Odiapua.com

ଧାମରାରେ କମୁଛି ଭୂତଳ ଜଳ, ଜଙ୍ଗଲ ଜମିରେ ଗଭୀର ନଳକୂପ ବସାଇ ମାଲେମାଲ ଅସାଧୁ ବ୍ୟବସାୟୀ ଓ ବନପାଳ, ଘଂଟାକୁ ୩ଶହ ଟଙ୍କା, ରେଞ୍ଜରଙ୍କ ପାଖରେ ନାହିଁ ଖବର

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ଥ କାଳିନାଳୀ ଠାରେ ଜଙ୍ଗଲ ଜମିରେ ଗଭୀର ନଳକୂପ ବସାଇ ଚାଲିଛି ପାଣି ବେପାର । ଏହି ବେପାର ଦୀର୍ଘଦିନ ହେବ ଚଲିଥିବା ବେଳେ ସଂପୃକ୍ତ ବ୍ୟବସାୟୀ ଧାମରା ବନପାଳଙ୍କୁ ମାସକୁ ମାସିକିଆ ବଟି ଦେଇ ଏହି ବେପାର ଚଳାଇ ଆସୁଛନ୍ତି ବୋଲି ଦମ୍ଭୋକ୍ତିର ସହ କହୁଥିବା ବେଳେ ଏହି ପାଣି ବିକ୍ରି ଖବର ଚାନ୍ଦବାଲି ରେଞ୍ଜରଙ୍କ ପାଖରେ ନାହିଁ ।ପ୍ରାପ୍ତ ଖବରରୁ ପ୍ରକାଶ ଧାମରାରେ ଚାଲୁଥିବା ୧ହଜାର ବୋଟ,ଭୁଟୁଭୁଟି,ଟ୍ରଲର ଗୁଡିକ ସବୁ ସମୟରେ ଧାମରା ଘାଟକୁ ଆସିପାରେ ନାହିଁ । ସେହି ସମସ୍ତ ଯନ୍ତ୍ରଚାଳିର ବୋଟ ଗୁଡିକ ଚନ୍ଦନୀପାଳ ଠାରେ ମାଛ ନିଲାମ କରି ସେ ହି ନିକଟରେ କାଳିନାଳୀ ଠାରେ ଆସି ନଙ୍ଗର କରିଥାନ୍ତି । ଏହି ନଙ୍ଗର କରିବା ସମୟରେ ସେମାନଙ୍କର ଦରକାର ପଡୁଥିବା ଆବଶ୍ୟକ ଖାଦ୍ୟ ସାମଗ୍ରୀ,ବରଫ ,ଡିଜେଲ ଓ ପାଣି ସେହି ବଜାର ଠାରୁ ନେଇଥାନ୍ତି ।ସମସ୍ତ ଆବଶ୍ୟକୀୟ ସରଞ୍ଜାମ ମଧ୍ୟରୁ କାଳିନାଳୀ ଠାରେ ପାଣି ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ଥ ହୋଇଛି । ଏହି ଯନ୍ତ୍ର ଚାଳିତ ବୋଟ ଏବଂ ଭୁଟୁଭୁଟି ଗୁଡିକ ନିଜର ପାନୀୟ ଏବଂ ବ୍ୟବହାର କରୁଥିବା ପାଣି ପାଇଁ ଏହି ବଜାର ଠାରେ ଥିବା ୨ଟି ବ୍ୟବସାୟୀଙ୍କ ଉପରେ ନିର୍ଭର କରିଥାନ୍ତି । ଏହି ବ୍ୟବସାୟୀ ମାନେ ଜଙ୍ଗଲ ଜମିରେ ଗଭୀର ନଳକୂପ ବସାଇ ଦୀର୍ଘ ଦିନ ହେବ ପାଣି ବିକ୍ରି କରି ଆସୁଛନ୍ତି । ଘଂଟା ପ୍ରତି ୩ଶହ ଟଙ୍କାରେ ଏହି ବ୍ୟବସାୟୀ ମାନେ ଗଭୀର ନଳକୂପ ପାଣି ବିକ୍ରି କରି ଆସୁଥିବା ବେଳେ ସେମାନଙ୍କୁ ରୋକ ଲଗାଇବାକୁ ସର୍ବସାଧାରଣରେ ଦାବୀ ହୋଇଛି । କେଉଁ ପରିସ୍ଥିତିରେ ଜଙ୍ଗଲଜମିରେ ଘର ନିର୍ମାଣ କରି ଏବଂ ସେହି ଘରେ ମଧ୍ୟରେ ଗଭୀର