ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ଅଂଚଳରେ ଜଣେ ଧୀବର ନିଖୋଜ ହୋଇଯାଇଥିବା ବେଳେ ନିଖୋଜ ଯୁବକଙ୍କ ମା ଧାମରା ସାମୁଦ୍ରିକ ଥାନାରେ ପୁଅକୁ ହତ୍ୟା କରିଥିବା ନେଇ ଏକ ଲିଖିତ ଅଭିଯୋଗ କରିଛନ୍ତି । ଧାମରା ସାମୁଦ୍ରିକ ଥାନା ସୂତ୍ରରୁ ପ୍ରକାଶ କୁଆମରା ଗ୍ରାମର ବିଜୟ ନାୟକ(୨୮) ସପନ ସୀଟଙ୍କ ବୋଟରେ ମାଛ ଧରିବାକୁ ଯାଇଥିଲେ । ଆଜି ସକାଳ ୧୦ଟା ସମୟରେ ବିଜୟ ନିଜ ମାଙ୍କ ସହ କଥାହୋଇ ନିଜ ଘରକୁ ଯିବେ ବୋଲି ମାଙ୍କୁ କହିଥିଲେ । ପରେ ବିଜୟଙ୍କ ମା ଦିନ ୨ଟା ସମୟରେ ଏକ ଫୋନ ପାଇଲେ କି ବିଜୟ ଯାଇଥିବା ମାଛଧରା ବୋଟ ଯୋଗେଶ୍ୱରୀ-୨ରୁ ବିଜୟ ଧାମରା ଜେଟୀ ନିକଟରେ ଥିବା ବୋଟରୁ ଖସି ନିଖୋଜ ହୋଇଯାଇଛନ୍ତି । ଏନେଇ ନିଖୋଜ ବିଜୟଙ୍କ ମା ଆସି ଧାମରା ସାମୁଦ୍ରିକ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗରେ ଦର୍ଶାଇଛନ୍ତି ତାଙ୍କ ପୁଅ ବିଜୟକୁ ଜାଣିଶୁଣି ଯୋଗେଶ୍ୱରୀ ବୋଟର ଷ୍ଠାଫ ମାନେ ସମୁଦ୍ରକୁ ଠେଲି ଦେଇଛନ୍ତି ବୋଲି । ଏହି ନିଖୋଜ ଖବର ଧାମରା ସାମୁଦ୍ରିକ ଥାନାରେ ଅଲିଖିତ ଭାବେ ହସ୍ତଗତ ହେବା ପରେ ଧାମରା ସାମୁଦ୍ରିକ ଥାନାର ବୋଟ ଷ୍ଟାଫ ମାନେ ସ୍ପିଡ ବୋଟରେ ଯାଇ ଧାମରା ଜେଟି ନିକଟସ୍ଥ ନଦୀରେ ଖୋଜି ଥିଲେ । ପରେ ଅଗ୍ନିଶମ ବାହିନୀ ମଧ୍ୟ ଯାଇ ସମସ୍ତ ନଦୀ ନାଳରେ ଖୋଜିଥିଲେ ମଧ୍ୟ ଖବର ଲେଖା ହେବା ପର୍ଯ୍ୟନ୍ତ ବିଜୟର କୌଣସି ଖୋଜ ଖବର ମିଳି ନଥିବା ଜଣାଯାଇଛି । ଅନ୍ୟ ପକ୍ଷରେ ଖବର ଲେଖା ହେବା ପର୍ଯ୍ୟନ୍ତ ଯୋଗେଶ୍ୱରୀ ବୋଟର ମାଲିକ କିମ୍ବା ତାଙ୍କ ଷ୍ଟାଫଙ୍କ ତରଫରୁ କୌଣସି ଲିଖିତ ଅଭିଯୋଗ ହୋଇ ନଥିବା ଜଣାଯାଇଛି ।