Odiapua.com

ଧାମରାରେ ଜଳ ମିଶନ ଏକ ପ୍ରଶ୍ନବାଚୀ,ଏହାର କାର୍ଯ୍ୟକାରୀତା ନେଇ କଳ୍ପନା ଜଳ୍ପନା

ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ ଅଧିନସ୍ଥ ଧାମରା ଅଂଚଳରେ ଖରାରେ ଲୋକ ଆଉଟୁପାଉଟୁ ହେଲେଣି। ଧାମରାରେ ଖରାର ତାପମାତ୍ର ବଢି ବଢି ଚାଲିଥିବା ବେଳେ ଆଗାମୀ ଦିନରେ ଏହା ୪୦ଡିଗ୍ରୀ ପହଂଚିବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କଲେଣି। ଏଭଳି ସ୍ଥିତିରେ ଧାମରା ଅଂଚଳରେ ଆରମ୍ଭ ହେଲାଣି ଜଳକଷ୍ଟ ଅର୍ଥାତ ପାନୀୟ ଜଳ ସମସ୍ୟା। ଗୋଟିଏ ପଟରେ କେନ୍ଦ୍ର ସରକାର ଭଦ୍ରକ ଜିଲ୍ଲାରେ ୭୧.୨୭ ପ୍ରତିଶତ ଘରକୁ ପାନୀୟ ଜଳ ଯୋଗାଇ ଦେଇ ପାରିଛନ୍ତି ବୋଲି ତଥ୍ୟ କହୁଥିବା ବେଳେ ରାଜ୍ୟ ସରକାର ଶତ ପ୍ରତିଶତ ଘରକୁ ପାନୀୟ ଜଳ ଯୋଗାଇ ଦେଇଛନ୍ତି ବୋଲି ବିଭାଗୀୟ ଅଧିକାରୀ କହୁଛନ୍ତି। ମାତ୍ର ଧାମରା ଅଂଚଳରେ ପ୍ରତିଘରକୁ ପିଇବା ପାଣିର ଅର୍ଥ କେବଳ ୨ଶହ ଲୋକଙ୍କୁ ଗୋଟିଏ ନଳକୂପ ପୁଣି ସେ ମଧ୍ୟ ସମସ୍ତଙ୍କ ଭାଗ୍ୟରେ ନଥିବା ବେଳେ ଏହି ଅଂଚଳରେ ଥିବା ନଳକୂପ ପାଖରେ ଲମ୍ବା ଲାଇନ ଦେଖିବାକୁ ମିଳିଛି। ଏହି ଅଂଚଳରେ ବସୁଧା ଯୋଜନା କାର୍ଯ୍ୟକାରୀ କେବେ ହେବ ସେ ନେଇ ବହୁ କଳ୍ପନା ଜଳ୍ପନା ଚାଲିଥିବା ବେଳେ ଶୋଷରେ ଲୋକ ଆଉଟୁ ପାଉଟୁ ହେଉଥିବା ଦେଖା ଦେଇଛି। ଗୋଟିଏ ପଟରେ ରାଜ୍ୟ ସରକାର ପଂଚାୟତ ମୁଖିଆଙ୍କୁ ପଂଚାୟତର ସମସ୍ତ ଦାୟିତ୍ୱ ଦେଇଥିବା ବେଳେ ପଂଚାୟତ ମୁଖିଆ ଙ୍କୁ ଏହା ଦୃଶ୍ୟ ହେଉ ନଥିବା ଜଣାଯାଇଛି। ଫଳରେ ପଂଚାୟତ କଣ ବ୍ଲକରେ ଥିବା ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗ ମଧ୍ୟ ଫେଲ ମାରିଛି ବୋଲି ସାଧାରଣରେ ଚର୍ଚା ଚାଲିଛି। ତଥ୍ୟାନୁଯାୟୀ ଧାମରା ପଂଚାୟତ୧୩ ଓାର୍ଡ ବିଶିଷ୍ଟ ପଂଚାୟତ ହୋଇଥିବା ବେଳେ ଏହି ପଂଚାୟତରେ ମାତ୍ର ୮ଟି ଓାର୍ଡକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ହୋଇ ପାରିଥିବା ବେଳେ ଦୀର୍ଘ ୨୦୧୨ ମସିହାରୁ ଅନ୍ୟ ୫ଟି ଓାର୍ଡ ର ଲୋକେ ଏହି ପାଇପ ପାଣି ପାଇଁ ଚାତକ ଭଳି ଅନାଇ ରହିଛନ୍ତି। ସରକାର ଲୋକଙ୍କୁ ବିଶୁଦ୍ଧପାନୀୟ ଜଳ ଯୋଗାଣ ସକାଶେ ପ୍ରତିବର୍ଷ ନୂଆ ନୂଆ ଯୋଜନା ପ୍ରଣୟନ କରି ଲୋକଙ୍କ ଜଳ ସମସ୍ୟା ଦୂରୀ କରଣ ନିମନ୍ତେ ପ୍ରୟାସ ଜାରୀ ରଖିଛନ୍ତି। ଏଥିସହ ଚାନ୍ଦବାଲି ରେ ଥିବା ଗ୍ରାମୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ଏହି ଅଂଚଳ ତଥା ଚାନ୍ଦବାଲି ବ୍ଲକର ୩୯ଟି ପଂଚାୟତ ପାଇଁ ପ୍ରତିବର୍ଷ ଅନୁମୋଦନ ହେଉଛି ନୂତନ ଜଳଯୋଗାଣ ପ୍ରକଳ୍ପ ଏବଂ ଏହାକୁ କାର୍ଯ୍ୟକାରୀତା ପାଇଁ ସରକାରଙ୍କ ରାଜସ୍ୱରୁ ଖର୍ଚ ହେଉଛି କୋଟି କୋଟି ଟଙ୍କା। ଉକ୍ତ ଟଙ୍କା ତୃଣମୂଳ ସ୍ତରରୁ କିପରି ବିନିଯୋଗ ହୋଇ ଲୋକଙ୍କ ସେବାରେ ଆସୁଛି ତାହାର ଏକ ନିଚ୍ଛଦ ଉଦାହରଣ ପାଲଟିଛି ଧାମରା ପଂଚାୟତ। ଧାମରା ପଂଚାୟତରେ ବହୁ ଲୋକ ଏହି ପାନୀୟ ଜଳ କଷ୍ଟ ପାଉଥିବା ବେଳେ ଧାମରା ବଜାରକୁ ଏହି ପାଇପ ଜଳ ଯୋଗାଣ କେବେ ହେବ ସେ ନେଇ ଧାମରା ବଜାର କମିଟି କେବଳ ପଂଚାୟତ ସରପଂଚ ନୁହନ୍ତି ଚାନ୍ଦବାଲି ଠାରେ ଥିବା ଜଳଯୋଗାଣ ଓ ପରିମଳ ବିଭାଗର ଉପଖଣ୍ଡ ଅଧିକାରୀଙ୍କୁ ବହୁବାର ଲିଖିତ ଅଭିଯୋଗ ପରେ ମଧ୍ୟ ଦୀର୍ଘ ୮ବର୍ଷ ହେବ କିଛି ସୁଫଳ ମିଳି ପାରୁ ନାହିଁ। ଅନ୍ୟ ପକ୍ଷରେ ପଂଚାୟତ ତରଫରୁ ଆଜି ପର୍ଯ୍ୟନ୍ତ ଯୋଗାଇ ଦିଆଯାଉଥିବା ପାଇପ ଜଳ ପାଇଁ ଓଭରହେଡ ଟାଙ୍କି ନିର୍ମାଣ ମଧ୍ୟ ହୋଇ ପାରୁ ନାହିଁ ଏବଂ ଅନ୍ୟ ପକ୍ଷରେ ପଂଚାୟତ ତରଫରୁ ପର୍ଯ୍ୟାପ୍ତ ପରିମାଣରେ ପାଣି ମଧ୍ୟ ୮ଟି ଓାର୍ଡକୁ ଯୋଗାଇ ଦିଆଯାଇ ପାରୁ ନାହିଁ। ପାନୀୟ ଜଳ ଯୋଗାଣ ପାଇଁ କାହିଁକି ବିଭାଗୀୟ ତତ୍ପରତା ପ୍ରକାଶ ପାଉନାହିଁ ତାହା ମଧ୍ୟ ତଦନ୍ତ ପରିସର ହେବା ଜରୁରୀ ହୋଇ ପଡିଥିବା ବେଳେ ବିଭାଗୀୟ ଅଧିକାରୀ କାହା ପ୍ରରୋଚନାରେ ସାଧାରଣ ଜନତାଙ୍କ ଉପଯୋଗୀ ହୋଇ ପାରୁ ନଥିବା ସ୍ଥାନରେ ନଳକୂପ ବସାଉଛନ୍ତି ତାହାର ବିଦ୍ଧିବଦ୍ଧ ତଦନ୍ତ ହେବା ଜରୁରୀ। କେବେ ଏହି ପଂଚାୟତବାସୀଙ୍କ ଜଳକଷ୍ଟ ମେଂଟିବ ଏବଂ ଏଥିସହ ଏସିଆର ମହାଦେଶର ଦ୍ୱିତୀୟ ବୃହତମ ବନ୍ଦର ଧାମରା ଅଂଚଳରେ କେବେ ଜନସାଧାରଣ ଏହି ପାନୀୟ ଜଳ ଟିକକ ନଳକୂପ ସହ ପାଇପ ମାଧ୍ୟମରେ ସବୁଠାରୁ ଚର୍ଚାର ବିଷୟ ଧାମରା ପଂଚାୟତର ସମସ୍ତ ଓାର୍ଡକୁ ପାଇପ ପାଣି ନଥିବା କଥା ବିଭାଗୀୟ ଅଧିକାରୀଙ୍କୁ ଶତବାର କହିବା ପରେ ମଧ୍ୟ ତାହାର କୌଣସି ସୁଧାର ଆସୁନାହିଁ କେତେବେଳେ ଚାନ୍ଦବାଲି ବିଡିଓ ମହାଶୟ ଏହା ମୋଦାୟିତ୍ୱ ନୁହେଁ ଏହା ଗ୍ରାମୀୟ ପାନୀୟ ଜଳ ଯୋଗାଣ ଅଧିକାରୀଙ୍କ ଦାୟିତ୍ୱ କଥା କହୁଥିବା ବେଳେ ସଂପୃକ୍ତ ପାନୀୟ ଜଳ ଅଧିକାରୀ ହଓ ଦେଖିବା କହି କଥା ଆଡେଇ ଚାଲିଛନ୍ତି। ଦୀର୍ଘ ଦଶନ୍ଧି ଦଶନ୍ଧି ଧରି ଲୁଣା ଅଂଚଳରେ ପିଇବା ପାଣି ଟିକକ ମିଳି ପାରୁ ନଥିବା ବେଳେ ଅନ୍ୟାନ୍ୟ ସୁବିଧା କଥା ସହଜେ ଉପଲବ୍ଧ। କେବେ ସାଧାରଣ ଜନତାଙ୍କ ୁ ଏହି ପିଇବା ପାଣି ଟିକକ ଉପଲବ୍ଧ ହେବ, ସେ ନେଇ ପ୍ରଶ୍ନବାଚୀ ହୋଇ ପଡିଛି।ଚାନ୍ଦବାଲି ବ୍ଲକରେ ୨୨୫ ରାଜସ୍ୱ ଗ୍ରାମ ମଧ୍ୟରୁ ବିଭାଗୀୟ ତଥ୍ୟ ଅନୁଯାଇ ୧୧୫ଟି ରାଜସ୍ୱ ଗ୍ରାମକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ଦିଆଯାଇଛି ବୋଲି ବିଭାଗୀୟ ଅଧିକାରୀ ତଥ୍ୟ ରଖୁଥିବା ବେଳେ ଏହା ସଂପୂର୍ଣ ଭୁଲ ତଥ୍ୟ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି।