Odiapua.com

ଧାମରାରେ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଚିତ୍ର ନୀତି, ବିନା ସୂଚନା ଫଳକରେ ଚାଲିଛି ହବାଳିଘାଟ ରାସ୍ତାରେ ଚାଲିଛି ଲକ୍ଷାଧିକ ଟଙ୍କାର କାର୍ଯ୍ୟ, ନିମ୍ନ ମାନର କାର୍ଯ୍ୟର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ

ଭଦ୍ରକ, ୧୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ଅଂଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ଫୁ କରି ଦେଉଛନ୍ତି ଠିକାଦାର । ଫଳରେ କେତେବେଳେ କେଉଁଠି କେଉଁ କାର୍ଯ୍ୟ ଚାଲିଛି ତାହା ଲୋକଙ୍କ ମଧ୍ୟରେ ପ୍ରଶ୍ନବାଚୀ ହୋଇ ପଡିଛି । ପ୍ରାପ୍ତ ଖବରରୁ ଜଣାଯାଇଛି ଧାମରା ନରସିଂହପୁର ଠାରୁ ଆରମ୍ଭ ହୋଇ ହବାଳିଘାଟ ପର୍ଯ୍ୟନ୍ତ ଥିବା ୧.୫ କି.ମି ରାସ୍ତାଟି ସଂପୂର୍ଣ ଖରାପ ହୋଇ ପଡିଥିବା ବେଳେ ଏହି ରାସ୍ତା କାର୍ଯ୍ୟ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଟେଣ୍ଡର ହୋଇଥିଲା । ଏହି ରାସ୍ତାଟି ଢଳେଇ ହେବ ବୋଲି ବିଭାଗୀୟ କର୍ତୁପକ୍ଷ ସୂଚନା ଦେଇଥିବା ବେଳେ ଏହି ରାସ୍ତାଟିରେ କେଉଁ ଅନୁପାତ ସମାନୁପାତରେ ନିର୍ମାଣ ହେବ ଏବଂ ଏହି ରାସ୍ତାର ସ୍ଥାୟିତ୍ୱ କିଛି ରହିବ କି ନାହିଁ ଏବଂ କେଉଁ ଠିକାଦାର ଏହି ରାସ୍ତା କାର୍ଯ୍ୟ କରିବେ ତାହାର କିଛି ସୁଚନା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଦିଆଯାଉନାହିଁ । ଅନ୍ୟ ପକ୍ଷରେ ରାତି ଅଧିଆ କେଉଁ ପରିସ୍ଥିତିରେ ଏହି ଢଳେଇ କାର୍ଯ୍ୟ ସଂପାଦନ ହେଉଛି ଏବଂ ଢଳେଇ ହେବା ପରେ ମଧ୍ୟ ଏହି ଢଳେଇ ରାସ୍ତାରେ ଢଳେଇର ସ୍ଥାୟିତ୍ୱ ପାଇଁ ପାଣି ଦିଆ ଯାଉ ନାହିଁ, ଏହାର ବିଦ୍ଧିବଦ୍ଧ ତଦନ୍ତ କରିବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି । ଅନ୍ୟ ପକ୍ଷରେ ରାତି ଅଧିଆ ନିର୍ମାଣ କରୁଥିବା ଠିକା ସଂସ୍ଥା ନାମରେ କୌଣସି କାର୍ଯ୍ୟାଦେଶ ନଥିବା ବେଳେ ଏହି କାର୍ଯ୍ୟ ଅନ୍ୟ ଜଣେ ଠିକାଦାର ସଂପୃକ୍ତ କାର୍ଯ୍ୟାଦେଶ ପାଇଥିବା ଠିକାଦାରଙ୍କ ଠାରୁ ନେଇ କରୁଥିବା ଜଣାଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଅଧିକାରୀ ଜାଣିଶୁଣି ଏହି ଅଧାପନ୍ତରିଆ କାର୍ଯ୍ୟକୁ କିପରି ତଦାରଖ ନ କରି ଛାଡି ଦେଉଛନ୍ତି ଫଳରେ ଏହି ରାସ୍ତାର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟ ପକ୍ଷରେ ଏହି ଢଳେଇ ରାସ୍ତା ନିର୍ମାଣ ସମୟରେ ଯେଉଁ ପରିମାଣରେ ଏବଂ ଯେଉଁ ଦୂରତା ଅନୁସାରେ ଲୁହା ରଡ ଦିଆଯାଇ ଢଳେଇ ପଡିବା କଥା ତାହା ହେଉ ନାହିଁ ବୋଲି ଜଣା ଯାଇଛି । ବିନା ସୂଚନା ଫଳକ ଏବଂ ନିମ୍ନ ମାନର କାର୍ଯ୍ୟକୁ ନେଇ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ସେ ଏହି ବିଷୟରେ ଅବଗତ ଅଛନ୍ତି ବୋଲି କହିଥିଲେ । ଅନ୍ୟ ପକ୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ତୁରନ୍ତ ଏହି ନିମ୍ନ ମାନର କାର୍ଯ୍ୟ ଉପରେ ବିଦ୍ଧିବଦ୍ଧ ତଦନ୍ତ କରିବା ପରେ ସଂପୃକ୍ତ ଠିକାସଂସ୍ଥା ଉପରେ କାର୍ଯ୍ୟନୁଷ୍ଠାନ ନେବେ ବୋଲି କହିଥିଲେ । ଅନ୍ୟ ପକ୍ଷରେ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ହେବାର ନିୟମ ଥିବା ବେଳେ କିପରି ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତରେ ଏହି କାର୍ଯ୍ୟ ଚାଲିଛି ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି ।