Odiapua.com

ଧାମରାରେ କଂଗ୍ରେସ ପକ୍ଷରୁ ବନ୍ଦ ସଫଳ

ଭଦ୍ରକ, ୧୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଲେଶ୍ୱର ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ଓଡିଶା ରାଜନୀତି ସରଗରମ ହୋଇ ପଡିଛି । ଆଜି କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ବେଳେ ଧାମରାର ଏହି ବନ୍ଦର ସଂପୂର୍ଣ ପ୍ରଭାବ ଦେଖିବାକୁ ମିଳିଥିଲା । କଂଗ୍ରେସ ପକ୍ଷରୁ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଖଚକ ମଧ୍ୟ ସଂପୂର୍ଣ ବନ୍ଦ ହୋଇଥିଲା । ଆଜି ଧାମରା ଅଂଚଳରେ ବିଭିନ୍ନ ସ୍ଥାନରେ ସରକାରୀ ଏବଂ ବେସରକାରୀ ବସ ଗୁଡିକ ଛିଡା ହୋଇ ରହିଥିବା ବେଳେ ଧାମରା ଅଂଚଳର ସମସ୍ତ ଉଚ୍ଚ ବିଦ୍ୟାଳୟ,ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ ଅଙ୍ଗନବାଡି ଗୁଡିକରେ ମଧ୍ୟ ଏହି ବନ୍ଦର ପ୍ରଭାବ ପଡିଥିଲା ।ଧାମରା, କଇଥଖୋଲା, ଦୋସିଙ୍ଗା, ଅଂଚଳରେ ଥିବା ୧୩ଟି ରାଷ୍ଟ୍ରାୟତ ଏବଂ ୨ଟି ବେସରକାରୀ ବ୍ୟାଙ୍କ ଗୁଡିକ ଖୋଲାଥିବା ବେଳେ କଂଗ୍ରେସ ଦଳର କର୍ମୀ ମାନେ ସେହି ଶାଖା ଗୁଡିକ ବନ୍ଦ କରିବା ପାଇଁ ବ୍ୟାଙ୍କ ପରିଚାଳକଙ୍କ ନିକଟରେ ଦାବୀ ରଖିବା ପରେ ସେ ଗୁଡିକ ବନ୍ଦ ହୋଇଥିଲା । ଧାମରା କଇଥଖୋଲା, କରଞ୍ଜମାଳ ଏବଂ କରଣପଲ୍ଲୀ ଅଂଚଳରେ ଥିବା ରାଜସ୍ୱ ନିରୀକ୍ଷକ ଙ୍କ ଅପିସ ଗୁଡିକ ମଧ୍ୟ ଏହି ବନ୍ଦରେ ସାମିଲ ଥିଲେ । ଆଜି ଧାମରା ବନ୍ଦର ଠାରେ ମଧ୍ୟ କଂଗ୍ରେସ କର୍ମୀ ମାନେ ପହଂଚି ପିକେଟିଂ କରି ୧ନଂ ଏବଂ ୩ନଂ ଗେଟ ମଧ୍ୟ ବନ୍ଦ କରିବାରେ ସଫଳ ହୋଇଥିବା ବେଳେ ଧାମରା ବନ୍ଦର କାର୍ଯ୍ୟ ମଧ୍ୟ କ୍ଷତିଗ୍ରସ୍ଥ ହୋଇଥିବା ସୂଚନା ମିଳିଛି । ସେହିପରି ଧାମରା- ଭଦ୍ରକ ରେଳପଥରେ ରେଳ ଚଳାଚଳ ସଂପୂର୍ଣ ମଧ୍ୟ ବନ୍ଦ ରହିଥିଲା । ଏହି ପିକେଟିଂ ତଥା ବିକ୍ଷୋଭ ସମୟରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ଅମୀୟ ମହାପାତ୍ର, ଦିଗମ୍ବର ଦାସ, ନରହରି ମଲିକ, ଦୁଃଖ ଜେନା, ଉମେଶ ମହାକୁଡ, ଶରତ ଦଳେଇ, ଦୁଖୂନୁ ନାୟକ, ନରେନ୍ଦ୍ର ନାୟକ, ସୋନୁ ଲେଙ୍କା,ତାରାକାନ୍ତ ସାମଲ, ବାଣ୍ଠିଆ ଗିରି, ଜିଆଦ ଅଲ୍ଲି ଖାଁ,ମହେଶ୍ୱର ମଲିକ,ବିମାନ ଗିରି, ଅର୍ଜୁନ ବାରିକ, କରବୀର ମାଝୀ, ଟିଙ୍କୁ ପାଳଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ସାମିଲ ଥିଲେ ।