Odiapua.com

ଧାମରା ଅଂଚଳରେ ଶାସକ ଦଳର ନିଚ୍ଛଦ ଛବି, ୬ମାସ ମଧ୍ୟରେ ଫାଟିଲା ବିଦ୍ୟାଳୟ ପାଚେରୀ

ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ଅଂଚଳରେ ଶାସକ ଦଳର ଠିକାଦାର ମାନଙ୍କ ଠିକା କାର୍ଯ୍ୟ କେବଳ ଠିକା ଠିକା ରେ ହିଁ ରହିଯାଇଛି । ନିର୍ମାଣ ହୋଇଥିବା କାର୍ଯ୍ୟର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ହୋଇ ପଡିଥିବା ବେଳେ ଇତି ମଧ୍ୟରେ ଠିକାଦାର ବିଲ କରାଇ ନେଇଥିବା ଜଣାଯାଇଛି । ପ୍ରାପ୍ତ ଖବରରୁ ଜଣାଯାଇଛି ଧାମରା ନିକଟସ୍ଥ ଦୋସିଙ୍ଗା ପଂଚାୟତରେ ଥିବା ସମିପାଟିଆ ସରକାରୀ ବିଦ୍ୟାଳୟର ପାଚେରୀ ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ସେପ୍ଟେମ୍ବର ୨୦୨୧ ମସିହାରେ ଏହି ବିଦ୍ୟାଳୟର ପାଚେରୀ ନଥିବା ବେଳେ ସଂପୃକ୍ତ ଜନପ୍ରତିନିଧିଙ୍କ ଅନୁରୋଧକ୍ରମେ ଏହି ବିଦ୍ୟାଳୟର ପାଚେରୀ ନିର୍ମାଣ ପାଇଁ ୨ଲକ୍ଷ ଟଙ୍କା ଅନୁମୋଦନ ମିଳିଥିଲା । ଏହି କାର୍ଯ୍ୟାଦେଶ ମିଳିବା ପରେ ସଂପୃକ୍ତ ଠିକାଦାର ୧୦ଇଂଚି ମୋଟେଇ ରଡ ବଦଳରେ ୮ଇଂଚ ରଡ ଲଗାଇ ଗ୍ରେଟ ବିମ ପକାଇଥିଲେ । ଏହି କାର୍ଯ୍ୟ ମଧ୍ୟରେ ଏଭଳି ଅନିୟମିତତା ବିରୁଦ୍ଧରେ ସଂପୃକ୍ତ କନିଷ୍ଠଯନ୍ତ୍ରୀଙ୍କ ପାଖରେ ଅଭିଯୋଗ ହୋଇଥିଲା । କନିଷ୍ଠଯନ୍ତ୍ରୀ ଆସି କାର୍ଯ୍ୟ ତଦାରଖ କରିବା ବଦଳରେ ଠିକାଦାରଙ୍କ ସହ ସାଲିସ କରିଥିଲେ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି । ପରେ ଏହି ଭଳି କାର୍ଯ୍ୟରେ ସଂପୃକ୍ତ ବିଦ୍ୟାଳୟର ପାଚେରୀ ନିର୍ମାଣ ଶେଷ ହୋଇଗଲା । ମାତ୍ର କାର୍ଯ୍ୟ ଶେଷ ହେବା ପରେ ପରେ ଏହି ପାଚେରୀ କାନ୍ଥରେ ଫାଟ ସୃଷ୍ଟି ହୋଇ ଯାଇଛି । ଫଳରେ କରୋନା ପାଇଁ ବିଦ୍ୟାଳୟ ବନ୍ଦ ଥିବା ବେଳେ ବିଦ୍ୟାଳୟ ଖୋଲାଗଲେ ସ୍ଥାନୀୟ ଜନସାଧାରଣ ସେହି ବିଦ୍ୟାଳୟକୁ ନିଜ ନିଜର କୁନୀ କୁନୀ ଛୁଆଙ୍କ ଛାଡିବାକୁ ମନା କରିବା ସହ ଏହି ପାଚେରୀ ପୁନଶ୍ଚ ଭାଙ୍ଗି ନବନିର୍ମାଣ କରିବାକୁ ଅଡି ବସିଲେଣି । ଏଥିସହ ଏ ବିଷୟରେ ସେମାନେ ଭଦ୍ରକ ଜିଲ୍ଲାପାଳ , ଚାନ୍ଦବାଲି ବ୍ଲକ ଶିକ୍ଷାଧିକାରୀ,ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । କେଉଁ ପରିସ୍ଥିତିରେ ଏହି କାର୍ଯ୍ୟ ନିମ୍ନ ମାନର ହେବା ସହ ସଂପୃକ୍ତ କାର୍ଯ୍ୟର ବିଲ ବ୍ଲକ ଜେଇ ପାଶ କରାଇଲେ ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି । ଏ ବାବଦରେ ଚାନ୍ଦବାଲି ବ୍ଲକ ବିଡିଓଙ୍କ ସହ ଯୋଗାଯୋଗ କରିବାରୁ ସେ ଫୋନ ଗ୍ରହଣ କରି ନଥିଲେ ।