Odiapua.com

ଧାମରାରେ ଜମିଜମାକୁ ନେଇ ମରଣାନ୍ତକ ଆକ୍ରମଣ, ୪୮ଘଂଟା ପରେ ମଧ୍ୟ ପୁଲିସ ନିଷ୍କ୍ରିୟ

ଭଦ୍ରକ, ୨୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ନିକଟସ୍ଥ ଜଳି ପାଇକସାହି ଠାରେ ଏକ ଜମିଜମାକୁ ନେଇ ୨ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ଦୀର୍ଘ ୪୮ଘଂଟା ପରେ ପୁଲିସ ଆଶ୍ରିତଙ୍କୁ କେବଳ କାଗଜପତ୍ରରେ ନିୟମ ଦେଖାଉଥିବା ଅଭିଯୋଗ ହୋଇଛି। ଖବରରୁ ପ୍ରକାଶ ଜାଗୁଳା ପଂଚାୟତ ଅଧିନସ୍ଥ ଜଳି ପାଇକସାହି ସନାତନ ମଣ୍ଡଳ ଏକ ପୋଖରୀକୁ ଦୀର୍ଘ ୩୦ବର୍ଷ ହେବ ଦଖଲ କରି ନିଜର ବୋଲି ଦାବି କରି ଆସୁଥିଲେ। ଏହି ପୋଖରୀଟି ସେହି ଗ୍ରାମର ସତ୍ୟବାନ ଜେନାଙ୍କର ବୋଲି ସତ୍ୟବାନ ମଧ୍ୟ ପୁଲିସ ପାଖରେ ଦାବି କରି ଆସୁଥିଲେ। ଗତ ୨୩ତାରିଖ ଦିନ ସତ୍ୟବାନ ଜେନା ଏହି ପୋଖରୀକୁ ପୋତିବା ପାଇଁ ଏକ ଜେସିବି ଆଣି ମାଟି ପକାଇ ପୋତିବା ଆରମ୍ଭ କରିଥିଲେ। ଏହି ସମୟରେ ସନାତନ ଆସି କାହିଁକି ଏହି ପୋଖରୀକୁ ପୋତୁଛ ବୋଲି ପଚାରିଥିଲେ।

ଏହି କଥା କଟାକଟିରୁ ନେଇ ସତ୍ୟବାନ ଜେନା ଏବଂ ତାଙ୍କ ପରିବାର ସନାତନ ମଣ୍ଡଳକୁ ମରଣାନ୍ତକ ଆକ୍ରମଣ କରିଥିଲେ, ଏ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା।ଏହି ଗଣ୍ଡଗୋଳ ସମୟରେ ସ୍ଥାନୀୟ ଗ୍ରାମବାସୀ ଏହି ଗଣ୍ଡଗୋଳକୁ ମେଂଟାଇଥିବା ବେଳେ ସନାତନ ଲହୁଲୁହାଣ ହୋଇ ଯାଇ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବା ପରେ ଧାମରା ମେରାଇନ ଥାନାରେ ଏକ ଲିଖିତ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଥିଲେ।ଲିଖିତ ଅଭିଯୋଗର ୨ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ପ୍ରଶାସନ ସନାତନ ମଣ୍ଡଳକୁ କେବଳ କାଗଜପତ୍ରରେ ନିୟମ ଦେଖାଉଥିବା ବେଳେ ଗଣ୍ଡଗୋଳ କରିଥିବା ଲୋକଙ୍କୁ ଘଂଟ ଘୋଡାଇ ଚାଲିଛି ବୋଲି ସନାତନଙ୍କ ପରିବାର ଅଭିଯୋଗ ଆଣିଛନ୍ତି। ଅନ୍ୟ ପକ୍ଷରେ ଧାମରା ମେରାଇନ ଥାନାଧିକାରୀ ତୁସୀଲ ମାଝୀ ଏହାର ପ୍ରତିକ୍ରିୟା ସ୍ୱରୂପ ସନାତନଙ୍କ ଲିଖିତ ଅଭିଯୋଗ ଏବଂ ସତ୍ୟବାନଙ୍କ ଲିଖିତ ଅଭିଯୋଗ ପାଇ ୨ଟି କେସ ରୁଜୁ କରିଛନ୍ତି।ଏହି ଗଣ୍ଡଗୋଳରେ ମାଡ ଖାଇଥିବା ସନାତନ ନ୍ୟାୟ ନ ପାଇବାରୁ ଆଗାମୀ ଦିନରେ ଓ ପରିବାର ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହେବେ ବୋଲି ପ୍ରତିକ୍ରିୟା ରଖିଛନ୍ତି। ଅନ୍ୟ ପକ୍ଷରେ ଏହି ଘଟଣାରେ ତଦନ୍ତ କରୁଥିବା ଏଏସଆଇ ମହାରଣା କେବଳ ପ୍ରତିପକ୍ଷଙ୍କୁ ନୋଟିସ ଜାରୀ କରିଛନ୍ତି ବୋଲି କହିଥିବା ବେଳେ ମାଡ ଖାଇଥିବା ଲୋକଙ୍କୁ ପୁଲିସ କଣ ନ୍ୟାୟ ଦେବ ବୋଲି ପଚାରିବାରୁ ସେ ନିଜର ପ୍ରତିକ୍ରିୟା ରଖି ମୁଁ କଣ ସେମାନଙ୍କୁ ଫାଶୀ ଦେବୀ ବୋଲି ଗଣ ମାଧ୍ୟମ ପ୍ରତିନିଧିଙ୍କୁ ପ୍ରଶ୍ନ କରିଥିଲେ।