Odiapua.com

ଧାମରାରେ ପ୍ରଥମ ପ୍ରାକ ନିର୍ବାଚନୀ ହିଂସା, ରାଜନୈତିକ ଶତ୍ରୁତାକୁ ଆଧାର କରି ସାନ ପୁଅ ଏବଂ ବାପର ଆକ୍ରମଣରେ ମଝିଆପୁଅ ମେଡିକାଲ ସ୍ଥାନାନ୍ତରିତ, ବାପ-ପୁଅ କୋର୍ଟ ଚାଲାଣ

ଭଦ୍ରକ, ୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରାରେ ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରାକ ନିର୍ବାଚନୀ ହିଂସା ଆରମ୍ଭ ହୋଇଯାଇଛି। କାହିଁକି ଅନ୍ୟ ଦଳରେ ଯୋଗ ଦେଇ ଭୋଜି ଭାତରେ ସାମିଲ ହୋଇଥିବା ମଝିଆ ପୁଅକୁ ବାପ ଏବଂ ସାନ ପୁଅ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏ ନେଇ ଧାମରା ସାମୁଦ୍ରିକ ଥାନାରେ ଏକ କେସ ରୁଜୁ ହୋଇଥିବା ବେଳେ ଆକ୍ରମଣ କରିଥିବା ସାନପୁଅ ଏବଂ ବାପକୁ ଗିରଫ କରି କୋର୍ଟ ଚାଲାଣ କରାହୋଇଛି ବୋଲି ସାମୁଦ୍ରିକ ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଖବରରୁ ପ୍ରକାଶ ଧାମରା ଅଂଚଳର ଗୋଟିଏ ପରିବାରର ମଝିଆ ପୁଅ ଗୋଟିଏ ରାଜନୈତିକ ଦଳକୁ ସମର୍ଥନ କରୁଥିବା ବେଳେ ସେହି ପରିବାର ବାପ ଏବଂ ସାନ ପୁଅ ଅନ୍ୟ ଏକ ରାଜନୈତିକ ଦଳରେ ସାମିଲ ହୋଇଥିଲେ। ଗତକାଲି ବିଳମ୍ବିତ ରାତିରେ ସେହି ପରିବାର ମଝିଆ ପୁଅ ସଂପୃକ୍ତ ରାଜନୈତିକ ଦଳରେ ଚାଲିଥିବା ଭୋଜିରେ ସାମିଲ ହୋଇ ବିଳମ୍ବିତ ରାତିରେ ଘରକୁ ଫେରିଥିଲେ।ଏହି ସମୟରେ ଘରେ ଅପେକ୍ଷା କରିଥିବା ବାପ ଏବଂ ସଂପୃକ୍ତ ଯୁବକର ସାନ ଭାଇ ମଝିଆ ଭାଇକୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସଂପୃକ୍ତ ଯୁବକର ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଆଜି ସକାଳ ସମୟରେ ସଂପୃକ୍ତ ଯୁବକଙ୍କ ସ୍ତ୍ରୀଙ୍କ ଏତଲାକ୍ରମେ ଧାମରା ସାମୁଦ୍ରିକ ଥାନାରେ ଏକ କେସ ରୁଜୁ କରିବା ସହ ଥାନାଧିକାରୀ ତୁସୀଲ ମାଝୀ ଆହତ ହୋଇଥିବା ବ୍ୟକ୍ତିଙ୍କ ପରିବାରର ସାନପୁଅ ଏବଂ ବାପକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।