ଭଦ୍ରକ, ୨୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ବନପାଳଙ୍କ ଅଧିନରେ ଥିବା ନଦୀ ମାନଙ୍କରେ କୁମ୍ଭୀର ଗଣନା ଶେଷ ହୋଇଛି । ଶେଷ ପର୍ଯ୍ୟାୟ ଅନୁଯାୟୀ ସମୁଦାୟ ୫୧ଟି ବଉଳା କୁମ୍ଭୀର ଥିବା ଗଣନାରୁ ଜଣାଯାଇଛି । ଚଳିତ ମାସ ୧୭ ତାରିଖରୁ ଏହି ଗଣନା ଆରମ୍ଭ ହୋଇଥିବା ବେଳେ ଏହା ୧୯ତାରିଖରେ ଶେଷ ହୋଇଛି । ପ୍ରତିକୂଳ ପାଗରେ କୁମ୍ଭୀର ଗଣନା କଷ୍ଟସାଧ୍ୟ ହୋଇଥିବା ବେଳେ ମଧ୍ୟ ଧାମରା ନଦୀ(ଚନ୍ଦନୀପାଳ ପ୍ରତିରକ୍ଷା ଘାଟି ଠାରୁ ଚରଦିଆ)ରେ ୧୦ଟି ବଡ କୁମ୍ଭୀର ଥିବା ବେଳେ ୭ଟି ଛୈାଟ କୁମ୍ଭୀର ମାନଙ୍କୁ ଠାବ କରାଯାଇଥିଲା । ଧାମରା ନିକଟସ୍ଥ ମନ୍ତେଇ ନଦୀ(ଚରଦିଆ ଠାରୁ ବ୍ରହ୍ମଟିକ୍ରି ଘାଟ)ରେ ୧୫ଟି ବଡ କୁମ୍ଭୀର ଦେଖିବାକୁ ମିଳିଥିବା ବେଳେ ୧୯ଟି ଛୋଟ କୁମ୍ଭୀର ଙ୍କୁ ଠାବ କରାଯାଇଥିଲା ।ଏହି ୨ଟି ନଦୀରେ ସମୁଦାୟ ୫୧ଟି କୁମ୍ଭୀର ଠାବ କରାଯାଇଥିଲା । ୩ଦିନ ବ୍ୟାପୀ ଏହି ଗଣନା ଜାରୀ ରହିଥିଲା । ଏହି ନଦୀ ମାନଙ୍କରେ ଠାବ ହୋଇଥିବା ସବୁଠାରୁ ବଡ ବଉଳା କୁମ୍ଭୀର ଲମ୍ବ ୨୦ଫୁଟ ହୋଇଥିବା ବେଳେ ସବୁଠାରୁ ଛୋଟ କୁମ୍ଭୀର ଲମ୍ବ ୩ ଫୁଟବୋଲି ବିଭାଗୀୟ ବନପାଳ ଗଦାଧର ବିଶ୍ୱାଳଙ୍କ ନିକଟରୁ ପ୍ରକାଶ ।ବନପାଳଙ୍କ ନେତୃତ୍ୱରେ ୫ଜଣିଆ ଟିମ ଏହି କୁମ୍ଭୀର ଗଣନା କାର୍ଯ୍ୟରେ ନିୟୋଜିତ ଥିଲେ । ଘନ କୁହୁଡି ମଧ୍ୟରେ କୁମ୍ଭୀର ଗଣନା କଷ୍ଟକର ବ୍ୟାପାର ହୋଇଥିଲେ ମଧ୍ୟ ଅହୋରାତ୍ର ଏହି କାର୍ଯ୍ୟରେ ନିୟୋଜିତ ହୋଇ ଏହି ଗଣନା କାର୍ଯ୍ୟ ଶେଷ ହୋଇଛି ।