Odiapua.com

ଧାମରାର ରାସ୍ତା ପାଶ୍ୱର୍ ଆଲୋକ ବନ୍ଦ, କାହାରି ନିଘା ନାହିଁ, ଖୁଂଟ ଅଛି ବତୀ ନାହିଁ

ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ବଜାର ଠାରେ ଥିବା ରାସ୍ତା ପାଶ୍ୱର୍ ଆଲୋକ ଦୀର୍ଘ ଦିନ ହେବ ବନ୍ଦ ହୋଇ ଯାଇଛି। ଏହି ଆଲୋକୀକରଣ ପାଇଁ ଧାମରା ବନ୍ଦର କର୍ତୁପକ୍ଷ ସହାୟତା ରାଶି ପ୍ରଦାନ କରିଥିବା ବେଳେ ଏହାର ମରାମତି ଏବଂ ବିଲ ଧାମରା ପଂଚାୟତ ଦେବା ପାଇଁ ସ୍ଥିରୀକୃତ ହୋଇଥିଲା। ଦୀର୍ଘ ଦିନ ହେବ ଏହି ରାସ୍ତା ପାଶ୍ୱର୍ ଆଲୋକ ସଂପୂର୍ଣ ବନ୍ଦ ହୋଇ ଯାଇଛି। ଫଳରେ ଧାମରା ବଜାରରେ ଅନ୍ଧାର ରାଜୁତି ଚାଲିଛି। ଏହି ବତୀ ଖୁଂଟରେ ଲାଗିଥିବା ବତୀ ଗୁଡିକ ମରାମତି ପାଇଁ ସର୍ବସାଧାରଣରେ ଦାବୀ ହେଉଥିବା ବେଳେ ଧାମରା ପଂଚାୟତ ସଂପୂର୍ଣ ନୀରବଦ୍ରଷ୍ଟା। ଅନ୍ୟ ପକ୍ଷରେ ଏହି ବତୀ ଗୁଡିକର ମରାମତି ଅପରିହାର୍ଯ୍ୟ ହୋଇ ପଡିଛି। ତୁରନ୍ତ ଏହି ବତୀ ମରାମତି କରିବା ବଦଳରେ ଏଗୁଡିକୁ ସଂପୂର୍ଣ ବଦଳା ଯାଇ ନୂଆ ଲଗାଇବାକୁ ଧାମରା ଅଂଚଳବାସୀ ଦାବୀ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଆସନ୍ତା ୧୫ ତାରିଖରେ ଧାମରା ବଜାର ଠାରେ ୩ଟି ରାଜନୈତିକ ଦଳ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି ବୋଇତ ବନ୍ଦାଣ ଉତ୍ସବ ପାଳନ କରିବେ। ଏହି ଉତ୍ସବକୁ ରାଜ୍ୟପାଳଙ୍କ ସମେତ ୩ଟି ରାଜନୈତିକ ଦଳ ନେତୃବୃନ୍ଦ ମଧ୍ୟ ଆସିବେ ଏଥିସହ ହଜାର ହଜାର ଲୋକଙ୍କ ସମାଗମ ମଧ୍ୟ ହେବ। ଏହି ପରିପ୍ରେକ୍ଷୀରେ ଧାମରା ରେ ବତୀ ଖୁଂଟ ଅଛି ଅଥଚ ବତୀ ନାହିଁ କଥାକୁ କିଏବା ବିଶ୍ୱାସ କରିବ। ଧାମରା ବଜାରରେ ଆଲୋକୀକରଣ ବ୍ୟବସ୍ଥା ସଂପୂର୍ଣ ବନ୍ଦ ହୋଇଯିବା କଥା କଣ କାହାରିଙ୍କୁ ଦେଖା ଯାଉ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି। ଅନ୍ୟ ପକ୍ଷରେ ଧାମରା ୮ପଂଚାୟତର ସମସ୍ତ ଉନ୍ନତିକରଣ ଧାମରା ବନ୍ଦର( ଆଦାନୀ) କର୍ତୁପକ୍ଷ କରୁଥିବା କଥା କହୁଥିବା ବେଳେ ଏହି ବତୀଖୁଂଟ ରେ ଥିବା ବତୀ ଗୁଡିକୁ ବଦଳାଇବା ପାଇଁ ଧାମରା ବନ୍ଦର କର୍ତୁପକ୍ଷଙ୍କ ନିକଟରେ ଦାବୀ ହୋଇଥିବା ବେଳେ ବନ୍ଦର କର୍ତୁପକ୍ଷ କେବଳ ସମସ୍ତ କଥା ଶୁଣି ମଧ୍ୟ ନୀରବଦ୍ରଷ୍ଟା ଏବଂ ଏଥିପ୍ରତି ଧାମରା ବନ୍ଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୃଷ୍ଟି ଦେବାକୁ ମଧ୍ୟ ଅଂଚଳବାସୀ ଦାବୀ କରିଛନ୍ତି।ଅନ୍ୟ ପକ୍ଷରେ ଚାନ୍ଦବାଲି ବିଡିଓଙ୍କୁ ବହୁବାର ଅଭିଯୋଗ କରିବା ପରେ ମଧ୍ୟ ଫଳ ଶୂନ।