର ଛାତ ଅଧିକାଂଶ ସ୍ଥାନରେ ଭାଙ୍ଗି ଖସିପଡିବା ଓ ବହୁ ଗୁରୁତ୍ୱ ପୂର୍ଣ୍ଣ ନଥିପତ୍ର ଓଦ ।ହୋଇଯିବା ଘଟଣା ଦେଖିବାକୁ ମିଳୁଛି । ଖାଲି ଧାମରା ଆରଆଇ ଅଫିସ ନୁହେଁ ଗତ କିଛି ଦିନ ଆଗରୁ ଆଦାନୀ ଧାମରା ବନ୍ଦର କମ୍ପାନୀ ଦ୍ୱାରା ନିର୍ମିତ ଅତିରିକ୍ତ ତହସିଲଦାରଙ୍କ ନୁତନ କାର୍ଯ୍ୟାଳୟ ମଧ୍ୟ ବର୍ଷା ପାଣିରେ ଉବୁଡୁବ ହେବା ଦେଖିବାକୁ ମିଳୁଛି । ତେବେ ସବୁଠୁ ବଡ କଥା ହେଲା ମୁଖ୍ୟ ଫାଟକ ଠାରୁ କାର୍ଯ୍ୟାଳୟ ପର୍ଯ୍ୟନ୍ତ ୩୦ ମିଟର ରାସ୍ତାରେ ଆଣ୍ଠୁଏ ପାଣିରେ ସବୁ ସମୟରେ ବୁଡି ରହୁଥିବା ବେଳେ ଲୋକେ ମାନେ ଲୁଗା ଟେକି ଅଫିସକୁ ଯିବା ଆସିବା କରୁଛନ୍ତି । ତେବେ ଏହି ଆରଆଇ ଅଫିସକୁ ଲାଗି କର୍ମଚାରୀ ରହିବା ପାଇଁ ନିର୍ମୀତ ଆଜବେଷ୍ଟ ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯିବାକୁ ବସିଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ମରାମତି ହୋଇପାରୁନାହିଁ । ତେବେ ଏ ନେଇ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୁତାରଙ୍କ ମତାମତ ନେବାରୁ ସେ ଏ ନେଇ ସେ ଦିର୍ଘ ଦିନ ହେବ ଭଦ୍ରକ ଜିଲ୍ଲାପାଳ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ବହୁ ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କିଛି ଉତ୍ତର ମିଳିନାହିାଁ ଇତି ମଧ୍ୟରେ ଭଦ୍ରକ ଜିଲ୍ଲାପାଳ ବଦଳି ହୋଇ ନୂତନ ଜିଲ୍ଲାପାଳ କାର୍ଯ୍ୟରେ ଯୋଗ ଦେଇଥିଲେ ମଧ୍ୟ କାର୍ଯ୍ୟଶୂନ । ଏହାର ପରିଣାମ ସ୍ୱରୁପ ଚଳିତ ମାସ ବର୍ଷାରେ ବହୁ ନଥିପତ୍ର ବର୍ଷା ପାଣି ପଡି ନଷ୍ଟ ହୋଇ ଯାଇଛି । ଏହି ବାବଦରେ ଧାମରା ଆରଆଇ ତୁଷାର ମହାପାତ୍ରଙ୍କୁ ପଚାରିବାରୁ ସେ ଏହି ନଷ୍ଟ ହୋଇଥିବା ବିଷୟରେ ଚାନ୍ଦବାଲି ତହସିଲଦାରଙ୍କୁ ଅବଗତ କରାଇଛନ୍ତି । ମାତ୍ର ଚଳିତ ୟାସ୍ ବାତ୍ୟା ସମୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଧର୍ମକୁ ଆଖିଠାର ମାରି ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଭାରରେ ଆର ଆଇ ଅଫିସର ପୁନଃ ଉଦ୍ଧାର ହେବା ପରିବର୍ତ୍ତେ ଆର ଆଇ ଅଫିସ ର ଗୋଦାମ ଘର ର କିଛି ଅଂଶ ର ରୂପ ରେଖ ବଦଳିଛି । ତୁରନ୍ତ ଧାମରା ଆରଆଇ ଅଫିସର ପୁନଃ ଉଦ୍ଧାର କରିବାକୁ ସର୍ବସାଧାରଣରେ ଦାବୀ ହୋଇଛି ।