Odiapua.com

ଧାମରାରେ ବାତ୍ୟା “ଦାନା” ପ୍ରକୋପ, ବର୍ଷା ବଢୁଛି

ଭଦ୍ରକ, ୨୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ଧାରଣ କରିଛି। ଏହି ଅବପାତ ଆଜି ରାତି ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ। ବୁଧବାର ଏହା ବାତ୍ୟାର ରୂପ ନେଇ ସମୟାନୁକ୍ରମେ ଭୀଷଣ ବାତ୍ୟାର ରୂପାନ୍ତରିତ ହେବ ବୋଲି ସୂଚନା ମିଳିଛି। ୨୪ତାରିଖ ରାତିରୁ ଏହାର ପ୍ରକୋପ ଆରମ୍ଭ ହୋଇ ୨୫ତାରିଖ ସକାଳ ସୁଦ୍ଧା ଏହା ସ୍ଥଳଭାଗ ଅତିକ୍ରମ କରିବାର ସୂଚନା ମିଳିଥିବା ବେଳେ ଏହାର ପ୍ରବାହ ପୁରୀରୁ ଆରମ୍ଭ ହୋଇ ପଶ୍ଚିମବଙ୍ଗର ସାଗରଦ୍ୱୀପ ପର୍ଯ୍ୟନ୍ତ ରହିବ ବୋଲି ଆକଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଧାମରାରେ ସ୍ଥିତି ଠିକ ଅଛି ବୋଲି ପ୍ରଶାସନ ଆକଳନ କରିଥିବା ବେଳେ ଅପରାହ୍ଣ ୧୨ଟା ଠାରୁ ଧାମରାରେ ବର୍ଷ ଆରମ୍ଭ ହୋଇ ଯାଇଛି। ଇତି ମଧ୍ୟରେ ଧାମରାରେ ଏନଡିଆରଏଫ ୩ଟି ଟିମ ଧାମରାରେ ପହଂଚି ଯାଇଛି। ସନ୍ଧ୍ୟା ପୂର୍ବରୁ ଚାନ୍ଦବାଲି ବିଡିଓଙ୍କ ନିର୍ଦେଶ ଆସିଲେ ତଳିଆ ଅଂଚଳରେ ରହିଥିବା ବସ୍ତି ବାସିନ୍ଦା ଏବଂ କଚ୍ଚା ଘରେ ବସବାସ କରୁଥିବା ସ୍ଥାନୀୟ ବାସିନ୍ଦା ମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳ ମାନଙ୍କୁ ନିଆଯାଇ ସେଠାରେ ଥଇଥାନ କରାଯିବ ବୋଲି ଧାମରା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁଙ୍କ ନିକଟରୁ ପ୍ରକାଶ। ଧାମରା ଜେଟୀରେ ଲଙ୍ଗର କରି ରହିଥିବା ଶତାଧିକ ଟ୍ରଲର, ବୋଟ ,ଭୁଟୁଭୁଟି ମତ୍ସ୍ୟାଧିକାରୀଙ୍କ ନିର୍ଦେଶକ୍ରମେ ନିକଟସ୍ଥ ନଦୀ ନାଳ ଗୁଡିକରେ ଲଙ୍ଗର କରିବାକୁ ଯାଉଥିବା ଦୃଷ୍ଟି ଗୋଇଚର ହୋଇଛି। ବର୍ଷା ରସ୍ଥିତି ବେହାଲ ହୋଇ ପଡୁଥିବା ବେଳେ ପବନର ଗତି ନଥିବା ଭଳି ଜଣାଯାଏ। ବାତ୍ୟା ବିଶେଷଜ୍ଞଙ୍କ ମତାନୁଯାଇ ଏହି ବାତ୍ୟା କେନ୍ଦ୍ରପଡା ଜିଲ୍ଲାର ଭିତରକନିକା ଠାରୁ ଆରମ୍ଭ ହୋଇ ଭଦ୍ରକ ଜି୍‌ଲାର ଧାମରା ଠାରେ ସ୍ଥଳ ଭାଗକୁ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି।ଏହି ଭୀଷଣ ବାତ୍ୟା ଦାନା ସ୍ଥଳ ଭାଗ ଛୁଇଁବା ବେଳେ ପବନର ବେଗ ୧୦୦ରୁ ୧୨୦ କି.ମି ରହିବ ବୋଲି ମଧ୍ୟ ପୂର୍ବାନୁମାନ କରାଯାଇଛି। ସରକାରୀ ସ୍ତରରେ ସନ୍ଧ୍ୟା ସୁଦ୍ଧା କୌଣସି ଅଂଚଳର ଲୋକ ବାତ୍ୟା ଆଶ୍ରୟସ୍ଥଳୀକୁ ଯାଇ ନଥିବା ବେଳେ ଧାମରାର ସମିତିସଭ୍ୟ ପ୍ରିୟରଜ୍ଞନ ଜେନା,ଜାଗୁଳା ସରପଂଚ ସୁରେଶ ସେଠୀ ପ୍ରମୁଖ ନିଜ ପଂଚାୟତରେ ଘରକୁ ଘର ବୁଲି ବାତ୍ୟା ଆଶ୍ରୟସ୍ଥଳୀ ମାନଙ୍କୁ ଯିବା ପାଇଁ ସାଧାରଣ ଜନତା ମାନଙ୍କୁ ବୁଝାଇଥିବା ଦେଖିବାକୁ ମିଳିଥିଲା।