Odiapua.com

ଧାମରା ଆଦାନୀ ପୋର୍ଟ ବିରୋଧରେ ୧୨ ଘଂଟିଆ ରେଳରୋକ,୫ ଦଫା ଦାବି ନେଇ ଗଦି ଗୁରୁଦାସପୁର ରେଳ ଫାଟକ ନିକଟରେ ଆନ୍ଦୋଳନ

ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଅଧୀନ ଧାମରା ଅଂଚଳରେ ଥିବା ଆଦାନୀ ପୋର୍ଟକୁ ନେଇ ପୁଣିଥରେ ତେଜିଛି ଅସନ୍ତୋଷ। ପାଂଚ ଦଫା ଦାବି ନେଇ ଆଜି ଗଦି ଗୁରୁଦାସପୁର ରେଳ ଫାଟକ ନିକଟରେ ଆନ୍ଦୋଳନକାରୀଙ୍କ ପକ୍ଷରୁ ୧୨ ଘଂଟିଆ ଆନ୍ଦୋଳନ ସହ ରେଳରୋକ କରାଯାଇଛି। ଏହି ଆନ୍ଦୋଳନରେ ସ୍ଥାନୀୟ ଲୋକଙ୍କ ସମେତ ବିଭିନ୍ନ ମାଲିକ ସଂଘର କର୍ମକର୍ତାମାନେ ସାମିଲ ହୋଇଥିବା ଜଣାପଡ଼ିଛି। ଆନ୍ଦୋଳନକାରୀଙ୍କ ପକ୍ଷରୁ ପୀରହାଟରୁ ବାଂଶଡା ପର୍ଯ୍ୟନ୍ତ ଲମ୍ବିଥିବା ଉଭୟ ପାଶ୍ୱର୍ରେ ଜଳ ନିଷ୍କାସନ ଓ କଲର୍ଭଟ ବ୍ରିଜ୍ ସହ ଗ୍ରାମରାସ୍ତାର ମରାମତି ପାଇଁ ସର୍ଜମିନ ତଦନ୍ତ ଓ କାର୍ଯ୍ୟ ଆରମ୍ଭ ହେବା, ବନ୍ଦର ଦ୍ୱାରା ପରିଚାଳିତ କୋଇଲା ପରିବହନରେ ବାଦ୍ ପଡିଥିବା ଭଦ୍ରକ ଜିଲା ଟିପର, ଡମ୍ପର, ଟ୍ରକ୍ ମାଲିକ ସଂଘକୁ କାମ ଦେବା, ସମାନ ଅନୁପାତରେ ସ୍ଥାନୀୟ ଶିକ୍ଷିତ ବେକାର ଯୁବକ-ଯୁବତୀଙ୍କୁ ରୋଜଗାର ପ୍ରଦାନ, କୋର୍ପରେଟ୍ ସୋସିଆଲ ରେସ୍‌ପନସିବିଲିଟି ମାଧ୍ୟମରେ ଅର୍ଥରାଶିରୁ ବାଦ୍ ପଡିଥିବା ତିହିଡି ବ୍ଲକ୍‌ର ୯ ଗୋଟି ପଂଚାୟତ ଓ ଚାନ୍ଦବାଲି ବ୍ଲକ୍‌ର ୩୩ ଗୋଟି ପଂଚାୟତ ଓ ଜିଲାର ଅନ୍ୟତ୍ର ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଅର୍ଥ ମଂଜୁର ଭଳି ପାଂଚ ଦଫା ଦାବି ନେଇ ଏହି ରେଳରୋକ କରାଯାଇଛି। ଗଣମାଧ୍ୟମକୁ ଦିଆଯାଇଥିବା ପ୍ରେସ୍ ବିଜ୍ଞପ୍ତି ମୂଳେ ଭଦ୍ରକ ଜିଲ୍ଲାର ଏକ ପ୍ରମୁଖ ଶିଳ୍ପ ପ୍ରତିଷ୍ଠାନ ଭାବେ ଧାମରା ପୋର୍ଟର ଗୁରୁତ୍ୱ ରହିଛି। ପୋର୍ଟ ପ୍ରତିଷ୍ଠା ସମୟରେ ଜିଲ୍ଲାର ବିଭିନ୍ନ ଅଂଚଳର ଅନେକ ସାଧାରଣ ଲୋକ ନିଜ ଜମି ହରାଇଥିଲେ। ଜମି ହରାଇଥିବା ପରିବାରଗୁଡ଼ିକ ନିଜ ପିଲାମାନଙ୍କୁ ପୋର୍ଟରେ ଚାକିରି ମିଳିବ ଏବଂ ଏହାଦ୍ୱାରା ପରିବାରର ଆର୍ôଥକ ସ୍ଥିତି ସୁଧୁରିବ ବୋଲି ଆଶା ରଖିଥିଲେ। ତେବେ ସେମାନଙ୍କ ଆଶା ଅନୁଯାୟୀ ସୁଯୋଗ ମିଳୁନଥିବା ନେଇ ଅନେକ ସମୟରେ ଅଭିଯୋଗ ଉଠୁଥିବା ଆନ୍ଦୋଳନକାରୀମାନେ କହିଛନ୍ତି। ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁଯାୟୀ, ପୋର୍ଟ ପ୍ରତିଷ୍ଠା ପରେ ସ୍ଥାନୀୟ ଅଂଚଳର ଲୋକଙ୍କ ଜୀବନଜୀବିକା, ନିଯୁକ୍ତି ଓ ବିଭିନ୍ନ ସ୍ଥାନୀୟ ସମସ୍ୟାକୁ ନେଇ ସମୟ ସମୟରେ ପ୍ରତିବାଦ ଓ ଆନ୍ଦୋଳନ ହୋଇଆସୁଛି। ବିଭିନ୍ନ ସମୟରେ ଦାବି ଉପସ୍ଥାପନ କରାଯାଇଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବା ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି। ଏହି ପରିପ୍ରେକ୍ଷୀରେ ପାଂଚ ଦଫା ଦାବି ନେଇ ଆଜି ୧୨ ଘଂଟିଆ ଆନ୍ଦୋଳନ ଓ ରେଳରୋକ କରାଯାଇଛି। ଗଦି ଗୁରୁଦାସପୁର ରେଳ ଫାଟକ ନିକଟରେ ଆନ୍ଦୋଳନକାରୀମାନେ ଏକତ୍ରିତ ହୋଇ ନିଜ ଦାବି ନେଇ ପ୍ରତିବାଦ କରିଥିଲେ। ଆନ୍ଦୋଳନ ଯୋଗୁଁ ରେଳ ଚଳାଚଳ ଉପରେ ମଧ୍ୟ ପ୍ରଭାବ ପଡ଼ିଥିବା ଜଣାପଡ଼ିଛି। ଆନ୍ଦୋଳନକାରୀଙ୍କ ପକ୍ଷରୁ କୁହାଯାଇଛି ଯେ, ସ୍ଥାନୀୟ ଲୋକଙ୍କ ସମସ୍ୟା ଓ ଦାବିଗୁଡ଼ିକୁ ଗୁରୁତ୍ୱ ଦେଇ ସମାଧାନ କରାଯିବା ଆବଶ୍ୟକ। ଆଗାମୀ ତିନି ମାସ ମଧ୍ୟରେ ପାଂଚ ଦଫା ଦାବି ପୂରଣ ନହେଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି। ଆଜିର ଆନ୍ଦୋଳନରେ ବିକାଶ ପରିଷଦର ସଭାପତି ଶୁଭେନ୍ଦୁ ରାୟ ମହାପାତ୍ର, ସାଧାରଣ ସଂପାଦକ ଜ୍ୟୋତିପ୍ରକାଶ ମହାନ୍ତି, ଉପସଭାପତି ପ୍ରଫୁଲ୍ଲ ପୃଷ୍ଟି, ଅମରେନ୍ଦ୍ର ଦାସ, ସୁଦର୍ଶନ ସ୍ୱାଇଁ, ଚନ୍ଦନ ନାୟକ, ଧୀରେନ୍ଦ୍ର ବେହେରା, ଶକ୍ତିପ୍ରତାପ ବିଶ୍ୱାଳ,ଆଶିଷ କୁମାର ମାହୁନ୍ତ, ସନ୍ତୋଷ ବିଶ୍ୱାଳ, ଚୈତନ୍ୟ ସେଠୀ, ପ୍ରମିଳା ମାଝୀ, ରଥିଆ ବାରିକ ପ୍ରମୁଖଙ୍କ ସମେତ ବିଭିନ୍ନ ମାଲିକ ସଂଘର ସମ୍ପାଦକ ଓ କର୍ମକର୍ତାମାନେ ଉପସ୍ଥିତ ଥିଲେ। ଆନ୍ଦୋଳନକାରୀମାନେ ନିଜ ଦାବି ସପକ୍ଷରେ ନାରାବାଜି କରିବା ସହ ଦାବି ପୂରଣ ପାଇଁ ଦୃଢ଼ ଦାବି ଉପସ୍ଥାପନ କରିଥିଲେ। ଅନ୍ୟପଟେ, ରେଳରୋକକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୁଲିସ ଓ ପ୍ରଶାସନ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ତେବେ ଆନ୍ଦୋଳନକାରୀଙ୍କ ପାଂଚ ଦଫା ଦାବି ଉପରେ ପୋର୍ଟ କର୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଏହି ଖବର ପ୍ରସ୍ତୁତି ସମୟରେ ମିଳିପାରିନାହିଁ। ଦୀର୍ଘଦିନ ଧରି ଚାଲିଆସୁଥିବା ଏହି ସମସ୍ୟାର ସମାଧାନ ପାଇଁ ପୋର୍ଟ କର୍ତୃପକ୍ଷ, ପ୍ରଶାସନ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଆଲୋଚନା ହୋଇ ଏକ ସ୍ଥାୟୀ ସମାଧାନର ବାଟ ବାହାରିବ ବୋଲି ସ୍ଥାନୀୟ ଲୋକେ ଆଶା ପ୍ରକାଶ କରିଛନ୍ତି।