ନଳକୂପ ବସାଇ ଘଂଟାକୁ ୩ଶହ ଟଙ୍କାରେ ପାଣି ବିକ୍ରି କରୁଛନ୍ତି ଏହାର ବିଦ୍ଧିବଦ୍ଧ ତଦନ୍ତ କରିବା ସହ ସଂପୃକ୍ତ ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଏକ ବେସରକାରୀ ସଙ୍ଗଠନ ଦାବୀ କରିଛି । କାଳିନାଳୀ ଠାରେ ପଂଚାନନ ଦାସ,ପ୍ରବୀର ଦିନ୍ଦା ପ୍ରମୁଖ ଦୀର୍ଘ ଦିନ ହେବ ଏହି ପାଣି ବେପାର କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ବେଳେ କେଉଁ ପରିସ୍ଥିତିରେ ଧାମରା ବନପାଳଙ୍କୁ ମାସିକିଆ ବଟି ଦେଇ ସରକାରଙ୍କ ଜଙ୍ଗଲ ଆଇନକୁ ଖୋଲାଖୋଲି ଉଲଘଂନ କରୁଛନ୍ତି ସେ ବିଷୟରେ ଚାନ୍ଦବାଲି ରେଞ୍ଜରଙ୍କ ସହ ଯୋଗାଯୋଗ କରିବାରୁ ସେ ଏ ବିଷୟରେ ଅଜ୍ଞ ବୋଲି କହିଥିଲେ । ଏବିଷୟରେ ଧାମରା ଅଂଚଳ ବାସୀ ଭଦ୍ରକ ଜିଲ୍ଲାପାଳ ଏବଂ ଭଦ୍ରକ ଡିଏଫଓ ଙ୍କୁ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ନାମରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି । ଏହି ବାବଦରେ ଭଦ୍ରକ ଡିଏଫଓ ଙ୍କ ସହ ଯୋଗାଯୋଗ ହୋଇ ପାରି ନଥିବା ବେଳେ ଆଗାମୀ ଦିନରେ ଏହି ଅଭିଯୋଗକୁ ନେଇ ସଂପୃକ୍ତ ବେସରକାରୀ ସଙ୍ଗଠନ ସେସଡୋ ଭୂବନେଶ୍ୱର ପିସିସିଏଫ ଙ୍କ ଦ୍ୱାରସ୍ଥ ହେବ ବୋଲି ଚେତାବନୀ ଦେଇଛନ୍ତି । ଜଙ୍ଗଳ ପରିବେଶ ବିଭାଗ କାଲୀନାଳୀ ଠାରେ କେଉଁ ପରିସ୍ଥିତିରେ ଜଙ୍ଗଲ ଜମିରେ ଅସାଧୁ ବ୍ୟବସାୟୀ ଏବଂ ଧାମରା ବନପାଳ ଙ୍କ ଜ୍ଞାତସାରରେ ଗଭୀର ନଳକୂପ ବସାଇ ପାଣି ବେପାର କରୁଛନ୍ତି ତାହା ତଦନ୍ତ ସାପେକ୍ଷ ।ଅନ୍ୟ ପକ୍ଷରେ ଏହି ଅସାଧୁ ବ୍ୟବସାୟୀ ମାନେ ଦୀର୍ଘ ୧୦ବର୍ଷ ଧରି ଏହି ବ୍ୟବସାୟ କରି ଆସୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ପାଖରେ ଏହି ସମସ୍ତ ଖବର ଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ନିରବତା ଅଂଚଳବାସୀଙ୍କୁ ଦ୍ୱନ୍ଦରେ ପକାଇଛି । ତୁରନ୍ତ ଏହି ଅସାଧୁ ବ୍ୟବସାୟୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ହୋଇଛି ।