Odiapua.com

ଧାମରା ଅପହଂଚ ଇଲାକା, ରାସନ ସାମଗ୍ରୀ ଅଙ୍ଗୁଳି ଛାପ ପାଇଁ ଯିବାକୁ ପଡୁଛି ୧୭ କି.ମି, ଅଭିଯୋଗ ପରେ ମଧ୍ୟ ବିଭାଗ ନିରବ, ଲିଖିତ ଅଭିଯୋଗ ପରେ ମଧ୍ୟ ବିଡିଓ ଅବଗତ ନାହାଁନ୍ତି

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ଇଲାକା ଆଜି ଭଳି ଦିନରେ ଅପହଂଚ ହୋଇ ପଡିଛି ଏଥିପାଇଁ ଜନସାଧାରଣ ବହୁବାର ଲିଖିତ ଭାବେ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ପରେ ମଧ୍ୟ ଫଳ ଶୂନ । ପ୍ରାପ୍ତ ଖବରରୁ ଜଣାଯାଇଛି ରାସନ ସାମଗ୍ରୀ ନିଜ ପଂଚାୟତରେ ମହଜୁଦ ରହୁଥିବା ବେଳେ ଅଙ୍ଗୁଳି /ଆଖି ଛାପ ପାଇଁ ୫ଶହ ଲୋକଙ୍କୁ ଦୀର୍ଘ ୧୭ କି.ମି ଯିବାକୁ ପଡୁଛି । ଏ ନେଇ ବାରମ୍ବାର ଲିଖିତ ଅଭିଯୋଗ ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଫଳ ଶୂନ ଅନ୍ୟ ପକ୍ଷରେ ଚାନ୍ଦବାଲି ବିଡିଓ ଅସିତ ମହାନ୍ତି ଏ ବିଷୟରେ ଅବଗତ ନାହାନ୍ତି ବୋଲି ନିଜର ପ୍ରତିକ୍ରିୟା ରଖିଛନ୍ତି । ଏହି ଘଟଣାଟି ଧାମରା ନିକଟସ୍ଥ ଜାଗୁଳା ପଂଚାୟତର । ଏହି ପଂଚାୟତର ରାସନ ସାମଗ୍ରୀ ବଂଟନ ଏକ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଦିଆଯାଇଥିଲା । ସଂପୃକ୍ତ ସ୍ୱୟଂ ସହାୟିକା ଗୋଷ୍ଠୀ ଏହି ପଂଚାୟତର ୭ଶହ ପଡିକାର୍ଡ ଧାରୀଙ୍କୁ ରାସନ ସାମଗ୍ରୀ ଦିର୍ଘ ଦିନ ହେବ ଯୋଗାଇ ଆସୁଥିବା ବେଳେ ଗତ ୨୦୨୩ ଏପ୍ରିଲ ମାସ ଠାରୁ ୫ଶହ ପଡିକାର୍ଡ ଧାରୀଙ୍କୁ ଦେଉଥିବା ଅନ୍ୟ ଜଣେ ଡିଲର ଏହି କାର୍ଯ୍ୟରୁ ଅବ୍ୟାହତି ନେଇ ଯାଇଛନ୍ତି । ଫଳରେ ଚାନ୍ଦବାଲି ଏମ ଆଇ ଏହି ୫ଶହ କାର୍ଡ ଧାରୀଙ୍କୁ ଏହି ପଂଚାୟତ ଠାରୁ ଦୀର୍ଘ ୧୭ କି.ମି ଦୂର କରଞମାଳ ପଂଚାୟତର ଗୁଆଁଶୋଳର ଏକ ଡିଲରଙ୍କୁ ରାସନ ସାମଗ୍ରୀ ଦେବାକୁ ନିୟୋଜିତ କରିଛନ୍ତି । ସଂପୃକ୍ତ ଡିଲର ଆଖି ଛାପ / ଅଙ୍ଗୁଳିଛାପ ମେସିନ ଆଣି ୩୦ ଦିନ ମଧ୍ୟରେ ସମସ୍ତ ପଡିକାର୍ଡ ଧାରୀଙ୍କ ଠାରୁ ଏହି ଛାପ ନେବାର ନିୟମ ଥିବା ବେଳେ ସଂପୃକ୍ତ ଡିଲର ଜାଗୁଳା ପଂଚାୟତରେ ୧/୨ ଦିନ ରହି ଅଙ୍ଗୁଳି/ ଆଖି ଛାପ ନେଉଥିବା ବେଳେ ସମସ୍ତ ପଡିକାର୍ଡ ଧାରୀ ଏହି ୨ଦିନ ମଧ୍ୟରେ ଛାପ ଦେଇ ପାରୁ ନାହାନ୍ତି । ଫଳରେ ସଂପୃକ୍ତ ଡିଲର ନିଜ ଗ୍ରାମ ଗୁଆଁ ଶୋଳକୁ ପଳାଇ ଯାଉଥିବା ବେଳେ ଏହି ଛାପରୁ ବାକି ରହିଯାଉଥିବା ବ୍ୟକ୍ତି ବିଶେଷ ଦୀର୍ଘ ୧୭ କିମି ଯାଇ ବହୁ ସମୟରେ ଡିଲର ଙ୍କୁ ନ ପାଇ ଫେରୁଛନ୍ତି । ନିରାଶା ହୋଇ ଫେରୁଥିବା ପରିବାର ଦୀର୍ଘ ଦିନ ହେବ ସେମାନଙ୍କୁ ଜାଗୁଳା ପଂଚାୟତରେ ଏହି ଛାପ ଦେବାକୁ ଚାନ୍ଦବାଲି ଏମ ଆଇଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଏହି ଲିଖିତ ଅଭିଯୋଗ ଆଜକୁ ଦୀର୍ଘ ୫ମାସ ହେବ ହୋଇଥିଲେ ମଧ୍ୟ ସଂପୃକ୍ତ ଏମ ଆଇ ହରପ୍ରିୟା ସାହୁ ଆଜି ପର୍ଯ୍ୟନ୍ତ କୌଣସି ସୁସମାଧାନ କରି ନାହାନ୍ତି ଫଳରେ ଆଜି ମଧ୍ୟ ବହୁ ପରିବାର ଯାଇ କରଞମାଳ ପଂଚାୟତ ଡିଲର ଘରେ ନଥିବା ବେଳେ ଅଙ୍ଗୁଳି/ ଆଖି ଛାପ ଦେଇ ନପାରି ଫେରି ଆସିଛନ୍ତି । ଏହି ବିଷୟରେ ଚାନ୍ଦବାଲି ବିଡିଓ ଅସିତ ମହାନ୍ତିଙ୍କ ସହ ଯୋଗାଯୋଗ କରିବାରୁ ସେ ଏହି ବିଷୟରେ ଜାଣି ନଥିବା କଥା କହୁଥିବା ବେଳେ କେବେ ଧାମରା ଏହି ଅପହଂଚ ଇଲାକା ନାଁ ରୁ ବାଦ ପଡିବ ତାହା ଦେଖିବାକୁ ବାକି ରହିଲା । ଅଭିଯୋଗ କରିଥିବା ବ୍ୟକ୍ତି ପ୍ରମୁଖ ବାସନ୍ତୀ ଦାସ, କମଳୀ ଦାସ, କୁନୀ ବେହେରା, ସତ୍ୟଭାମା ଦାସ ପ୍ରମୁଖ ଆଗାମୀ ଦିନରେ ଚାନ୍ଦବାଲି ବିଡିଓଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବାକୁ ମଧ୍ୟ ଚେତାବନୀ ଦେଇଛନ୍ତି । ଏହି ବିଷୟରେ ଭଦ୍ରକ ସିଏସଓ ମଧ୍ୟ ଅବଗତ ନଥିବା ବେଳେ କେଉଁ ପରିସ୍ଥିତିରେ ସଂପୃକ୍ତ ଏମ ଆଇ ହରପ୍ରିୟା ସାହୁ ଲିଖିତ ଅଭିଯୋଗ ପାଇବା ପରେ କୌଣସି ପଦକ୍ଷେପ ନ ନେଇ ଚୁପଚାପ ବସିଛନ୍ତି ତାହା ଆଲୋଚ୍ୟର ବିଷୟ ପାଲଟିଛି । ଏହି ବାବଦରେ ଚାନ୍ଦବାଲି ଏମ ଆଇଙ୍କ ସହଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରି ନଥିଲା ।