Odiapua.com

ଧାମରାରେ ସୋମପୁରୀ ପେଲେଟ ନିର୍ମାଣ କାରଖାନା ଲାଗି ଭୂମି ଚୟନ ପ୍ରକ୍ରିୟା ଶେଷ, ୨୦୨୪ ମସିହାରେ ଶିଳ୍ପ ପ୍ରତିଷ୍ଠା ନେଇ ସମ୍ଭାବନା

ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାର ଧାମରାକୁ ବିଶ୍ୱ ସ୍ତରୀୟ କରିବା ସହ ବାହାର ରାଜ୍ୟରୁ ଆସୁଥିବା ଶିଳ୍ପ ପତି ମାନଙ୍କ ପାଇଁ ସିଙ୍ଗଲଉଇଣ୍ଡୋ ବ୍ୟବସ୍ଥା ଲାଗୁ କରିବା ପରେ ଇଡକୋ ରେ ଶିଳ୍ପପତି ମାନଙ୍କ ଭିଡ ଲାଗିଲାଣି । ପ୍ରାପ୍ତ ଖବରରୁ ଜଣାଯାଇଛି ଧାମରାରେ ଏକ ସୋମପୁରୀ ପେଲେଟ ନିର୍ମାଣ ଶିଳ୍ପ ପାଇଁ ଭୂମି ଚୟନ ପ୍ରକ୍ରିୟା ଶେଷ ହୋଇଛି । ଏହି ଶିଳ୍ପ ପ୍ରତିଷ୍ଠା ହୋଇ ପାରିଲେ ଧାମରା ଅଂଚଳରେ ଥିବା ବହୁ ବେକାର ଯୁବକ ଯୁବତୀ ନିଯୁକ୍ତି ପାଇବା ସହ ଧାମରା ଅଂଚଳର ଭୌଗୋଳିକ ସ୍ଥିତିରେ ମଧ୍ୟ ସୁଧାର ଆସିବ ବୋଲି ସାଧାରଣରେ ଚର୍ଚା । ଏହି ଶିଳ୍ପ ପାଇଁ ୩ଶହରୁ ଉର୍ଦ୍ଧ ଏକର ଜମି ଆବଶ୍ୟକ ପଡୁଥିବା ବେଳେ ଏହି ଶିଳ୍ପ କରଞମାଳ ପଂଚାୟତରେ ଥିବା ଜମିକୁ ନେଇ ଆରମ୍ଭ ହେବ ବୋଲି ଜଣାଯାଇଛି । ଏହି ଶିଳ୍ପ ପାଇଁ କରଞମାଳ ପଂଚାୟତ ଅଧିନସ୍ଥ ହୃଦୟପ୍ରସାଦ ମୌଜାରେ ଥିବା ୨୫୨ ଏକର ଜମି ଚୟନ ହୋଇଥିବା ଜଣାଯାଇଛି ।ହୃଦୟପ୍ରସାଦ ମୌଜାରେ ଥିବା ୨୫୨ଏକର ଜମି ମଧ୍ୟରୁ ୧୪୮ କର ଜମି ସିଆରଜେଡ ଅର୍ନ୍ତଗତ ଜମି ।୧୦୪ଏକର ସିଆରଜେଡ ଅର୍ନ୍ତଭୁକ୍ତ ହୋଇ ନଥିବା ଜମି ମଧ୍ୟରୁ ପତିତ ୧୦ଏକର, ଶ୍ମଶାନ ଜମି ୪ଏକର, ଗ୍ରାମ୍ୟ ଜଙ୍ଗଲ୬୬ଏକର ଏବଂ ବେସରକାରୀ ଜମି ୧୫ଏକର ବୋଲି ସରକାରୀ ସୂତ୍ରରୁ ଜଣାଯାଇଛି ।

ବେସରକାରୀ ଜମିର ପରିମାଣ ୧୫ଏକର ହୋଇଥିବା ବେଳେ ଜମି ହରାଉଥିବା ସାଧାରଣ ଜନତା ଏକର ପିଛା ୩କୋଟି ଟଙ୍କା କ୍ଷତିପୂରଣ ସରକାରଙ୍କ ନିକଟରେ ଦାବୀ ରଖିଛନ୍ତି । ସମସ୍ତ ସରକାରୀ ଏବଂ ବେସରକାରୀ ଜମି ଚୟନ ପ୍ରକ୍ରିୟା ଶେଷ ହୋଇଛି ।ଏହି ଜମି ହସ୍ତାନ୍ତରିତ ପାଇଁ ନଭେମ୍ବର ୩୦ ନିର୍ଧାରିତ ତାରିଖ ଘୋଷଣା ହୋଇଥିବା ବେଳେ ଏହି ସମସ୍ତ ଜମି କିପରି ଇଡକୋକୁ ହସ୍ତାନ୍ତରିତ କରାଯିବ ସେ ନେଇ ସମସ୍ତ କାର୍ଯ୍ୟକ୍ରମ ଶେଷ ହୋଇଛି । ଏହି ପେଲେଟ ନିର୍ମାଣ କାରଖାନା ପାଇଁ ୪ଏକର ଶ୍ମଶାନ ଜମି ଯାଉଥିବା ବେଳେ ସାଧାରଣ ଜନତାଙ୍କ ବ୍ୟବହାର ପାଇଁ ଚାନ୍ଦବାଲି ତହସିଲଦାର ଶ୍ମଶାନ ପାଇଁ ବେସରକାରୀ ଜମି ମଧ୍ୟ ଚିହ୍ନଟ କରି ଭଦ୍ରକ ଜିଲ୍ଲାପାଳଙ୍କୁ ଏହି ବିଷୟରେ ଅବଗତ କରିଛନ୍ତି । ଗ୍ରାମ୍ୟ ଜଙ୍ଗଲ ପାଇଁ ଅନ୍ୟ ଜମି ଚିହ୍ନଟ ହୋଇଥିବା ବେଳେ ସେହି ଜମି କୁ ପ୍ରଥମ ପର୍ଯ୍ୟାୟରେ ଜଙ୍ଗଲ ବିଭାଗକୁ ହସ୍ତାନ୍ତରିତ କରାଯିବ ଏବଂ ସେହି ଜମିରେ ବ୍ୟାପକ ବୃକ୍ଷରୋପଣ ମଧ୍ୟ କରାଯିବ ବୋଲି ବିଭାଗୀୟ ଅଧିକାରୀଙ୍କ ନିକଟରୁ ଜଣାଯାଇଛି । ଏହି ପେଲେଟ ଶିଳ୍ପ ପାଇଁ ସୋମପୁରି ନାମକ ସଂସ୍ଥା ରାଜ୍ୟ ସରକାରଙ୍କ ସହ କଥା ହୋଇ କରଞ୍ଜମାଳ ଠାରେ ଏହି ଶିଳ୍ପ ପ୍ରତିଷ୍ଠା ପାଇଁ ଏମଓୟୁ କରିଛି ବୋଲି ଜଣାଯାଇଛି । ରାଜ୍ୟ ସରକାର ଏହି ଜମିକୁ ଇଡକୋ କୁ ହସ୍ତାନ୍ତରିତ କରିବା ପ୍ରକ୍ରିୟା ଚୁଡାନ୍ତ ରୂପରେଖ ନେବାପରେ ଇଡକୋ ସଂପୃକ୍ତ କମ୍ପାନୀ(ସୋମପୁରି)କୁ ଏହି ଜମି ହସ୍ତାନ୍ତରିତ କରିବା ସହ ସୋମପୁରୀ କମ୍ପାନୀ ୨୦୨୪ ମସିହାରେ ନିଜ ଶିଳ୍ପ ପ୍ରତିଷ୍ଠା କରିବ ବୋଲି ଜଣାଯାଇଛି ।